Latest Odisha News

BREAKING NEWS

ବୁଡାଇଦେଲା କି ଡିଲ୍ !

ଭୁବନେଶ୍ବର: ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନ ପୂର୍ବରୁ ହୋଇଥିଲା କି ଡିଲ୍ ? ଲୋକସଭା ବିଜେପିକୁ ବିଧାନସଭା ବିଜେଡିକୁ ! ଡିଲ୍ ଅନୁସାରେ ହୋଇଥିଲା କି ବିଜେଡିର ପ୍ରାର୍ଥୀ ଚୟନ? କାହିଁକି ଦୁର୍ବଳ ପ୍ରାର୍ଥୀ ଦେଇଥିଲା ବିଜେଡି ? ସଂଗଠନ ସହ ଜଡିତ ନଥିବା ଆମଦାନୀ ନେତାଙ୍କୁ କାହିଁକି କରିଥିଲା ପ୍ରାର୍ଥୀ ? ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଆଲୋଚନା ହେଲା, ହେଲେ ଛିଡିଲାନି ସିଟ୍ ହିସାବ । ଏକାଠି ନଲଢି ଏକା ଏକା ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଉଭୟ ଦଳ । ହେଲେ ପ୍ରଶ୍ନ ଉଠୁଛି, ଲୋକସଭା ସିଟ୍ ବିଜେପିକୁ ଦେଇ ବିଧାନସଭା ନିଜ ପାଖରେ ରଖିବାକୁ ହୋଇଥିଲା କି ଡିଲ୍ ? ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଙ୍କି ମାରୁଛି ।

ମେଣ୍ଟ ପାଇଁ କମର କଷିଥିଲେ !

ବିଜେଡି ଓ ବିଜେପି ରାଜ୍ୟରେ ଏକାଠି ନିର୍ବାଚନ ଲଢିବାକୁ କମର କଷିଥିଲେ । ମେଣ୍ଟ ପାଇଁ ବିଜେଡି ନେତା ଭିକେ ପାଣ୍ଡିଆନ ବାରମ୍ବାର ଦିଲ୍ଲୀ ଯାଇଥିଲେ । ଏପରିକି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ ଓ ମୋଦିଙ୍କ ମିଳିତ ପ୍ରଶଂସା ବି କରିଥିଲେ । ଉଭୟ ରାଷ୍ଟ୍ରନାୟକଙ୍କ ବନ୍ଧୁତ୍ବ ଓ ବୁଝାମଣା ଏକ ବୃହତ୍ତର ସ୍ବାର୍ଥ ପାଇଁ ହୋଇପାରେ ବୋଲି କହିଥିଲେ। ତେବେ ମେଣ୍ଟ ନକରିବାକୁ ଅଡି ବସିଥିଲା ରାଜ୍ୟ ବିଜେପି। ଶେଷରେ ମେଣ୍ଟ ହେଲାନି, ହେଲେ ନିର୍ବାଚନ ପୂର୍ବରୁ ୪ଶହ ପାରର ନାରା ଦେଉଥିବା ବିଜେପି ପାଇଁ ଓଡିଶା ଥିଲା ଗୁରୁତ୍ବପୂର୍ଣ୍ଣ। ତେଣୁ ପ୍ରଶ୍ନ ଉଠୁଛି, ରାଜ୍ୟରେ ଅଧିକ ଲୋକସଭା ସିଟ୍ ଜିତିବା ପାଇଁ ବିଜେପି ବିଜେଡି ସହ ଭିତିରିଆ ବୁଝାମଣା କରିଥିଲା କି?

ଲୋକସଭା ଟିକେଟ୍ ପଛରେ ସମଝୌତା !

