Latest Odisha News

BREAKING NEWS

ଓବିସି ସଂରକ୍ଷଣ: ମଧ୍ୟପ୍ରଦେଶକୁ ଅନୁମତି ମିଳିଲା, ଓଡ଼ିଶାକୁ କାହିଁକି ମିଳୁନି ପଚାରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ବର୍ତମାନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ୫୪ ପ୍ରତିଶତ ଓବିସି ବର୍ଗକୁ କେବଳ ଅଣଦେଖା କରୁନାହିଁ ବରଂ ତାଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରୀରୁ ଆଦି କ୍ଷେତ୍ରରେ ବଂଚିତ ରଖୁଛନ୍ତି । ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣାର ଛଳନା କରି ଭ୍ରମିତ କରୁଥିବା ରାଜ୍ୟ ସରକାରଙ୍କ ବାସ୍ତବରେ ଓବିସିଙ୍କ ବିକାଶ ପାଇଁ କୈାଣସି ଇଚ୍ଛାଶକ୍ତି ନାହିଁ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।

ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହୋଇଥିବାବେଳେ ଓଡିଶା ସରକାରଙ୍କ ଇଚ୍ଛାକୃତ ଭାବେ ସଂଖ୍ୟାଧିକ ଓବିସିବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଛନ୍ତି । ଗତ ଓଡିଶା ପଂଚାୟତ ନିର୍ବାଚନର ବହୁ ପୂର୍ବରୁ ମଧ୍ୟପ୍ରଦେଶ ରାଜ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା । ଯଦିଓ ମଧ୍ୟପ୍ରଦେଶରେ ଓବିସି ବର୍ଗଙ୍କ ସଂଖ୍ୟା ଓଡିଶା ରାଜ୍ୟରୁ କମ୍ ତଥାପି ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ବିନା ଓବିସି ସଂରକ୍ଷଣରେ ନିର୍ବାଚନ କରିବୁ ନାହିଁ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଥିଲେ । ଓଡିଶା ସରକାର ଏହି ସମୟରେ ରାଜ୍ୟରେ ଓବିସି ବର୍ଗଙ୍କ ସଂଖ୍ୟା ଓ ଅନୁପାତ ସଂପର୍କିତ କୈାଣସି ତଥ୍ୟ ନାହିଁ ବୋଲି ମାନ୍ୟବର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ।

ଗତ ୩ ଦିନ ତଳେ ମଧ୍ୟପ୍ରଦେଶରେ ଓବିସିବର୍ଗଙ୍କୁ ସଂରକ୍ଷଣ ଦେଇ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ପଟେ ଓବିସିଙ୍କ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ପ୍ରତିବଦ୍ଧତା ଦେଖିବାକୁ ମିଳୁଥିବାବେଳେ ଅନ୍ୟ ପଟେ ଓଡିଶା ସରକାରଙ୍କ ଓବିସି ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ଓବିସିବର୍ଗଙ୍କୁ ଶକ୍ତ ଆଘାତ ଦେଇଛି ବୋଲି ବିଶ୍ୱାଳ କହିଛନ୍ତି।

ସେହିପରି ଓଡିଶା ଓବିସି ମାନଙ୍କୁ ସଂରକ୍ଷଣ ଦେବା ପାଇଁ ଆମେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଥିଲେ ମଧ୍ୟ ସରକାର ଶୁଣି ନାହାନ୍ତି । ରାଜ୍ୟରେ ୫୪ ପ୍ରତିଶତ ଲୋକ ଓବିସି । ପୂର୍ବରୁ ଓବିସି ମାନଙ୍କ ଜନ ଗଣନା ସହ ଓବିସି କମିଶନ ବସାଇବୁ ବୋଲି ରାଜ୍ୟ ସରକାର କହିଥିଲେ । ଓବିସି କମିଶନ କୁଆଡେ ଗଲା ? କେବଳ କୋର୍ଟରେ କେସ କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସରକାର । ମଧ୍ୟପ୍ରଦେଶ ସରକର ଯଦି ଓବିସି ବର୍ଗଙ୍କୁ ସଂରକ୍ଷଣ ଦେଇ ପାରିଲା ଓଡିଶା ସରକାର କାହିଁକି ପାରୁ ନାହାଁନ୍ତି । ରାଜ୍ୟ ସଭାରେ ଏସସି , ଏସଟିର ଜଣେ ହେଲେ ସାଂସଦ ନାହାନ୍ତି । ଜଣେ ମାତ୍ର ଓବିସି ବର୍ଗର ମହିଳା ଅଛନ୍ତି  ବୋଲି କଂଗ୍ରେସ ମୁଖ୍ୟପାତ୍ର ମନୋଜ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.