Latest Odisha News

ଆହୁରି ୧୦ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ମେ’୪ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ୱର: ଲଗାତାର ୧୦ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଶାବାସୀ ଆହୁରି ୧୦ ଦିନ ଗରମରେ ଛଟପଟ ହେବେ। ଆଗକୁ ଆହୁରି ଜଳିବେ, ସିଝିବେ ଏ ନିଆଁ ମାଡ଼ରେ। ଆଶା ଥିଲା ଏହି କାଳବୈଶାଖୀ ଯୋଗୁଁ ପାଗରେ ପରିବର୍ତ୍ତନ ଆସିବ। କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ସେହିଭଳି ବର୍ଷା ହେଲା ନାହିଁ। ଏପ୍ରିଲରେ ଓଡ଼ିଶାରେ ସ୍ବାଭାବିକ ଭାବେ ୧ ରୁ ୩ ଦିନ ହିଟ୍‌ୱେଭ୍‌ ଅନୁଭୂତ ହେଉଥିବା ବେଳେ ଏଥର ସବୁ ରେକର୍ଡ ଭାଙ୍ଗିଛି।

ଚଳିତ ଏପ୍ରିଲରେ ଆଜି ସୁଦ୍ଧା ରାଜ୍ୟରେ ୧୨ ଦିନ ଗ୍ରୀଷ୍ମ ପ୍ରବାହ ହୋଇଛି। ଏପ୍ରିଲ ୫ ଓ ୬ରେ ପ୍ରଥମ ପର୍ଯ୍ୟାୟ ହିଟ୍‌ୱେଭ୍‌ ହୋଇଥିବା ବେଳେ ଏପ୍ରିଲ ୧୫ରୁ ଏପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ହିଟ୍‌ୱେଭ୍‌ ଜାରି ରହିଛି। ଆସନ୍ତା ୪ ରୁ ୫ ତାରିଖ ଯାଏ ତାତିର ବଡ଼ ଧରଣର ଆଶ୍ୱସ୍ତି ଆଶା ଦେଖାଯାଉନି। ଏହାପରେ ବର୍ଷା ହେବ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ପାଣିପାଗ ବିଭାଗ କହିବା ଅନୁଯାୟୀ, ମେ ପହିଲା ବେଳକୁ ଉପକୂଳ ଓ ଉତ୍ତର ଓଡ଼ିଶାକେ ବର୍ଷା ହୋଇପାରେ। ଏହା ସାମାନ୍ୟ ଆଶ୍ୱସ୍ତି ଦେଇପାରେ। ମାତ୍ର ତାପରେ ବି ତାତିରେ ଲାଗିବନି ବ୍ରେକ୍।

ରାଜ୍ୟର କିଛି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତଥା କିଛି ସ୍ଥାନରେ ହିଟ୍‌ୱେଭ୍‌ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି। ୨୫ରୁ ୨୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୧ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ। ମାତ୍ର ୨୬ରୁ ୨୮ ତାରିଖ ମଧ୍ୟରେ ସାରା ଓଡ଼ିଶାରେ ହିଟ୍‌ୱେଭ୍‌ ଲାଗିରହିବ। ଭଦ୍ରକ, ମୟୂରଭଞ୍ଜ, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଡେଇଁବା ନେଇ ପୂର୍ବାନୁମାନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଭୁବନେଶ୍ବର ସମେତ ନୂଆପଡ଼ାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରି ରହିଥିଲା। ୨୪ଟି ସହରରେ ପାରଦ ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ନୂଆପଡ଼ା, ଭୁବନେଶ୍ବର ବ୍ୟତୀତ ଝାରସୁଗୁଡ଼ାରେ ୪୩.୧, ବାରିପଦା ଓ ପାରଳାଖେମୁଣ୍ଡିରେ ୪୨.୫, ଚାନ୍ଦବାଲି, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ୪୨.୨, ଟିଟିଲାଗଡ଼, ଯାଜପୁର ଓ ଢେଙ୍କାନାଳର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରହିଥିଲା।

Leave A Reply

Your email address will not be published.