Latest Odisha News

BREAKING NEWS

କାହାର ହେବ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର!

ଭୁବନେଶ୍ୱର: ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀ ମାନେ ତତ୍ପର ହୋଇଉଠିଲେଣି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ଅଙ୍କାକଷା ଆରମ୍ଭ କରିଛନ୍ତି।

କିନ୍ତୁ ଏସବୁ ଭିତରେ ରାଜ୍ୟର ଏମିତି କିଛି ନିର୍ବାଚନ ମଣ୍ଡଳୀ ଅଛି ସେସବୁ ଉପରେ ସବୁ ରାଜନୈତିକ ଦଳ ଓ ସାଧାରଣ ଲୋକଙ୍କ ନଜର ରହିଛି। ଓଡ଼ିଶାର ସେମିତି ଏକ ନିର୍ବାଚନ ମଣ୍ଡଳୀ ହେଉଛି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ।

ଏହି ନିର୍ବାଚନ ମଣ୍ଡଳୀ ଉପରେ ସାରା ରାଜ୍ୟର ନଜର ରହିଛି। କାରଣ ଏହି ବିଧାନସଭା କ୍ଷେତ୍ରରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବରୁ ପ୍ରତିନିଧିତ୍ୱ କରିବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ସେଥିପାଇଁ ଆଗାମୀ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି।

୨୦୧୯ ନିର୍ବାଚନରେ ବିଜେପିରୁ ଜିତି ନବ ଚରଣ ମାଝୀ ଏବେ ବିଧାୟକ ଅଛନ୍ତି। ୨୦୧୯ ନିର୍ବାଚନରେ ନବ ଚରଣ ମାଝୀ ୬୦ ହଜାର ୯୦୧ ଖଣ୍ଡ ଭୋଟ ପାଇ ବିଜେଡିର ବାସନ୍ତୀ ମାରାଣ୍ଡିଙ୍କୁ ହରାଇଥିଲେ। ବାସନ୍ତୀ ୫୮ ହଜାର ୫୪ ଖଣ୍ଡ ଭୋଟ ପାଇଥିଲେ।

ସେହିପରି ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାଇବା ସୁଶୀଲ କୁମାର ହାଁସଦା ବିଜେପିର ଦ୍ରୌପଦୀ ମୁର୍ମୁଙ୍କୁ ହରାଇ ଦେଇଥିଲେ। ହାଁସଦା ୫୧ ହଜାର ୬୨ ଖଣ୍ଡ ଭୋଟ ପାଇଥିବା ବେଳେ ଦ୍ରୌପଦୀ ମୁର୍ମୁ ୪୪ ହଜାର ୬୭୯ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦା ୨୯ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

୨୦୦୯ ନିର୍ବାଚନରେ କିନ୍ତୁ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦା ୨୪ ହଜାର ୭୯୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୦୦ ଓ ୨୦୦୪ ମସିହା ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ବିଜୟଲାଭ କରିଥିଲେ।

୨୦୦୦ ମସିହାରେ ଦ୍ରୌପଦୀ ମୁର୍ମୁ ୨୫ ହଜାର ୧୧୦ ଖଣ୍ଡ ଭୋଟ ପାଇ କଂଗ୍ରେସର ଲକ୍ଷଣ ମାଝୀଙ୍କୁ ହରାଇଥିବା ବେଳେ ୨୦୦୪ ନିର୍ବାଚନରେ ମାତ୍ର ୪୨ ଖଣ୍ଡ ଭୋଟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କ ଠାରୁ ଜିତିଥିଲେ।

ତେଣୁ ରାଷ୍ଟ୍ରପତିଙ୍କ ପୂର୍ବ ବିଧାନସଭା କ୍ଷେତ୍ର ଉପରେ ସାରା ଦେଶର ନଜର ରହିଛି। ସେପଟେ ବିଜେପି ସେଠାରେ ଜିତିଥିବା ବେଳେ ଏଥର ବି ଜିତିବା ଧାରା ବଜାୟ ରଖିବାକୁ ଚାହୁଁଛି।

ବିଜେପି ଟିକେଟ ଆଶାୟୀ ଭାବେ ନିଜେ ବିଧାୟକ ନବ ଚରଣ ମାଝୀ ରହିଥିବା ବେଳେ ରାମଚନ୍ଦ୍ର ହାଁସଦାଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି। ସେହିଭଳି ବିଜେପି ଟିକେଟ ପାଇଁ ଅନ୍ୟ କିଛି ଆଶାୟୀ ମଧ୍ୟ ରହିଛନ୍ତି।

ସେପଟେ ଶାସକ ବିଜେଡି ଟିକେଟ ପାଇଁ ବହୁ ଆଶାୟୀ ରହିଛନ୍ତି। ବିଜେଡିର ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦା, ବାସନ୍ତୀ ହେମ୍ବ୍ରମ, ପୂର୍ଣ୍ଣ ମାରାଣ୍ଡି ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି।

ପୂର୍ବରୁ ଜେଏମଏମରୁ ପ୍ରାର୍ଥୀ ହେଉଥିବା ରାମଚନ୍ଦ୍ର ମୁର୍ମୁ ଏବେ ବିଜେଡିରେ। ରାମଚନ୍ଦ୍ର ଗତ ବିଧାନସଭା ନିର୍ବାଚନରେ ଜେଏମଏମ ପ୍ରାର୍ଥୀ ଭାବେ ଭଲ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ୨୦୦୪ ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କଠାରୁ ମାତ୍ର ୪୨ ଖଣ୍ଡ ଭୋଟରେ ହାରିଥିଲେ। ତେଣୁ ତାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଏପରିକି ଗତ ପଂଚାୟତ ନିର୍ବାଚନରେ ଶାସକ ବିଜେଡି ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ସେପଟେ କଂଗ୍ରେସ ମଧ୍ୟ ୨୦୦୯ ବିଜୟକୁ ପୁଣିଥରେ ରିପିଟ କରିବାକୁ କାର୍ଯ୍ୟ ଆରମ୍ଭ କରିଛି।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସାରା ଦେଶର ଆଦିବାସୀ ଭୋଟ ଉପରେ ବିଜେପିର ନଜର ଥିବା ଚର୍ଚ୍ଚା ହେଉଛି। ତେଣୁ ଖୋଦ ରାଷ୍ଟ୍ରପତିଙ୍କର ନିଜ ଜନ୍ମ ମାଟି ଓ ବିଧାନସଭା କ୍ଷେତ୍ରରେ ଜିତିବା ବିଜେପି ପାଇଁ ଏକ ସମ୍ମାନର ପ୍ରଶ୍ନ ବୋଲି ଆଲୋଚନା ହେଉଛି।

ତେଣୁ ସବୁବେଳେ କିଛି ନା କିଛି ଭିନ୍ନ ଭିନ୍ନ ଚିତ୍ର ଦେଖାଉଥିବା ରାଇରଙ୍ଗପୁର ଏଥର କାହା ମୁଣ୍ଡରେ ବିଜୟ ଶିରିପା ପିନ୍ଧାଇବ ତାକୁ ନେଇ ଜୋରଦାର ଚର୍ଚ୍ଚା।

Leave A Reply

Your email address will not be published.