Latest Odisha News

BREAKING NEWS

ଉଷ୍ମ ହେଉଛି ଝାରସୁଗୁଡା ଉପନିର୍ବାଚନ ମାହୋଲ ! ୧୮ରେ ନାମାଙ୍କନ ଭରିବେ ବିଜେଡିର ଦୀପାଳି, ୧୫ରେ କଂଗ୍ରେସର ତରୁଣ

ଝାରସୁଗୁଡା ଉପନିର୍ବାଚନ ପାଇଁ ଦିନ ପାଖଉଥିବା ବେଳେ ଉଷ୍ମ ହେବାରେ ଲାଗିଲାଣି ନିର୍ବାଚନ ମଣ୍ଡଳୀ । ଉପ-ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଶାସକ ଦଳ। ଏହି କ୍ରମରେ ଆସନ୍ତା ୧୮ରେ ନାମାଙ୍କନ ଭରିବେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ଏନେଇ ବୁଧବାର ସୂଚନା ଦେଇଛନ୍ତି ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ।

ସେପଟେ କଂଗ୍ରେସ ନାମାଙ୍କନ ଭରିବା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି। ସୁରେଶ କହିଛନ୍ତି, ଆସନ୍ତା ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଭରିବେ। ସେପଟେ ବିଜେପି କିନ୍ତୁ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରି ଦଳ ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୩ ତାରିଖରେ ଝାରସୁଗୁଡା ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେହି ଦିନଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରାଯିବ। ୨୦ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ଏବଂ ଏପ୍ରିଲ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ମେ’ ୧୦ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମେ’ ୧୩ରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

ଝାରସୁଗୁଡା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରି ଫେରିଯାଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଥିଲେ ଯେ, ଖରା ତାତି ଓ କାଳ ବୈଶାଖୀ ସମ୍ଭାବନାକୁ ଆଖି ଆଗରେ ରଖି ନିର୍ବାଚନ ଓ ମତଦାନ ପ୍ରକ୍ରିୟାର ପ୍ରସ୍ତୁତି ନେଇ ଆଲୋଚନା କରାଯାଉଛି । ମତଦାତାଙ୍କ ପାଇଁ ସମସ୍ତ ସୁବିଧା କରାଯିବ । ଶାନ୍ତି ଶୃଙ୍ଖଳା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜନ କରାଯିବା ସହ ମତଦାନ ଯେପରି ସୁରୁଖୁରରେ ଶେଷ ହେବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ବୋଲି ସେ କହିଥିଲେ।

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍‌ଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ପଦବୀ । ଏବେ ଉପ ନିର୍ବାଚନ ହେବା ପରେ ଝାରସୁଗୁଡା ବାସୀଙ୍କୁ ମିଳିବ ନୂଆ ବିଧାୟକ । ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଝାରସୁଗୁଡା ଉପ-ନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି କହିଲେ ଭୂଲ ହେବନାହିଁ ।

Leave A Reply

Your email address will not be published.