Latest Odisha News

BREAKING NEWS

ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ?

ଭୁବନେଶ୍ବର: ମମତା ମହନ୍ତ ବିଜେଡି ଛାଡିବା ପରଠୁ ଥମୁନି ଚର୍ଚ୍ଚା । ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ? ବିଜେପି ନେତାଙ୍କ ସଂକେତ କାହା ଆଡକୁ ? କିଏ କହିଲେଣି ମମତା ମହନ୍ତ କେବଳ ଟ୍ରେଲର ଆଗକୁ ଫିଲ୍ମ ବାକି ଅଛି ତ କିଏ କହିଲେଣି ବିଜେଡିରେ ନେତା ଅଣନିଶ୍ବାସୀ । ମମତା ମହନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପି ହାତରେ ଲାଗିଛି ବଡ଼ ସୁଯୋଗ । ରାଜ୍ୟସଭାରେ ଦଳକୁ ଆହୁରି ତିନି ସାଂସଦ ଦରକାର ପଡୁଥିବା ବେଳେ ଅପରେସନ୍ ଲୋଟସ ନେଇ ବି ଚର୍ଚ୍ଚା ବଢିଲାଣି । ଏଭଳି ସ୍ଥିତିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘନ ଘନ ବୈଠକ କରୁଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ନିଜ ଦଳକୁ ଏକଜୁଟ୍ କରି ରଖିପାରିବେ ତ ନବୀନ?

ଏବେ ଟ୍ରେଲର ଆଗକୁ ପୂରା ଫିଲ୍ମ !

ବିଜେଡି ବିଭାଜନକୁ ନେଇ ସରଗରମ ଚର୍ଚ୍ଚା ଚାଲିଥିବା ବେଳେ ନିଆଁରେ ଘିଅ ଢାଳିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ମମତା ମହନ୍ତଙ୍କ ୟୁଟର୍ଣ୍ଣ ପରଠୁ ବିଜେପି ବିଜେଡି ଭାଙ୍ଗିବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି । ଏବେ କେବଳ ଟ୍ରେଲର ଦେଖିଛନ୍ତି ଆଗକୁ ପୂରା ଫିଲ୍ମ ଦେଖିବେ ବୋଲି ଅପରାଜିତା କହିଛନ୍ତି । ଯାହା ଘର ଦୁର୍ବଳ ଥିବ ସେହି ଘର ଭାଙ୍ଗିବ । ସେପଟେ ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରୀ ଭିତରେ ରହିଛନ୍ତି । ଅଣନିଶ୍ବାସୀ ହେଇଗଲେଣି, ନିଶ୍ବାସ ନେବାକୁ ବାହାରକୁ ଆସୁଛନ୍ତି ବୋଲି ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି । ତେବେ ଅପରାଜିତା ଓ ସରୋଜଙ୍କ ଇସାରା କେଉଁ ଆଡକୁ? ମମତା ମହନ୍ତଙ୍କ ପରେ ଆହୁରି କିଛି ବିଜେଡି ନେତା ବିଜେପି ଯୋଗାଯୋଗରେ ରହିଛନ୍ତି କି ? ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ କରୁଛି କି ବିଜେପି ?

ଆଗକୁ ଖସିବ ଆହୁରି ଓ୍ବିକେଟ୍ !

ମମତା ମହନ୍ତଙ୍କ ପରେ ଆଉ କେଉଁ ବିଜେଡି ନେତାଙ୍କ ଓ୍ବିକେଟ୍ ଖସିପାରେ? ରାଜ୍ୟସଭାରେ ବିଜେପିର ସଂଖ୍ୟା ଆବଶ୍ୟକ ରହିଥିବା ବେଳେ ଚର୍ଚ୍ଚା ହେଉଛି, ତିନି ଚାରି ଜଣଙ୍କୁ ଛାଡିଦେଲେ ଅଧିକାଂଶ ବିଜେଡି ନେତା କ୍ୟାମ୍ପ ବଦଳାଇପାରନ୍ତି। ଏପରିକି ମମତାଙ୍କ ପରେ ଦୁଇରୁ ତିନି ଜଣ ନେତା ବିଜେପି ସହ ଯୋଗାଯୋଗରେ ରହିଥିବା ବି କୁହାଯାଉଛି । ଏସବୁ ଚର୍ଚ୍ଚାରେ ସତ୍ୟତା କେତେ ଜଣାପଡିନଥିଲେ ବି ବିଜେଡିରେ ନିୟନ୍ତ୍ରଣର ଡୋର ହୁଗୁଳା ହୋଇଛି । କାରଣ କେଇ ମାସ ତଳେ ଯେଉଁ ଦଳରେ ନିୟନ୍ତ୍ରଣ ଓ ଭୟ ପାଇଁ ମମତା ମହନ୍ତଙ୍କ ଭଳି ନେତା ଚୁପ୍ ରହୁଥିଲେ ଏବେ ନେତୃତ୍ବକୁ ସିଧା ଚ୍ୟାଲେଞ୍ଜ କଲେଣି । ତେଣୁ ମମତାଙ୍କ ପରେ ଅନ୍ୟ କେଉଁ ନେତା ବିଜେପିକୁ ଗଲେ ଆଶ୍ଚର୍ଯ୍ୟ ହେବାର କାରଣ ରହିନପାରେ ।

ମମତାଙ୍କ ଏକଜିଟ୍ ବିଚଳିତ ବିଜେଡି !

