Latest Odisha News

ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ହୋଟେଲକୁ ଡାକି ପାଣ୍ଡିଆନଙ୍କୁ ଧମକାଇଥିଲେ ଅମିତ ଶାହ

ଭୁବନେଶ୍ୱର:ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିବା ବେଳେ  ଏକ ହୋଟେଲରେ ୫ଟି ସଚିବଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ଆଲୋଚନା ନେଇ ସେତେବେଳେ ବେଶ ଆଲୋଚନା ହେଉଥିଲା । ଏହି  ରୁଦ୍ଧ କୋଠାରୀ ଆଲୋଚନାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । ପାଣ୍ଡିଆନଙ୍କ ସହ କି ଆଲୋଚନା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ? ସମସ୍ତଙ୍କ ମନରେ ଥିଲା  ଏହି ପ୍ରଶ୍ନ । ଏହି ଗୁପ୍ତ ଆଲୋଚନା ଉପରୁ ପରଦା ହଟାଇଛନ୍ତି ବିରୋଧ ଦଳ ନେତା ଜୟନରାୟଣ ମିଶ୍ର ।

ଆଜି ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରି  ବିରୋଧୀଦଳ ନେତା ଜୟନାରୟଣ ମିଶ୍ର କହିଛନ୍ତି, ରାଜଧାନୀର ଏକ ଘରୋଇ ହୋଟେଲରେ ଗୃହମନ୍ତ୍ରୀ ଅମିତ ଶାହ ଓ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ  ‘ମୋ ପାଖରେ ଯେଉଁ ଖବର ଅଛି ସେଦିନ ପାଣ୍ଡିଆନଙ୍କୁ ଅମିତ ଶାହ ହୋଟେଲକୁ ଡାକି ଧମକାଇଥିଲେ। ରାଜ୍ୟରେ କାହିଁକି ଆଗୁଆ ନିର୍ବାଚନ କରିବ ବୋଲି ବି ପ୍ରଶ୍ନ କରିଥିଲେ?’ ବୋଲି କହିଛନ୍ତି ଜୟନାରାୟଣ ।

ସେତିକି ନୁହେଁ, ଯଦି ଆଗୁଆ ବିଧାନସଭା କରାଯାଏ ତେବେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବ ବୋଲି ମଧ୍ୟ ଶାହ କୁଆଡେ ଚେତାବନୀ ଦେଇଥିଲେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

‘ବିଧାନସଭା ଭାଙ୍ଗିବା ଅଧିକାର ତମର ନାହିଁ। ନଚେତ୍ ଆମେ ରାଷ୍ଟ୍ରପତି ଶାସନ ଲାଗୁ କରିବୁ’ ବୋଲି ପାଣ୍ଡିଆନଙ୍କୁ ଅମିତ୍ ଶାହ କହିଥିଲେ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଜୟନାରାୟଣ ମିଶ୍ର କହିଥିଲେ, କେନ୍ଦ୍ର ମନ୍ତ୍ରୀ ଜାଣନ୍ତି, ଏଠି ମୁଖ୍ୟମନ୍ତ୍ରୀଙ୍କର କିଛି କ୍ଷମତା ନାହିଁ । ଏଠି ମୁଖ୍ୟ ଶାସନ ସଚିବଙ୍କର ମଧ୍ୟ  କ୍ଷମତା ସଙ୍କୁଚିତ ବୋଲି ସେ କହିଥିଲେ ।

ବିରୋଧୀ ଦଳ ନେତାଙ୍କ ଏହି ବିସ୍ଫୋରକ ବୟାନ ଏବେ ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି । ତେବେ ଏ ନେଇ ବିଜେଡିର କୌଣସି ନେତାଙ୍କର ପ୍ରତିକ୍ରିୟା ଦିଆଯାଇ ନାହିଁ ।

Leave A Reply

Your email address will not be published.