Latest Odisha News

BREAKING NEWS

ଭାଇରାଲ୍ ହେଲା ରାହୁଲଙ୍କ ‘ବୋଟିଂ’ ଫଟୋ: ବିଜେପି ପଚାରିଲା ମହିଳା ଜଣକ କିଏ?

ନୂଆଦିଲ୍ଲୀ: ରାଜନୀତିରେ ନେତାମାନଙ୍କ ବ୍ୟକ୍ତିଗତ ଜୀବନ କ୍ୱଚିତ୍ ଗୋପନୀୟ ରହିଥାଏ। ଏବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଛୁଟି କଟାଇବାର ଏକ ଫଟୋକୁ ନେଇ ଦେଶରେ ରାଜନୈତିକ ଉଷ୍ମତା ଦେଖାଦେଇଛି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂହ ସୋସିଆଲ ମିଡିଆ ‘ଏକ୍ସ’ରେ ରାହୁଲଙ୍କର ଏକ ଫଟୋ ସେୟାର କରି ପ୍ରଶ୍ନ ଉଠାଇବା ପରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

ଭାଇରାଲ୍ ହେଉଥିବା ଏହି ଫଟୋରେ ରାହୁଲ ଗାନ୍ଧୀଙ୍କ ସହ ଏକ ଡଙ୍ଗାରେ ଜଣେ ମହିଳା ଏବଂ ଗୋଟିଏ ଛୋଟ ପିଲା ବସିଥିବାର ଦେଖିବାକୁ ମିଳୁଛି। ଗିରିରାଜ ସିଂହ ଏହି ଫଟୋକୁ ପୋଷ୍ଟ କରି ପଚାରିଥିଲେ, “ରାହୁଲ ଜୀ, ଏହି ଫଟୋଟି କେବେ ଏବଂ କେଉଁଠାରେ ଉଠାଯାଇଛି? ଆପଣଙ୍କ ସହ ଥିବା ଏହି ଲୋକମାନେ କିଏ? ଜାଣିବା ପାଇଁ ମୋର ଉତ୍କଣ୍ଠା ରହିଛି!”

କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପ୍ରଶ୍ନ ପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଗିରିରାଜଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଫଟୋରେ ଥିବା ମହିଳା ଓ ପିଲାଟି ହେଉଛନ୍ତି ରାହୁଲଙ୍କ ଜଣେ ବନ୍ଧୁଙ୍କ ପରିବାର । ସେମାନେ ଏକାଠି ପାରିବାରିକ ଛୁଟି କଟାଇବାକୁ ଯାଇଥିଲେ, ମାତ୍ର ବନ୍ଧୁ ଜଣକ ଫଟୋରେ ନାହାନ୍ତି । ଗିରିରାଜଙ୍କୁ ‘ହୀନ ମାନସିକତା’ ସମ୍ପନ୍ନ ବ୍ୟକ୍ତି କହି ସୁପ୍ରିୟା କହିଛନ୍ତି ଯେ, ଜଣେ ପୁରୁଷ ଓ ମହିଳାଙ୍କୁ ଏକାଠି ଦେଖିଲେ କେବଳ ଖରାପ ଚିନ୍ତାଧାରା ହିଁ ଆପଣଙ୍କ ମନକୁ ଆସୁଛି । ସେହିପରି ଯୁବ କଂଗ୍ରେସ ନେତା ଶ୍ରୀନିବାସ ବି.ଭି. କହିଛନ୍ତି ଯେ ବୃଦ୍ଧାବସ୍ଥାରେ ଏତେ ଉତ୍କଣ୍ଠା ଭଲ ନୁହେଁ, କୌଣସି ଭଲ ଡାକ୍ତରଙ୍କୁ ଦେଖାନ୍ତୁ ।

ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ନେତା ଅଭି ଦାଣ୍ଡିଆ ସୂଚନା ଦେଇଛନ୍ତି ଯେ, ଏହି ଫଟୋଟି ଆମେରିକାର ଟେକ୍ସାସ ସ୍ଥିତ ଲେକ୍ ରେ ରବର୍ଟସ୍‌ ଠାରେ ଉଠାଯାଇଥିଲା।

ସୂଚନାଯୋଗ୍ୟ ଯେ, ବିଜେପି ବାରମ୍ବାର ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ ଉଠାଇ ଆସୁଛି। ଗତ ଜୁନ୍ ୨୨ ରୁ ଜୁଲାଇ ୧୩ ତାରିଖ ମଧ୍ୟରେ ରାହୁଲଙ୍କ ବିଦେଶ ଗସ୍ତ ସମୟରେ ସେ କେଉଁମାନଙ୍କୁ ଭେଟିଥିଲେ ଏବଂ ଏହି ଗସ୍ତର ଖର୍ଚ୍ଚ କିଏ ବହନ କରିଥିଲା, ତାହାକୁ ନେଇ ବିଜେପି ନେତା ଅମିତ ମାଲବ୍ୟ ମଧ୍ୟ ପୂର୍ବରୁ ପ୍ରଶ୍ନ କରିଥିଲେ। ଏବେ ଏହି ବୋଟିଂ ଫଟୋ ବିବାଦକୁ ଆହୁରି ଖୋରାକ୍ ଯୋଗାଇଛି।

Leave A Reply

Your email address will not be published.