Latest Odisha News

BREAKING NEWS

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍: ୭୧ ଆସନରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜିଠୁ ବିହାର ବିଧାନସଭା ନିର୍ବାଚନ ନେଇ ମତଦାନ । ପ୍ରଥମ ପର୍ଯ୍ୟାୟରେ ଆଜି ୭୧ଟି ଆସନରେ ଭୋଟ୍ ନିଆଯାଉଛି । ମୈଦାନରେ ଅଛନ୍ତି ୧ ହଜାର ୬୬ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୫୨ ଜଣ ପୁରୁଷ ଓ ୧୧୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଦୁଇ କୋଟିରୁ ଅଧିକ ଭୋଟର ।

ଆଜି ହେବାକୁ ଥିବା ୭୧ଟି ଆସନରୁ ନୀତିଶ କୁମାରଙ୍କ ଜେଡିୟୁ ୩୫ଟି ପ୍ରାର୍ଥୀ ଦେଇଥିବା ବେଳେ ୨୯ଟି ସିଟରେ ଲଢୁଛନ୍ତି ବିଜେପି ପ୍ରାର୍ଥୀ । ଆରଜେଡି ୪୨ ଓ କଂଗ୍ରେସ ୨୦ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ଚିରାଗ ପାଶଓ୍ଵାନଙ୍କ ଏଲଜେପି ୪୫ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛି । ଜେଡିୟୁର ୩୫ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି ଏଲଜେପି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଟିକେଟରୁ ଲଢୁଛନ୍ତି କମନେଓ୍ଵଲ୍‌ଥ ଗେମ୍‌ ମେଡାଲିଷ୍ଟ ସୁଟର ଶ୍ରେୟସୀ ସିଂ । ସେ ଜାମୁଇ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସହ ୬ ଜଣ କ୍ୟାବିନେଟ ମନ୍ତ୍ରୀ ବି ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରାଉଛନ୍ତି ।

କରୋନା ସମୟରେ ବିହାରରେ ଦେଶର ପ୍ରଥମ ବଡ଼ ନିର୍ବାଚନ ହେଉଛି । କୋଭିଡ କଟକଣା ମଧ୍ୟରେ ମତଦାନ ସାବ୍ୟସ୍ତ କରିବେ ଭୋଟର । କରୋନା ପାଇଁ ଗୋଟିଏ ପୁଲିଂ ବୁଥ୍‌ରେ ଭୋଟର ସଂଖ୍ୟା ୧୬ଶହରୁ ୧ ହଜରକୁ ହ୍ରାସ କରାଯାଇଛି । ମାସ୍କ ପିନ୍ଧି ବୁଥ୍‌କୁ ଆସିବେ ଭୋଟର । ପ୍ରତି ବୁଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ରହିବ । ଭୋଟିଂ ମେସିନ ନିୟମିତ ସାନିଟାଇଜ୍‌ କରାଯିବ ।

Leave A Reply

Your email address will not be published.