Latest Odisha News

BREAKING NEWS

ଭାରତୀୟ କରୋନା ଟିକା କୋଭାକ୍ସିନକୁ WHOର ସ୍ବୀକୃତି

ନୂଆଦିଲ୍ଲୀ : ସବୁ ପ୍ରତୀକ୍ଷାର ହୋଇଛି ଅନ୍ତ । ଶେଷରେ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ମିଳିଛି ସ୍ବୀକୃତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏହାସହ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ବିଦେଶ ଯାତ୍ରା ଉପରେ କିଛି ରାଷ୍ଟ୍ର ଲଗାଇଥିବା କଟକଣା ଜନିତ ସମସ୍ୟା ଏକପ୍ରକାର ଶେଷ ହୋଇଛି । ମୋଟୋମୋଟି ଭାବେ କହିବାକୁ ଗଲେ, କୋଭାକ୍ସିନ ଟିକା ନେଇଥିବା ଭାରତୀୟମାନେ ଏବେ ବିଭିନ୍ନ ରାଷ୍ଟ୍ରକୁ ଯାଇପାରିବେ ।

କୋଭାକ୍ସିନକୁ ସ୍ବୀକୃତି ଦେବା ପୂର୍ବରୁ ଭାରତ ବାୟୋଟେକ ଟିକାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଗତ ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା । ଏଥିରେ ଭାରତ ବାୟୋଟେକ ଠାରୁ ଅନ୍ୟାନ୍ୟ କେତେକ ତଥ୍ୟ ମଗାଯାଇଥିଲା । ଭାରତ ବାୟୋଟେକ ଦର୍ଶାଇଥିଲା ଯେ ଲକ୍ଷଣଯୁକ୍ତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮ ପ୍ରତିଶତ ସଫଳତା ହାସଲ କରୁଛି ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ସଫଳତା ପ୍ରଦର୍ଶନ କରୁଛି । କମ୍ପାନୀ ଯୁକ୍ତି ଦର୍ଶାଇଥିଲା ଯେ କୋଭାକ୍ସିନର ସଫଳତା ଓ ପ୍ରଭାବ ନେଇ କୌଣସି ଦ୍ବନ୍ଦ୍ବ ନାହିଁ । ଦୁଇ ଥର ଧରି କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଠକ ବସିଥିବା ବେଳେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନଥିଲା । ଶେଷରେ କୋଭାକ୍ସିନକୁ ସ୍ବୀକୃତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।

Comments are closed.