Latest Odisha News

BREAKING NEWS

ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବାରେ କଣ ଚାଲିଥିଲା ?

ଭୁବନେଶ୍ବର: କିଏ କହୁଛନ୍ତି ରଙ୍ଗଶାଳା ତ କିଏ କହୁଛନ୍ତି ମଉଜ କରୁଥିଲେ ବିଜେଡି ନେତା । ପୁଣି କିଏ କହୁଛନ୍ତି ଆସୁଥିଲେ ସେଲିବ୍ରିଟି । ଯାଜପୁର ଜିଲ୍ଲା ଧର୍ମଶାଳାରେ ରହିଥିବା ବଲ୍ଲେ ବଲ୍ଲେ ଢାବା ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଜଣେ ବିଜେଡି ନେତ୍ରୀ ଚଳାଉଥିବା କୁହାଯାଉଛି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଦମ୍ଭରେ ନେତ୍ରୀଙ୍କ ତତ୍ୱାବଧାନରେ ଢାବା ଚାଲିଥିବା କୁହାଯାଉଛି । ନବନିର୍ବାଚିତ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ ପରେ ଢାବା ସିଲ୍ କରିବାକୁ ଲଟକା ଲଗାଇଥିଲା ବ୍ଲକ ପ୍ରଶାସନ । ବ୍ଲକ ଉନ୍ନୟନ କାମର ସମୀକ୍ଷା ବେଳେ ଢାବା ଲିଜକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ । ଏହାପରେ ଢାବା ଖାଲି କରିଛନ୍ତି କର୍ମଚାରୀ ।

ଢାବାରେ କଣ ଚାଲିଥିଲା ?
ବିନା କାଗଜପତ୍ରରେ ବେଆଇନ୍ ଭାବେ ବିଜେଡି ନେତ୍ରୀଙ୍କୁ ଢାବା ଖୋଲିବାକୁ ଅନୁମତି ଦିଆଯାଇଥିବା ଅଭିଯୋଗ ହୋଇଛି । କୁହାଯାଉଛି, ବଲ୍ଲେ ବଲ୍ଲେ ଢାବା ପଛରେ ରହିଥିଲା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଭୟ ହାତ । ଢାବାକୁ ନେଇ ସ୍ଥାନୀୟ ଲୋକ ଅନେକ ବିବାଦୀୟ କଥା କହୁଛନ୍ତି । ଦିନରେ ଢାବା ଚାଲିଥିବା ବେଳେ ଏହା ରାତିରେ ରଙ୍ଗଶାଳା ପାଲଟୁଥିବା ଅଭିଯୋଗ କରୁଛନ୍ତି । ଏପରିକି ବିଜେଡି ନେତା ଓ ମନ୍ତ୍ରୀ ଏଠାକୁ ଆସୁଥିଲେ, ବଡ ବଡ ଗାଡି ଲାଗୁଥିଲା । ବାହାରୁ ଆସୁଥିବା ଝିଅମାନେ ଢାବା ଉପରେ ଥିବା ଲଜରେ ରହୁଥିବା ବି କହୁଛନ୍ତି ସ୍ଥାନୀୟ ଲୋକେ ।

ଧର୍ମଶାଳା ଭବନ କାହାଣୀ
ଯାଜପୁର ନେଉଳପୁରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର ହୋଇଥିଲା ଧର୍ମଶାଳା ଭବନ । ଲୋକଙ୍କ ସୁବିଧା ପାଇଁ ପୂର୍ବରୁ ଧର୍ମଶାଳା ଭବନ ବ୍ୟବହାର କରାଯାଉଥିଲା । ପୂର୍ବରୁ ମାତ୍ର ୪ହଜାର ଟଙ୍କାରେ ବିବାହ କରାଯାଇ ପାରୁଥିଲା । ହେଲେ ଏବେ ଭଡା ୬୫ହଜାରରେ ପହଞ୍ଚିଲାଣି । ଗୋଚର ଜମିରେ ରହିଥିବା ଧର୍ମଶାଳା ଭବନ ସରକାରୀ ତଥା ବିଧାୟକ ଓ ସାଂସଦଙ୍କ ହାତପାଣ୍ଠିରେ ରାଜସ୍ୱ ବଢାଇବା ଲକ୍ଷ୍ୟରେ ନିର୍ମାଣ କରାଯାଇଥିଲା । ଧର୍ମଶାଳା ଭବନ ପରିସରରେ ରହିଛି ବଲ୍ଲେ ବଲ୍ଲେ ଢାବା । ଯାହା ଜଣେ ବିଜେଡି ନେତ୍ରୀ ଚଳାଉଥିବା କୁହାଯାଉଛି ।

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ବେଆଇନ୍ ବଙ୍ଗଳା ନିର୍ମାଣକୁ ନେଇ ଅଭିଯୋଗ ଉଠିଥିବା ବେଳେ ପ୍ରଣବ ବଳବନ୍ତରାୟ ଢାବା ଓ ଧର୍ମଶାଳା ଭବନକୁ ନେଇ ବିବାଦରେ ଛନ୍ଦି ହେଲେଣି । ତେବେ ଏପର୍ଯ୍ୟନ୍ତ ନା ସଂପୃକ୍ତ ବିଜେଡି ନେତ୍ରୀ ନା ପ୍ରଣବ ବଳବନ୍ତରାୟ, କେହିବି ପ୍ରତିକ୍ରିୟା ରଖିନାହାନ୍ତି । ଢାବା ଭିତରେ ବେଆଇନ୍ କାରବାର ଚାଲିଥିବା ନେଇ ଅଭିଯୋଗ ହେଉଥିବା ବେଳେ, ଏହା କେତେ ସତ ? ସତରେ କଣ ବିଜେଡି ନେତା ଏଠାରେ ଆଡ୍ଡା ଜମାଉଥିଲେ ? କାହା ହାତରେ ଥିଲା ଧର୍ମଶାଳା ଭବନ ରକ୍ଷଣା ବେକ୍ଷଣ ଦାୟିତ୍ୱ ? ପୂରା ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.