ରାଜ୍ୟରେ ବିଜେପି ଏଥର ୨୦ଟି ଲୋକସଭା ସିଟ୍ ଜିତିଥିବା ବେଳେ ବିଜେଡି ଗୋଟିଏ ବି ଜିତିପାରିନି । ଏଭଳି ଫଳାଫଳ ଲୋକସଭା ଟିକେଟ୍ ପଛର ସମଝୌତାକୁ ଇଙ୍ଗିତ କରୁଛି କି ? ଦିଲ୍ଲୀ ଲଢେଇ ପାଇଁ ଏଥର ଦଳଡିଆଁଙ୍କୁ ଭରସା କରିଥିଲା ବିଜେଡି। ପ୍ରାର୍ଥୀ ତାଲିକା ଦେଖିଲା ଲାଗୁଥିଲା, ଯେମିତି ଲୋକସଭା ଲଢେଇ ପାଇଁ ଆଦୌ ପ୍ରସ୍ତୁତ ନଥିଲା ବିଜେଡି । ମୋଟ୍ ୨୧ଟି ଆସନ ମଧ୍ୟରୁ ୮ଟିରେ ଦଳବଦଳକାରୀ ନେତାଙ୍କୁ ଟିକେଟ୍ ଦେଇଥିଲା ଦଳ। କେନ୍ଦ୍ରାପଡାରେ ଅଂଶୁମାନ ମହାନ୍ତି ହୁଅନ୍ତୁ କି ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ, ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ରାଜନୀତିର ଧାର ଧରିନଥିବା ମନ୍ମଥ ରାଉତରାୟ, ପରିଣୀତା ମିଶ୍ର, ଅବିନାଶ ସାମଲଙ୍କୁ ବି ଟିକେଟ୍ ଦେଇଥିଲା । ବିଜେଡି ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରୁଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ବାଲେଶ୍ବରରୁ ପ୍ରାର୍ଥୀ କରିବା ପରେ ବିଜେଡି କର୍ମୀ ବି ତାଙ୍କୁ ଗ୍ରହଣ କରିପାରିନଥିଲେ। ପ୍ରଶ୍ନ ଉଠୁଛି, ରାଜନୀତିର ପୋଖତ ଖେଳାଳି ବିଜେଡି, ଏଭଳି ପ୍ରାର୍ଥୀଙ୍କୁ ଜିତିବାକୁ ନା ହାରିବାକୁ ଟିକେଟ୍ ଦେଇଥିଲା? ଜାଣିଶୁଣି ବିଜେପି ହାତକୁ ଲୋକସଭା ଆସନ ଟେକି ଦେବାକୁ ହୋଇଥିଲା କି ଡିଲ୍? କାରଣ ସାରା ରାଜ୍ୟରେ ସୁଦୃଢ ସଂଗଠନ ଓ ନେଟଓ୍ବର୍କିଂ ରଖିଥିବା ବିଜେଡିର ଏଭଳି ପ୍ରାର୍ଥୀ ଚୟନ ସମୀକ୍ଷକଙ୍କୁ ବି ଆଶ୍ଚର୍ଯ୍ୟ କରିଥିଲା । ପ୍ରଶ୍ନ ଉଠୁଛି, ଲୋକସଭା ପ୍ରାର୍ଥୀଙ୍କୁ ଦଳ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା କି? ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସମନ୍ବୟ ଠିକ୍ ଭାବେ ରହିଥିଲା କି? କାହିଁକି ଦିଶିଲାନି ବିଜେଡିର ଟିମ୍ ଓ୍ବର୍କ? ବିଜେପି ବାରମ୍ବାର ଟାର୍ଗେଟ୍ କରୁଥିବା ଭିକେ ପାଣ୍ଡିଆନଙ୍କୁ କାହିଁକି ସବୁ ଜାଗାରେ ଏକମାତ୍ର ଷ୍ଟାର କ୍ୟାମ୍ପେନର ଭାବେ ଦେଖାଗଲା ?

ଲୋକସଭା ଦେଉ ଦେଉ ବିଗିଡିଗଲା ବିଧାନସଭା ଅଙ୍କ !