ମମତା ମହନ୍ତ ବିଜେଡି ଛାଡିବା ପରଠୁ ବିଜେଡି ବିଚଳିତ ହୋଇଥିବା ଚର୍ଚ୍ଚା ହେଉଛି । ନିର୍ବାଚନରେ ପରାଜୟ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂଖ୍ୟା ନେଇ କର୍ମୀଙ୍କୁ ବୁଝାଇଥିଲେ ଦଳୀୟ ସଭାପତି ନବୀନ ପଟ୍ଟନାୟକ । କେନ୍ଦ୍ରରେ ବିଜେପି ସଂଖ୍ୟାଲଘୁ ଓ ରାଜ୍ୟରେ ବିଜେପି ସରକାର ମ୍ୟାଜିକ ନମ୍ବରଠାରୁ ମାତ୍ର ୪ଜଣ ଅଧିକ ବିଧାୟକ ରହିଥିବା କହିବା ସହ ଏକାଠି ରହିବାକୁ ଆହ୍ବାନ ଦେଇଥିଲେ ନବୀନ । ଅନ୍ୟ ଦଳର ସଂଖ୍ୟାକୁ ନେଇ ପରୋକ୍ଷରେ ଇସାରା କରିଥିବା ନବୀନଙ୍କ ପାଇଁ ଏବେ ନିଜ ଦଳ ବଞ୍ଚାଇବା ବଡ ଚ୍ୟାଲେଞ୍ଜ ହୋଇପାରେ । ମୟୂରଭଞ୍ଜରେ ବିଜେଡି ଚଳିତ ନିର୍ବାଚନରେ ନିରାଶାଜନକ ପ୍ରଦର୍ଶନ କରିଥିବା ବେଳେ ମମତା ମହନ୍ତ ଦଳ ଛାଡିବା ଓ ସୁଦାମ ମାରାଣ୍ଡି ବୈଠକରେ ଅନୁପସ୍ଥିତ ରହିବା ଦଳ ପାଇଁ ସତର୍କ ଘଣ୍ଟି ହୋଇପାରେ । କେନ୍ଦୁଝର ହେଉ କି ଯାଜପୁର ଧୀରେ ଧୀରେ ତୃଣମୂଳସ୍ତରରୁ ହିଁ କର୍ମୀ ଓ ନେତା ବିଜେଡି ହାତ ଛାଡିଲେଣି । ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମରେ ବି ଦଳ ପାଇଁ  ବିପଦ ବଢିଲାଣି । ଏଭଳି ସ୍ଥିତିରେ ପୂରା ରାଜ୍ୟରେ ସଂଗଠନ ଓ ନେତାଙ୍କୁ ଏକଜୁଟ୍ କରିବା ନବୀନଙ୍କ ପାଇଁ ବଡ଼ ଟାସ୍କ ହୋଇପାରେ ।

ବିଜେଡିରେ ପୂର୍ବରୁ ବି ଅସନ୍ତୋଷ ରହିଥିଲା, ନିର୍ବାଚନ ପରେ ଏହା ଚରମରେ ପହଞ୍ଚିଛି । ପୂର୍ବରୁ ଦଳର କମାଣ୍ଡ ଧରିଥିବା ଭିକେ ପାଣ୍ଡିଆନ ଏବେ ସକ୍ରିୟ ରାଜନୀତିରୁ ନିଜକୁ ପ୍ରତ୍ୟାହାର କରିଥିଲେ ବି ଦଳରେ ଏବେବି ତାଙ୍କର ପ୍ରଭାବ ରହିଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବର୍ଷ ବର୍ଷ ଧରି କୋଣଠେସା ହୋଇ ରହିଥିବା ନେତା ହୁଅନ୍ତୁ କି କୌଣସି କାରଣରୁ ଅସନ୍ତୁଷ୍ଟ, କ୍ୟାମ୍ପ ବଦଳାଇବାକୁ ଚିନ୍ତା କରିପାରନ୍ତି। ବିଜେପି ବି ନିଶ୍ଚିତ ଭାବେ ବିଜେଡିର ଅଣ୍ଟା ଭାଙ୍ଗିବାକୁ ଉଦ୍ୟମ କରିବ । ମମତା ମହନ୍ତଙ୍କ ଇସ୍ତଫା ବିଜେଡି ପାଇଁ ଅଶୁଭ ସଂକେତ ଦେଉଥିବା ବେଳେ ଦଳକୁ ସଜାଡିବାକୁ ନବୀନଙ୍କୁ ଦୃଢ ପଦକ୍ଷେପ ନେବାକୁ ପଡିବ । ନହେଲେ ବିଜେଡି ବିଭାଜନ ହେବା ନେଇ ଚର୍ଚ୍ଚା ସତ ବି ହୋଇପାରେ ।

Comments are closed.