Latest Odisha News

BREAKING NEWS

ହେମଗିରି ବ୍ଲକରେ ୱାଡି ପ୍ରକଳ୍ପର ଶୁଭାରମ୍ଭ; ୨୨ ଏକର ଜମିରେ ଆମ୍ବ ଓ ଲେମ୍ବୁ ଚାଷ

ସୁନ୍ଦରଗଡ଼: ହେମଗିରି ବ୍ଲକର ଲାଇକେରା ପଞ୍ଚାୟତରେ ମଙ୍ଗଳବାର ଦିନ ୱାଡି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୈରବ ସିଂ ପଟେଲ ଏହାର ଉଦଘାଟନ କରିଛନ୍ତି।

୧୧ ଜଣ ସ୍ଥାନୀୟ ଚାଷୀଙ୍କୁ ନେଇ ୨୨ ଏକର ଜମିରେ ଆମ୍ବ ଓ ଲେମ୍ବୁ ଚାଷ କରାଯାଉଛି। ଏହି କାର୍ଯ୍ୟକ୍ରମରେ ବିଧାୟିକା ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବ୍ଲକ ଅଧ୍ୟକ୍ଷା ସୁଧାରାଣୀ ରୁଡ଼ିଆ, ଉପାଧ୍ୟକ୍ଷ ସୁରତ ପ୍ରଧାନ, ସ୍ଥାନୀୟ ସରପଞ୍ଚ ପ୍ରତିଭା ଓରାମ ଏବଂ ଡିଏମଏଫର ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ। ହେମଗିରି ବ୍ଲକରେ ଏସଜି ଫାଉଣ୍ଡେସନ ଏହି ପ୍ରକଳ୍ପର ସହଯୋଗୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି।

‘‘ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ୱାଡି ପ୍ରକଳ୍ପ ଲାଗୁ କରାଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ଚାଷୀମାନଙ୍କର ଖାଲି ପଡ଼ିଥିବା ଜମିରେ ଫଳ ଚାଷ କରି ସେମାନଙ୍କର ଦୀର୍ଘସ୍ଥାୟୀ ଜୀବିକା ବାବଦରେ ପଦକ୍ଷେପ ନିଆଯାଉଛି’’, କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୈରବ ସିଂ ପଟେଲ।

ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ କୁତ୍ରା, ରାଜଗାଙ୍ଗପୁର, କୋଇଡ଼ା, ହେମଗିରି, କୁଆରମୁଣ୍ଡା ଏବଂ ଲହୁଣିପଡ଼ା ବ୍ଲକରେ ୱାଡି ପ୍ରକଳ୍ପ ମାଧ୍ୟମରେ କାଜୁ, ଲିଚୁ, ଲେମ୍ବୁ, ଆମ୍ବ ଆଦି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ପ୍ରତି ବ୍ଲକରେ ଆଗାମୀ ୫ ବର୍ଷ ଭିତରେ ୫୦୦ ଏକର ଜମିରେ ୱାଡି ପ୍ରକଳ୍ପ ଲାଗୁ କରିବାକୁ ଲକ୍ଷ୍ୟ ରହିଛି।

ୱାଡି ପ୍ରକଳ୍ପ ପାଇଁ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ବୈଷୟିକ ସହାୟତା ଯୋଗାଇ ଦେଉଥିବା ବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଦେଉଛି। ଏହି ପ୍ରକଳ୍ପ ସହ ମହାତ୍ମା ଗାନ୍ଧୀ ନରେଗାକୁ ଯୋଡ଼ି ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଛି।

Leave A Reply

Your email address will not be published.