Latest Odisha News

BREAKING NEWS

ଅନୁଭବ କାହିଁକି ପ୍ରଚାର ତାଲିକାରୁ ବାଦ୍ ପଡ଼ିଲେ ଜବାବ ରଖିଲେ ଦେବାଶିଷ

କଟକ: ସୋଶିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ପ୍ରାୟ ଅଧ ଘଣ୍ଟାଏର ଏକ ଭିଡିଓ ଜାରି କରି ନିଜ ଭିତରେ ଥିବା ଅନେକ ଦୁଃଖକୁ ସର୍ବସାଧାରଣକୁ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ କଳାକାର ଅନୁଭବ ମହାନ୍ତି। ସେ ତାଙ୍କ ଭିଡିଓରେ ନିଜର ରାଜନୈତିକ କ୍ୟାରିଅରକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

କଟକ ବାରବାଟୀର ପୁର୍ବତନ ବିଧାୟକ ତଥା କେନ୍ଦ୍ରାପଡା ବିଜେଡିର ପର୍ଯ୍ୟବେକ୍ଷକ ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି, ଅନୁଭବ ଜଣେ ସାଂସଦ । ସେ ଜିଲ୍ଲାର ସମସ୍ତ ବୈଠକରେ ଉପସ୍ଥିତ ରହିବାକୁ ଏବେ ବି ଦଳ ତରଫରୁ ଡାକରା ଯାଏ । ମୁଁ ତାଙ୍କର ଭିଡିଓଟିକୁ ଦେଖିଛି । ସେ ଅନେକ କଥା କହିଛନ୍ତି। ଭିଡିଓରେ ସେ ତାଙ୍କ ପତ୍ନୀଙ୍କ ସହ ଥିବା ସଂପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।

ତେବେ ପତ୍ନୀ ବର୍ଷାଙ୍କ ସହ ବିବାଦ ପରେ ଦଳ ପକ୍ଷରୁ ଅନୁଭବଙ୍କୁ ଦୂରେଇ ରଖାଯିବା ନେଇ ଯେଉଁ ଗୁଜବ ଚାଲିଛି ତାହା ଭିତ୍ତିହୀନ ବୋଲି ଦେବାଶିଷ କହିଛନ୍ତି। ସେ କେନ୍ଦ୍ରାପଡ଼ାର ସାଂସଦ ହୋଇଥିବାରୁ ଜିଲ୍ଲାର ସମସ୍ତ ସଭାସମିତିକୁ ତାଙ୍କୁ ନିୟମିତ ନିମନ୍ତ୍ରଣ କରାଯାଉଛି। ସେ କିନ୍ତୁ ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ କେଉଁଠି ପ୍ରଚାର କରୁଥିଲେ ତାହା ସେ ଦେଖିନାହାନ୍ତି ବୋଲି କହିଛନ୍ତି।

ଯଦିଓ ଏହି ଭିଡିଓରେ ସେ ତାଙ୍କ ଭୋଟର ଓ ପ୍ରଶଂସକଙ୍କ ବିଷୟରେ ଅନେକ କିଛି କହିଛନ୍ତି, କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ ସେ କ’ଣ କରିଛନ୍ତି ସେ ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି। ଜଣେ ରାଜନେତା ଓ ନେତା ଭାବେ ତାଙ୍କ ସଫଳତାକୁ ଲୋକେ କେମିତି ଦେଖୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ଦେବାଶିଷ କହିଛନ୍ତି ।

ସେହିପରି ବ୍ରଜରାଜନଗରରେ ଅନୁଭବ ମହାନ୍ତିଙ୍କୁ ବିଜେଡି ପ୍ରଚାରକ ତାଲିକାରୁ ବାଦ୍ ଦେବା ପ୍ରସଙ୍ଗରେ ଦେବାଶିଷ କହିଛନ୍ତି, ଦଳ ପ୍ରଚାର ଦାୟିତ୍ୱ ସେହି ନେତାଙ୍କୁ ଦେଇଥାଏ ଯେଉଁମାନେ ଅଞ୍ଚଳ ଓ ନିର୍ବାଚନମଣ୍ଡଳୀକୁ ଭଲ ଭାବେ ଜାଣନ୍ତି ।

ସୂଚନାଯୋଗ୍ୟ, ପିପିଲି, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଥିଲେ ସାଂସଦ। ନିକଟରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡ଼ିର ପ୍ରଚାରକ ତାଲିକାରେ ମଧ୍ୟ ତାଙ୍କ ନାଁ ନାହିଁ। ହେଲେ ତାଙ୍କ ପତ୍ନୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ବେଳେ ବିଜେଡି ପାଇଁ ପ୍ରଚାର କରିଥିଲେ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାଂସଦ ପିନାକୀ ମିଶ୍ରଙ୍କ ମତକୁ ସମର୍ଥନ କରିଥିଲେ।

Comments are closed.