Latest Odisha News

BREAKING NEWS

New Education Minister: ଧର୍ମେନ୍ଦ୍ରଙ୍କ ସ୍ଥାନରେ ପ୍ରହ୍ଲାଦ ଯୋଶୀ, କେତେ ପାଠ ପଢ଼ିଛନ୍ତି ଦେଶର ନୂଆ ଶିକ୍ଷାମନ୍ତ୍ରୀ? ଜାଣନ୍ତୁ ତାଙ୍କ ରାଜନୈତିକ ଯାତ୍ରା…

ନୂଆଦିଲ୍ଲୀ: ୨୦୨୬ର NEET ବିବାଦ ପରେ ଜୁଲାଇ ୨୫ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ବରିଷ୍ଠ ବିଜେପି ନେତା ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ରାଜନୈତିକ ଅଭିଜ୍ଞତା ଓ ଏକାଧିକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିବା ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଦେଶର ଶିକ୍ଷା ବ୍ୟବସ୍ଥାର ନେତୃତ୍ୱ ନେବେ। ଏହାପରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ରାଜନୈତିକ ଯାତ୍ରାକୁ ନେଇ ଚର୍ଚ୍ଚା ବଢ଼ିଛି।

କେତେ ପାଠ ପଢ଼ିଛନ୍ତି ନୂଆ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ?

ପ୍ରହ୍ଲାଦ ଯୋଶୀ ବ୍ୟାଚେଲର ଅଫ୍ ଆର୍ଟସ୍ (B.A.) ଡିଗ୍ରୀ ହାସଲ କରିଛନ୍ତି। ସେ କର୍ଣ୍ଣାଟକର ହୁବ୍‌ବଲ୍ଲୀସ୍ଥିତ କେ.ଏସ୍. ଆର୍ଟସ୍ କଲେଜରୁ ସ୍ନାତକ ପାସ୍ କରିଥିଲେ। ଏହି କଲେଜ କର୍ଣ୍ଣାଟକ ୟୁନିଭର୍ସିଟି, ଧାରୱାଡ଼ ସହ ଅନୁବନ୍ଧିତ। ପ୍ରାଥମିକ ଶିକ୍ଷା ସେ ରେଲୱେ ସ୍କୁଲରେ ଗ୍ରହଣ କରିଥିବା ବେଳେ ପରେ ହୁବ୍‌ବଲ୍ଲୀର ନ୍ୟୁ ଇଂଲିଶ୍ ସ୍କୁଲରେ ପଢ଼ିଥିଲେ।

୧୯୬୨ ନଭେମ୍ବର ୨୭ରେ କର୍ଣ୍ଣାଟକର ବିଜୟପୁରା (ପୂର୍ବତନ ବିଜାପୁର)ରେ ପ୍ରହ୍ଲାଦ ଯୋଶୀଙ୍କ ଜନ୍ମ ହୋଇଥିଲା। ତାଙ୍କ ବାପା ଭାରତୀୟ ରେଳବାଇରେ କାର୍ଯ୍ୟରତ ଥିଲେ। ଛାତ୍ରଜୀବନରୁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ସହ ଜଡ଼ିତ ଥିଲେ। ପରେ ସଂଗଠନ ଓ ରାଜନୈତିକ କାର୍ଯ୍ୟକଳାପ ମାଧ୍ୟମରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ।

ପ୍ରହ୍ଲାଦ ଯୋଶୀ ୨୦୦୪ ମସିହାରୁ କର୍ଣ୍ଣାଟକର ଧାରୱାଡ଼ ଲୋକସଭା ଆସନରୁ କ୍ରମାଗତ ପାଞ୍ଚ ଥର ସାଂସଦ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ସେ ବିଜେପିର କର୍ଣ୍ଣାଟକ ରାଜ୍ୟ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

କେନ୍ଦ୍ର ସରକାରରେ ସେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଛନ୍ତି। ସେଥିରେ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ, ଖଣି ମନ୍ତ୍ରଣାଳୟ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଭଳି ଦାୟିତ୍ୱ ରହିଛି। ବର୍ତ୍ତମାନ ମଧ୍ୟ ସେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱରେ ଅଛନ୍ତି।

୨୦୨୬ର NEET ବିବାଦ ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ପରିଚାଳନାକୁ ନେଇ ଉଠିଥିବା ପ୍ରଶ୍ନ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସେ ପୂର୍ବରୁ ଥିବା ଦୁଇଟି ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଜାରି ରଖିବେ।

ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶା ଅନୁଯାୟୀ କାମ କରିବା ସହ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ସର୍ବୋତ୍ତମ ପ୍ରୟାସ କରିବେ।

Leave A Reply

Your email address will not be published.