Latest Odisha News

କେଉଁଠି ଅଛନ୍ତି ପାକ୍ ସେନା ମୁଖ୍ୟ? ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ମୁନୀର-ଆଉଟ୍‌’

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଭାରତ ଯୁଦ୍ଧ ଧମକ ଦେଇବା ପରେ ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଛକାପଞ୍ଝା ସ୍ଥିତି ଲାଗିରହିଥିବା ବେଳେ ପାକ୍‌ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନୀରଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଜେନେରାଲ ମୁନୀର ଭାରତ ପକ୍ଷରୁ ଆକ୍ରମଣ ହେବା ଭୟରେ କେଉଁ ଆଡ଼େ ପଳାୟନ କରିଛନ୍ତି।

ସେ ତାଙ୍କ ପରିବାର ସହ ବିଦେଶ ପଳାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ପୂର୍ବରୁ ନିଜ ସ୍ତ୍ରୀ ଓ ପିଲାଙ୍କୁ ବିଦେଶ ପଠାଇଦେଇଛନ୍ତି। ପରେ ସେ ନିଜ ପଳାୟନ କରିଛନ୍ତି। ବିଶେଷକରି ଭାରତୀୟ ଗଣମାଧ୍ୟମରେ ଏଭଳି ରିପୋର୍ଟମାନ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ‘ମୁନୀର-ଆଉଟ୍‌’ ଟ୍ରେଣ୍ଡ ଚାଲିଛି।

ଆଉ କିଛି ରିପୋର୍ଟ ମୁତାବକ, ଜେନେରାଲ ମୁନୀର ରାୱଲପିଣ୍ଡିରେ ଏକ ବଙ୍କର ମଧ୍ୟରେ ଲୁଚିଛନ୍ତି। ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସେଠାରେ ହିଁ ସେ ରହିବେ ବୋଲି କୁହାଯାଉଛି। ଏଭଳି ଘଟଣା ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଏକ ଗ୍ରୁପ୍‌ ଫଟୋ ସେୟାର କରାଯାଇଛି। ଆବଟ୍ଟାବାଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମୁନୀରଙ୍କୁ ଦେଖିବାକୁ ମିଳିଛି।

ଏପ୍ରିଲ ୨୨ରେ ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରେ ଭାରତ କଠୋର ଆଭିମୁଖ୍ୟ ଆପଣାଇଛି। ଭାରତ ତରଫରୁ ନିଶ୍ଚିତ ଯୁଦ୍ଧ ହେବା ନେଇ ମଧ୍ୟ ପାକ୍‌ ମନ୍ତ୍ରୀମାନେ ଆଶଙ୍କା କରୁଛନ୍ତି। ଏଭଳି ସ୍ଥିତିରେ କେବଳ ପାକ୍‌ ସେନା ମୁଖ୍ୟ କାହିଁକି ଅନ୍ୟ ଅଧିକାରୀମାନେ ମଧ୍ୟ ସେମାନଙ୍କ ପରିବାରକୁ ବ୍ରିଟେନ୍‌ ଓ ନ୍ୟୁଜର୍ସି ପଠାଇ ଦେଇଥିବା ସୂତ୍ରରୁ ଜଣାପଡ଼ିଛି।

 

Comments are closed.