Latest Odisha News

କେବଳ କଥା କହି କଣ ବିଜେଡିଠୁ ଜିତିବେ?

ଭୁବନେଶ୍ୱର: ପ୍ରାୟ ସବୁ ନିର୍ବାଚନ ଜିତୁଛନ୍ତି। ସଦ୍ୟ ସମାପ୍ତ ଅତାବିରା ହିନ୍ଦୋଳ ଏନଏସି ନିର୍ବାଚନରେ ଏକ ପାଖିଆ ବିଜୟ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା। ଆଗୁଆ ପର୍ଯ୍ୟବେକ୍ଷକ ଘୋଷଣା। ଆଉ ଏବେ ବ୍ଲକୱାରୀ ନେତାଙ୍କୁ ଦାୟିତ୍ୱ ବଣ୍ଟନ।

ତାହା ପୁଣି ବରିଷ୍ଠ ମନ୍ତ୍ରୀ ବିଧାୟକଙ୍କୁ ବ୍ଲକ ଦାୟୀତ୍ୱ। ଏ ହେଉଛି ରାଜ୍ୟର ଶାସକ ଦଳ ବିଜେଡିର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି। କିନ୍ତୁ ଏ ଯାଏ ବିଜେପି କଂଗ୍ରେସର ପ୍ରାର୍ଥୀଙ୍କର ଦେଖା ନାହିଁ।

ଅବଶ୍ୟ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇନି। ଏପରିକି ପୂର୍ବ ଉପନିର୍ବାଚନ ଗୁଡିକରେ ପ୍ରାର୍ଥୀପତ୍ର ଦାଖଲ ବେଳେ ମଧ୍ୟ ପ୍ରାର୍ଥୀ ଘୋଷଣା ହୁଏ ଓ ଖୋଦ ବିଜେଡି ମଧ୍ୟ ବିଭିନ୍ନ ସମୟରେ ଶେଷରେ ପ୍ରାର୍ଥୀ ଘୋଷଣା କରିଛି।

କିନ୍ତୁ ଝାରସୁଗୁଡ଼ା ଉପନିର୍ବାଚନ ବିଭିନ୍ନ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱ ରଖୁଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ନିର୍ବାଚନ ବୋଲି କୁହାଯାଉଛି। ଏଠି ଯିଏ ଜିତିବ ଓ ଅଧିକ ବ୍ୟବଧାନରେ ଜିତିବ ସେ ଦଳ ନିଜ ସପକ୍ଷରେ ଏକ ବାତାବରଣ ତିଆରି କରିପାରିବ।

ଯେଉଁଥିପାଇଁ ତତ୍ପର ବିଜେଡି। କିନ୍ତୁ ବିରୋଧୀ କେବଳ କଥାରେ ବହୁତ କଥା କହୁଥିବା ବେଳେ କାମରେ କିନ୍ତୁ ବହୁତ ପଛରେ ପଡି ଯାଇଥିବା ଦେଖିବାକୁ ମିଳିଛି।

ବିଜେଡି ବ୍ଲକ ଗାଁ ସ୍ତରରେ ନେତାଙ୍କୁ ସଜେଇ ସାରିଲାଣି କିନ୍ତୁ ବିରୋଧୀ ଭୁବନେଶ୍ୱରରେ ଅଙ୍କ କସୁଛନ୍ତି। ଏପରିକି ବିଭିନ୍ନ ନିର୍ବାଚନ ଓ ଉପନିର୍ବାଚନ ଇତିହାସକୁ ଦେଖିଲେ ବିଜେଡି ସହ ଟକ୍କର ଦେବାକୁ ବିରୋଧୀ ସକ୍ଷମ ହୋଇପାରିନାହାନ୍ତି।

ଏପରିକି ଗତ କିଛି ମାସ ତଳେ ଶେଷ ହୋଇଥିବା ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଉପନିର୍ବାଚନରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଅମାନତ ହରାଇଥିଲା। କଂଗ୍ରେସ ଦ୍ଵିତୀୟ ସ୍ଥାନ ପାଇଲେ ମଧ୍ୟ ସେତେ ଅଧିକ ଭୋଟ ପାଇ ନ ଥିଲା।

ତେଣୁ ଏଭଳି ସ୍ଥିତିରେ ବିରୋଧୀଙ୍କ ଧୀର ପ୍ରକ୍ରିୟାକୁ ନେଇ ଚର୍ଚା ଆରମ୍ଭ ହୋଇଛି। ତେଣୁ ଏଭଳି ଢଙ୍ଗରେ କାର୍ଯ୍ୟ କଲେ ଶାସକ ବିଜେଡିକୁ ବିରୋଧୀ କିଭଳି ସମ୍ମୁଖୀନ ହେବେ ତାକୁ ନେଇ ସାଧାରଣରେ ଚର୍ଚା ଆରମ୍ଭ ହୋଇଛି।

Comments are closed.