Heavy Rain Alert: ଓଡ଼ିଶାରେ ପ୍ରବଳ ବର୍ଷିବ! କେନ୍ଦୁଝରକୁ ରେଡ୍ ଆଲର୍ଟ, ୩୧ ଯାଏଁ ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ରବିବାର ପାଇଁ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଶନିବାର ୬ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା। ରବିବାର କେନ୍ଦୁଝର ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ରବିବାର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼,ସମ୍ବଲପୁର,ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼ ରହିଛି । ସେହିପରି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର (ସୋନପୁର), ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଳ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହାବ୍ୟତୀତ ସମଗ୍ର ରାଜ୍ୟରେ ବଜ୍ରପାତ ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ବର୍ତ୍ତମାନର ଲଘୁଚାପ ଆସନ୍ତା ଦୁଇ ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ।
ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୩ଟି ସ୍ଥାନରେ ୮ ସେଣ୍ଟିମିଟରରୁ ଅଧିକ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା (ଫ୍ଲାସ୍ ଫ୍ଲଡ୍) ଆଶଙ୍କା ବଢ଼ିଛି।
ଅନ୍ୟପଟେ ଉତ୍ତର ଉପକୂଳ ଓଡ଼ିଶାର ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ରରେ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଜୁଲାଇ ୨୭ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ଏପଟେ ଏଲ୍ ନିନୋ ପ୍ରଭାବ ଥିବା ସତ୍ତ୍ୱେ ଚଳିତ ବର୍ଷ ଓଡ଼ିଶାର ମୌସୁମୀ ବର୍ଷା ଭଲ ପ୍ରଦର୍ଶନ କରିଛି। ଜୁନ୍ ମାସରେ ରାଜ୍ୟରେ ୪୬ ପ୍ରତିଶତ ବର୍ଷା ନିଅଣ୍ଟ ଥିଲା। କିନ୍ତୁ ଜୁଲାଇର ପ୍ରଥମ ୨୫ ଦିନରେ ହୋଇଥିବା ଲଗାଣ ବର୍ଷା ସେହି ଘାଟତିକୁ ପୂରଣ କରିଛି। ବର୍ତ୍ତମାନ ରାଜ୍ୟରେ ଋତୁକାଳୀନ ବର୍ଷା ସ୍ୱାଭାବିକଠାରୁ ୧୯ ପ୍ରତିଶତ ଅଧିକ ରହିଛି, ଯାହା କୃଷି ଓ ଚାଷୀଙ୍କ ପାଇଁ ଆଶ୍ୱସ୍ତିକର ଖବର।
ପ୍ରଶାସନ ପକ୍ଷରୁ ତଳିଆ ଓ ବନ୍ୟାପ୍ରବଣ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା, ଅନାବଶ୍ୟକ ଯାତ୍ରା ଏଡ଼ାଇବା ଏବଂ ପାଣିପାଗ ବିଭାଗର ସରକାରୀ ସୂଚନା ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।