ମୁମ୍ବାଇ: ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୪ ଟି୨୦ ବିଶ୍ୱକପ୍ ଜିତିବା ପରେ କ୍ରିକେଟର ସବୁଠୁ ଛୋଟ ଫର୍ମାଟକୁ ଅଲବିଦା କହିଥିଲେ । ଏହାପରେ ଗତବର୍ଷ ଗୋଟିଏ ସପ୍ତାହ ବ୍ୟବଧାନରେ ଉଭୟ ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ଗ୍ରହଣ କରିଥିଲେ । ବର୍ତ୍ତମାନ ଉଭୟ କେବଳ ଦିନିକିଆ ଫର୍ମାଟ୍ ଖେଳୁଛନ୍ତି ଏବଂ ୨୦୨୭ ଦିନିକିଆ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ଅବସର ନେବାର ସମ୍ଭାବନା ରହିଛି । କ୍ରିକେଟରୁ ଅବସର ନେବା ପରେ ଉଭୟ କୋଚିଂ କ୍ଷେତ୍ରକୁ ଆସିବେ କି ନାହିଁ, ସେ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ତାଙ୍କର ଦୀର୍ଘଦିନର ସାଥୀ ଖେଳାଳି ରବିଚନ୍ଦ୍ରନ୍ ଅଶ୍ୱିନ ।
ଅଶ୍ୱିନ୍ଙ୍କ ମତରେ, ଅବସର ନେବା ମାତ୍ରେ କୋହଲି କିମ୍ବା ରୋହିତ କେହି ବି କୋଚିଂ ଦାୟିତ୍ୱ ନେବାର ସମ୍ଭାବନା ଅତି କମ । ଉଭୟ କିଛି ସମୟ ପାଇଁ ମୈଦାନରୁ ଦୂରରେ ରହି ପରିବାର ସହ ସମୟ ବିତାଇବାକୁ ପସନ୍ଦ କରିବେ । ବିରାଟ କିଛି ଦିନର ବ୍ରେକ୍ (ବିଶ୍ରାମ) ନେବେ । ରୋହିତ ଅବସର ନେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ତୁରନ୍ତ ତାଙ୍କୁ କୌଣସି ନା କୌଣସି ଭୂମିକାରେ ଦଳ ସହ ଯୋଡ଼ିବାକୁ ଚାହିଁବ । ଯେଉଁ ଖେଳାଳି ଟିମ୍କୁ ୫ଟି ଟ୍ରଫି ଏବଂ ଭାରତକୁ ବିଶ୍ୱକପ୍ ଜିତାଯାଇଛନ୍ତି, ତାଙ୍କ ଭଳି ଖେଳାଳି ସହଜରେ ମିଳନ୍ତି ନାହିଁ । ଅଶ୍ୱିନ୍ କହିଛନ୍ତି ଯେ ହେଡ୍ କୋଚ୍ (ମୁଖ୍ୟ ପ୍ରଶିକ୍ଷକ) ପଦବୀରେ ଅନେକ ପରିଶ୍ରମ ଓ ସମୟ ଦେବାକୁ ପଡ଼ିଥାଏ । ତେଣୁ ରାହୁଲ ଦ୍ରାବିଡ଼ଙ୍କ ପରି ଉଭୟ ୨-୩ ବର୍ଷର ବିଶ୍ରାମ ନେବା ପରେ କୌଣସି ଅନ୍ୟ ଭୂମିକାରୁ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିପାରନ୍ତି ।
