Latest Odisha News

BREAKING NEWS

ବିଜେଡିର ପ୍ରଚାର ଜମିଲାଣି ବିରୋଧୀ ପାଗ ଭିଡୁଛନ୍ତି !

ଭୁବନେଶ୍ୱର: ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେପଟେ ଏହା ପୂର୍ବରୁ ବିଧିବଦ୍ଧ ଭାବେ ଜମିଲାଣି ବିଜେଡିର ପ୍ରଚାର। ରାଜ୍ୟ ରାଜନୀତିରେ ସିରିୟସ ପାର୍ଟି କୁହାଯାଉଥିବା ଶାସକ ବିଜେଡି କୌଣସି ସୁଯୋଗକୁ ଛାଡିବାକୁ ଚାହୁଁନି। ତେଣୁ ଅନ୍ୟ ନିର୍ବାଚନ ଭଳି ଝାରସୁଗୁଡ଼ା ଉପନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଜୋରଦାର ପ୍ରଚାର ଆରମ୍ଭ କରିଛି ଦଳ।

ବରିଷ୍ଠ ମନ୍ତ୍ରୀ ନେତା ବିଧାୟକଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ୱ ଦେବା ପରେ ତୃଣମୂଳ ସ୍ତରରେ ନିଜର ଛାତ୍ର ଯୁବ ଓ ମହିଳା ସଂଗଠନର ରାଜ୍ୟସ୍ତରୀୟ ନେତାଙ୍କୁ କ୍ରିୟାଶୀଳ କରିଛି ଦଳ। ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ନେତା ପ୍ରଚାର ଆରମ୍ଭ କରିଛନ୍ତି। ଏପରିକି ବିଭିନ୍ନ ବ୍ଲକରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ ପ୍ରମୁଖ ପ୍ରଚାରରେ ଲାଗି ପଡିଛନ୍ତି। ବିଜେଡି ନିଜ ସପକ୍ଷରେ ନିର୍ବାଚନୀ ବାତାବରଣ ତିଆରି କରିବା ପ୍ରକ୍ରିୟାକୁ ଜୋରଦାର କରିଛି।

ସେପଟେ ବିରୋଧୀ କିନ୍ତୁ ବହୁ ପଛରେ ପଡିଯାଇଥିବା କୁହାଯାଉଛି। କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରି ନେତାଙ୍କୁ ଦାୟୀତ୍ୱ ବାଣ୍ଟିଛି। କିନ୍ତୁ ଝାରସୁଗୁଡ଼ାର ତୃଣମୂଳ ସ୍ତରରେ କଂଗ୍ରେସ ବିଶେଷ ପ୍ରଭାବି ପ୍ରଚାର ଦେଖିବାକୁ ମିଳୁନି।

ସେପଟେ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ଦଳ କୌଣସି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବିଶେଷ ଦେଖାଯାଉନି। ତେଣୁ ଏଭଳି ସ୍ଥିତିରେ ବିଜେଡି ବହୁ ଆଗରେ ଥିବା ଦେଖାଯାଇଛି। ଏବେକାର ନିର୍ବାଚନରେ ହାରଜିତର ପ୍ରମୁଖ ଅଂଶ ବାତାବରଣ ଉପରେ ନିର୍ଭର କରେ। ଯାହାକି ବିଜେଡି କରୁଛି। ତେଣୁ ବିରୋଧୀ କିଭଳି ବିଜେଡିକୁ ସମ୍ମୁଖୀନ ହେବେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.