Latest Odisha News

BREAKING NEWS

ଫୁଲୁଛି ଖରସ୍ରୋତା; ଆତଙ୍କରେ ଲୋକେ

ଯାଜପୁର: ଲଗାଣ ବର୍ଷାରେ ଫୁଲୁଛି ଖରସ୍ରୋତା ନଦୀ । ବନ୍ୟା ଜଳରେ ନଦୀ ଗର୍ଭକୁ ଭାଷିଯିବା ଆଶଙ୍କାରେ ବଡ଼ ତ୍ରିଲୋଚନପୁର ଗାଁ । କାରଣ ଗାଁ କୁ ସୁରକ୍ଷା ଦେବାକୁ ନାହିଁ ନଦୀ ବନ୍ଧ । ଆତଙ୍କିତ ଅବସ୍ଥାରେ ସମ୍ପୂର୍ଣ୍ଣ ଗାଁ ଲୋକେ ।

ପ୍ରତିବର୍ଷ ନଦୀ ବ୍ୟାପକ ପରିମାଣର ଆତଡା ଖାଇବା ଯୋଗୁଁ ଧିରେ ଧିରେ ପୁରା ଗାଁ ନଦୀ ଗର୍ଭକୁ ଚାଲି ଗଲାଣି । ତେଣୁ ଏବେ ଏଭଳି ସମସ୍ୟାକୁ ନେଇ ଗ୍ରାମରେ ବାସ କରୁଥିବା ପ୍ରାୟ ୨୦୦ ରୁ ଉର୍ଦ୍ଧ ପରିବାର ଭୟବିତ ଅବସ୍ଥାରେ ଅଛନ୍ତି । ଏଭଳି ସମସ୍ୟା ପାଇଁ ପୂର୍ବରୁ ଅନେକ ପରିବାର ଗାଁ ଛାଡି ଅନ୍ୟତ୍ର ଘର କରି ରହୁଛନ୍ତି । ଏଠାରେ ନଦୀବନ୍ଧ ନିର୍ମାଣ ପାଇଁ ପୂର୍ବରୁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ଯଦି ଯଥାଶିଘ୍ର ଏହି ସମସ୍ୟାର ସମାଧାନ କରା ନଯାଏ, ତେବେ ଏହି ଗାଁ ଟି ସମ୍ପୂର୍ଣ୍ଣ ନଦୀ ଗର୍ଭକୁ ଚାଲିଯିବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ।

ଏହାସହ ପୂର୍ବରୁ ଅନେକ ସମୟରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ଯାଜପୁର ଜିଲ୍ଲା କୋରାଇ ବ୍ଲକ ଗୋଳେଇପୁର ପଂଚାୟତର ବଡତ୍ରିଲୋଚନପୁର ଗାଁ ଲୋକେ । ସେମାନେ ଦେଖିଛନ୍ତି ପ୍ରଳୟଙ୍କାରୀ ବନ୍ୟାର ବିଭିଷିକା । ଗାଁ କଡରେ ବହି ଯାଇଛି ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା । ହେଲେ ଗାଁ କୁ ସୁରକ୍ଷା ଦେବାକୁ ଏଠାରେ ନାହିଁ ନଦୀ ବନ୍ଧ । ଫଳରେ ପ୍ରତ୍ୟେକ ବର୍ଷ ନଦୀରେ ବନ୍ୟା ଆସିଲେ ନଦୀ ଆତଡା ଖାଇବା ସହ ଗାଁରେ ବନ୍ୟାଜଳ ପ୍ରବେଶ କରି ଅନେକ କିଛି କ୍ଷୟକ୍ଷତି ଘଟାଏ ।

ଚାଷୀର ପରିଶ୍ରମ ଉଜୁଡି ଯିବା ସହ ନଷ୍ଟ ହୋଇଯାଏ ଏକର ଏକର ପନିପରିବା ଚାଷ । ତେଣୁ ଯଥାଶିଘ୍ର ଏଠାରେ ବନ୍ଧ ନିର୍ମାଣ କରାଯିବା ସହ ପଥର ପ୍ୟାକିଂ କରିବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.