ଚର୍ଚ୍ଚା ହେଉଛି, ଲୋକସଭା ବିଜୟ ବିଜେପି ପାଇଁ ସହଜ କରିବାକୁ ଜାଣିଶୁଣି ଯୋଗ୍ୟ ପ୍ରାର୍ଥୀ ଚୟନ କରିନଥିଲା ବିଜେଡି । ହେଲେ ଲୋକସଭା ଦେଉ ଦେଉ ବିଗିଡିଗଲା କି ବିଧାନସଭା ଅଙ୍କ ? ବିଧାନସଭାକୁ ନେଇ ଓଭର କନଫିଡେଣ୍ଟ ଥିଲା ବିଜେଡି । ନବୀନଙ୍କ ଭାବମୂର୍ତ୍ତି ବଳରେ ପୁଣି ନିର୍ବାଚନ ବୈତରଣୀ ପାର୍ ହୋଇଯିବ ଭାବିଥିଲା । ହେଲେ ବିଜେଡି ପାଇଁ ବୁମେରାଂ ହେଲେ ଭିକେ ପାଣ୍ଡିଆନ । ବିଜେପି ଲୋକସଭା ଗଣିତ ତ କଷିଲା, ଦଳକୁ ବିଧାନସଭା ବୋନସ୍ ଦେଇଦେଲେ ଜନତା । ଓଡିଆ ଅସ୍ମିତା ପ୍ରସଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରଠୁ ଜୋରଦାର ଧରିଲା। ରାଜ୍ୟବାସୀଙ୍କ ମୁଡ୍ ସୁଇଂ ବୁଝିବା ଆଗରୁ ବିଜେଡି ହାତରୁ ଖସିଯାଇଥିଲା ବାଜି । ନିଜେ ନବୀନ ପଟ୍ଟନାୟକ ଯେତେ ଉତ୍ତରାଧିକାରୀକୁ ନେଇ ସ୍ପଷ୍ଟୀକରଣ ଦେଲେ ବି କିଛି କାମ ଦେଲାନି । ଲୋକ ବିଜେଡିଠୁ ଦୂରେଇ ଯାଇଥିଲେ ।

୫ବର୍ଷ ହେଲା ଭିତିରି ବୁଝାମଣା !

ବିଜେଡି ଓ ବିଜେପି ମଧ୍ୟରେ ଗତ ୫ବର୍ଷ ହେଲା ଭିତିରି ବୁଝାମଣା ନେଇ ବାରମ୍ବାର ଚର୍ଚ୍ଚା ହୋଇଛି। ୨୦୧୯ ପରଠୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ପାଣିଚିଆ ହୋଇଯାଇଛି। ସଂସଦରେ ସମର୍ଥନ ହେଉ କି ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନରେ ଜିତାଇବା, ବିଜେପିକୁ ରାଜ୍ୟ ହିତ ନାଁରେ ବାରମ୍ବାର ସହଯୋଗ କରିଛି ବିଜେଡି । ରାଜ୍ୟ ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ବି ବିଜେଡି ସରକାରକୁ ସେଭଳି ଶାଣିତ ବିରୋଧ କରିନି । ତେଣୁ ଲୋକସଭା ସିଟ୍ ପାଇଁ ବି ଦୁଇ ଦଳ ମଧ୍ୟରେ ନିର୍ବାଚନ ପୂର୍ବରୁ ଭିତିରି ବୁଝାମଣା ହୋଇଥିବା ଚର୍ଚ୍ଚା ହେଉଛି । ହେଲେ ଲୋକ ନା ଲୋକସଭା ଗଣିତ ବୁଝିଲେ ନା ବିଧାନସଭା ଅଙ୍କ, ପରିବର୍ତ୍ତନର ନାରା ଲଗାଇ ବିଜେଡିକୁ କ୍ଷମତାଚ୍ୟୁତ କରିଦେଲେ। ବିଜେପିକୁ ଦିଲ୍ଲୀ ଲଢେଇ ପାଇଁ ସହଯୋଗ କରୁ କରୁ ରାଜ୍ୟ ବି ହରାଇଲା ବିଜେଡି ! ଏବେ ନା ବିଜେଡି ପାଖରେ ଲୋକସଭା ପ୍ରତିନିଧିତ୍ବ ଅଛି ନା ରାଜ୍ୟରେ ସରକାର । ତେଣୁ ପ୍ରଶ୍ନ ଉଠୁଛି, ଆଗକୁ ଦୁଇ ଦଳ ଭିତରେ କେମିତି ରହିବ ସଂପର୍କ?

Leave A Reply

Your email address will not be published.