Latest Odisha News

BREAKING NEWS

ଓଡ଼ିଶା ବିଶ୍ୱକପ ହକି: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସେମିଫାଇନାଲକୁ ଉନ୍ନୀତ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ବିଶ୍ୱକପ ହକିରେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ଜିତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ସନ୍ଧ୍ୟା ୫ଟା ବେଳେ ଅନୁଷ୍ଠିତ ୧ମ କ୍ୱାର୍ଟର୍ ଫାଇନାଲରେ ଚିତାକର୍ଷକ ଖେଳ ପ୍ରଦର୍ଶନ କରି ଇଂଲଣ୍ଡ ଦଳ ଅଲିମ୍ପିକ ବିଜେତା ଆର୍ଜେଣ୍ଟିନାକୁ ୩-୨ ଗୋଲରେ ପରାସ୍ତ କରିଛି । ଇଂଲଣ୍ଡ ପକ୍ଷରୁ ବେରୀ ମିଡ଼ଲଟନ, ୱିଲ୍ କାଲନାନ ଏବଂ ହ୍ୟାରୀ ମାର୍ଟିନ ଗୋଟିଏ କରି ଗୋଲ ସ୍କୋର କରିଥିଲେ । ପରାଜିତ ଆର୍ଜେଣ୍ଟିନା ଦଳ ପକ୍ଷରୁ ଗୋନଜାଲୋ ପିଲାଟ୍ ୨ଟି ଗୋଲ୍ ସ୍କୋର କରିଥିଲେ ।

ସେହିପରି ରାତି ୭ଟା ବେଳେ ଅନୁଷ୍ଠିତ ହୋଇଥିବା ୨ୟ କ୍ୱାର୍ଟର୍ ଫାଇନାଲରେ ବିଶ୍ୱର ୧ ନଂ ହକି ଦଳ ଅଷ୍ଟ୍ରେଲିଆ ଦଳ ସମ୍ପୂର୍ଣ୍ଣ ମ୍ୟାଚରେ ପ୍ରଭାବ ବିସ୍ତାର କରି ଉନ୍ନତ ଖେଳ ପ୍ରଦର୍ଶନ କରି ବିପକ୍ଷ ଫ୍ରାନ୍ସ ଦଳକୁ ୩-୦ ଗୋଲରେ ପରାସ୍ତ କରିଛି । ଏହି ବିଜୟ ଦ୍ୱାରା ବିଶ୍ୱକପରେ ଅପରାଜିତ ରହିଥିବା କୋକାବୁରା ଦଳ ସେମିଫାଇନାଲକୁ ଉନ୍ନୀତ ହୋଇପାରିଛି । ଅଷ୍ଟ୍ରେଲିଆ ତରଫରୁ ଜେରେମି ହେୱାର୍ଡ଼ ମ୍ୟଚର ମାତ୍ର ୪ ମିନିଟରେ ୧ମ ଗୋଲ ସ୍କୋର କରିଥିଲେ । ଅନ୍ୟ ଦୁଇଟି ଗୋଲ ବ୍ଲାକ ଗ୍ରୋଭର୍ ଏବଂ ଆରାନ ଜେଲେସ୍କି ସ୍କୋର କରି ଦଳକୁ ସେମିଫାଇନାଲରେ ପହଞ୍ଚାଇଥିଲେ।

ଗୁରୁବାର ଦିନ ଭାରତୀୟ ଦଳ ହଲାଣ୍ଡକୁ ଭେଟୁଥିବା ବେଳେ ୨ୟ କ୍ୱାର୍ଟର ଫାଇନାଲରେ ବେଲଜିୟମ ଜର୍ମାନୀ ଦଳକୁ ଭେଟୁଛି ।

Leave A Reply

Your email address will not be published.