Latest Odisha News

ଯାହା କରିଛି ବିଜେପି, ସବୁ ହଟାଉଛି କଂଗ୍ରେସ!

ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ବିଜେପି ଯୋଜନାକୁ ବନ୍ଦ କରୁଥିବା କର୍ଣ୍ଣାଟକର କଂଗ୍ରେସ ସରକାର ଜାତୀୟ ଶିକ୍ଷାନୀତିକୁ ହଠାତ ବନ୍ଦ କରିବା ଯୋଜନାରେ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ।

ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକର କେନ୍ଦ୍ରର ଜାତୀୟ ଶିକ୍ଷା ନୀତି ଲାଗୁ କରିଥିଲା। ସ୍କୁଲ ପାଠ୍ୟକ୍ରମରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ବହୁ ନୂଆ ପାଠ୍ୟକ୍ରମକୁ ବାଦ ଦିଆଯିବାକୁ ପ୍ରକ୍ରିୟା ଆରମ୍ଭ ହେବା ପରେ ଉଚ୍ଚଶିକ୍ଷା କ୍ଷେତ୍ରରେ କଣ ହେବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

କିନ୍ତୁ କଂଗ୍ରେସ ସରକାର ହଠାତ ଜାତୀୟ ଶିକ୍ଷାନୀତିକୁ ବନ୍ଦ କରିବାକୁ ବ୍ୟସ୍ତ ନୁହେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଏମ ସି ସୁଧାକର କହିଛନ୍ତି। ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଚର୍ଚ୍ଚା ହେବା ସହ ପରୀକ୍ଷାନିରୀକ୍ଷା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

କିନ୍ତୁ ଇସ୍ତାହାରରେ କଂଗ୍ରେସ ଜାତୀୟ ଶିକ୍ଷାନୀତିକୁ ଉଚ୍ଛେଦ କରି ରାଜ୍ୟର ନୀତି ଆପଣାଇବାକୁ କହିଥିଲା। ୨୦୨୧ ଅଗଷ୍ଟ ମାସରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ ଭାବେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି ଲାଗୁ କରିଥିଲା।

କିନ୍ତୁ ବିଦ୍ୟାଳୟ ଶିକ୍ଷାରେ ଗୈରିକରଣ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି। କେନ୍ଦ୍ରର ବିଜେପି ସରକାରକୁ ଖୁସି କରିବା ପାଇଁ ସେତେବେଳେର ରାଜ୍ୟ ବିଜେପି ସରକାର ଜାତୀୟ ଶିକ୍ଷା ନୀତି ଲାଗୁ କରିଥିଲେ।

ତେଣୁ ଏବେର କଂଗ୍ରେସ ସରକାର ସେସବୁଥିରେ କିଛି ଗୁପ୍ତ ଏଜେଣ୍ଡା ଅଛି କି ନାହିଁ ତାର  ତଦାରଖ କରିବା ସହ ପରବର୍ତ୍ତୀ ନିଷ୍ପତ୍ତି ନେବ। ତେଣୁ ଏହାକୁ ନେଇ କର୍ଣ୍ଣାଟକରେ ଲାଗୁ ହୋଇଥିବା ଜାତୀୟ ଶିକ୍ଷା ନୀତିର ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନ ଛିଡା ହୋଇଛି।

ତେଣୁ ବିଜେପି ସରକାର ଦ୍ୱାରା ନିଆଯାଇଥିବା ଗୋଟିଏ ପରେ ଗୋଟିଏ ନିଷ୍ପତ୍ତିକୁ ବନ୍ଦ କରିଚାଲିଛି କଂଗ୍ରେସ ସରକାର। ଏହାଦ୍ୱାରା କର୍ଣ୍ଣାଟକବାସୀ କେତେ ଲାଭ ପାଇବେ କିମ୍ବା କ୍ଷତି ସହିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

Comments are closed.