Latest Odisha News

BREAKING NEWS

ଯେଉଁଠି ଇଭିଏମ ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ ହେବ: ରାଜ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ମତଦାନ ବେଳେ ଯେଉଁଠି ଇଭିଏମ ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ ହେବ। ମକ୍‌ପୋଲ ବେଳେ ଯେଉଁଠି ତ୍ରୁଟି ସାମ୍ନାକୁ ଆସିଛି ରିପ୍ଲେସ ହୋଇଛି ବା ପରିବର୍ତ୍ତନ କରାଯାଇଛି। ଇଭିଏମରେ ତ୍ରୁଟି ଥିଲେ ବ୍ୟସ୍ତ ନହେବାକୁ ଭୋଟରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟର ପ୍ରମୁଖ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।

ରାଜ୍ୟର ୭୩୦୩ ବୁଥରେ ଭୋଟ ଦେଉଛନ୍ତି ମତଦାତା । ଭୋର ସାଢେ ୫ଟାରୁ ମକ୍‌ ପୋଲ୍‌ ହୋଇଛି । ମକ୍‌ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଛି । ଏହାକୁ ରିପ୍ଲେସ କରାଯାଇଛି । ୭୩୦୩ ବୁଥରୁ ବାଲଟ ୟୁନିଟ ୫୨ ରିପ୍ଲେସ ହୋଇଛି । କଣ୍ଟ୍ରୋଲ ୟୁନିଟ ୫୮ ପରିବର୍ତ୍ତନ ହୋଇଛି । ଭିଭିପାଟ ୪୩ ପରିବର୍ତ୍ତନ ହୋଇଛି । ଏହା ମୋଟ ବୁଥର ୧ ପ୍ରତିଶତରୁ କମ୍ । ମକ ପୋଲ ସମୟରେ ଏହି ତ୍ରୁଟି ଜଣାପଡିଯାଏ । ସେଥିପାଇଁ ଭୋଟରଙ୍କୁ ବ୍ୟସ୍ତ ହେବାର ନାହିଁ ବୋଲି ସେ କହିଛନ୍ତି।

କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ତ୍ରୁଟି ସାମ୍ନାକୁ ଆସିଛି। କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହୋଇଛି । ଯେଉଁଠି ୧୦ ଟି ବାଲଟ ୟୁନିଟ, ୪୧ ଟି କଣ୍ଟ୍ରୋଲ ୟୁନିଟ ଓ ୧୯ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଇଭିଏମ କମିଶନ ବେଳେ ଏଠାରେ ସମସ୍ୟା ରହିବ ବୋଲି ସୂଚନା ରହିଥିଲା । ସେଥିପାଇଁ ୫୦ ପ୍ରତିଶତ ଅଧିକ ଇଭିଏମ କମିଶନ ହୋଇଛି ।

ଅନ୍ୟପଟେ ଭୋଟର ଭୋଟ ଦେବାକୁ ଲମ୍ବା ଲାଇନରେ ଅଛନ୍ତି। ସେହିପରି ବିଚ୍ଛିନ୍ନାଞ୍ଚଳରେ ମତଦାନ ନେଇ ଖୁସି ପ୍ରକଟ କରିଛନ୍ତି ସିଇଓ। ୨୦୧୯ରେ ୨୩ଟା ବୁଥ୍‌ ଲୋକେ ବିଏସଏଫ କ୍ୟାମ୍ପ୍‌ରେ ଭୋଟ ଦେଇଥିଲେ। ମାତ୍ର ଏଥର ସେମାନେ ନିଜ ଗାଁରେ ଭୋଟ୍‌ ଦେଉଛନ୍ତି। ଗତ ଥର ୧୦ଟି ବୁଥ୍‌ରେ କେହି ଭୋଟ ଦେଇ ନଥିଲେ। ମାତ୍ର ଏଥର ସେହି ୧୦ ବୁଥ୍‌ରେ ମତଦାନ ଚାଲିଛି ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

Comments are closed.