Latest Odisha News

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର: ବିଜୁ ଜନତା ଦଳରେ କିଏ ବିଭୀଷଣ? କିଏ ଦଳକୁ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ? ବିଜେଡି କର୍ପୋରେଟର ଅମରେଶ ଜେନାଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଉ ଉଠୁଛି ପଡୁଛି ରାଜଧାନୀ ରାଜନୀତି। ପୂର୍ବରୁ ବିଏମସିର କିଛି ବିଜେଡି କର୍ପୋରେଟର ଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସିଧାସଳଖ ଟାର୍ଗେଟ୍ କରି ସେମାନେ କର୍ପୋରେଟରଙ୍କୁ ଭାଗ ଭାଗ କରୁଥିବା ଅଭିଯୋଗ ଆଣିଥିଲେ ଅମରେଶ ଜେନା । ବୁଧବାର ବରିଷ୍ଠ ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ବୈଠକରେ ଯୋଗ ଦେବା ପରେ ଦଳରେ ବିଭୀଷଣ ଥିବା କହିଛନ୍ତି ।

କ’ଣ କହିଲେ ଅମରେଶ ଜେନା?

ବରିଷ୍ଠ ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ବୈଠକରେ ସାମିଲ ହୋଇଥିଲେ କର୍ପୋରେଟର ଅମରେଶ ଜେନା । ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକଙ୍କ ସହ କିଛି କର୍ପୋରେଟର ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ବୈଠକ ପରେ କିଛି ଲୋକ ବିଜେଡି କର୍ପୋରେଟରଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଥିବା ଅମରେଶ କହିଛନ୍ତି । ତେବେ ସବୁଠି ବିଜେଡି ଏକଜୁଟ୍ ରହିଛି । ଏନେଇ ଦଳର ସଭାପତିଙ୍କୁ ଜଣାଇ ଦିଆଯାଇଛି । ଦଳରେ ଥିବା ବିଭୀଷଣଙ୍କୁ ଉଚିତ୍ ଜବାବ ଦିଆଯାଇଛି । ତାଗିଦ୍ କରାଯାଇଛି, ଆଗକୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

କାହିଁକି ଦଳବଦଳ ଆଶଙ୍କା ?

ଅମରେଶ ଜେନା ମଙ୍ଗଳବାର ବିଜେଡି କର୍ପୋରେଟରଙ୍କ ଦଳବଦଳ ନେଇ ଆଶଙ୍କା କରିଥିଲେ । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନା ନିଜ ପତିଆରା ବଢାଇବାକୁ ଦଳୀୟ କର୍ପୋରେଟରଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଥିଲେ । କର୍ପୋରେଟରମାନେ ପରସ୍ପର ସହ ଭଲ ସଂପର୍କ ରଖୁନଥିବାରୁ ବିଜେପି ଏହାର ଫାଇଦା ନେଇଯିବ । ଏପରିକି କିଛି କର୍ପୋରେଟର ବିଜେପି ସଂପର୍କରେ ଥିବା ସେ ଶୁଣୁଥିବା ବି ଅମରେଶ କହିଥିଲେ । ତେବେ ବିଜେପି ବିଧାୟକ ବାବୁ ସିଂଙ୍କୁ ଅମରେଶ ଜେନା, ବିରଞ୍ଚି ମହାସୁପକାର ଓ ସଂଗ୍ରାମ ପାଇକରାୟ ଭେଟିଛନ୍ତି । ସାକ୍ଷାତ ବେଳର ଫଟୋ ଆସିବା ପରେ ବିଜେଡି ଅନ୍ତକନ୍ଦଳକୁ ନେଇ ଚର୍ଚ୍ଚା ଆହୁରି ବଢିଛି ।

ଏକାଠି ହେଲେ କର୍ପୋରେଟର

ବିଜେଡିରେ ବିଭୀଷଣ ରହିଥିବା ଅମରେଶ ଜେନା କହୁଥିବା ବେଳେ ମିଳିତ ପ୍ରେସମିଟ୍ କରି ଏକାଠି ରହିଥିବା କହିଛନ୍ତି ବିଏମସିର ବିଜେଡି କର୍ପୋରେଟର । ଭୁବନେଶ୍ବରର ଏକ ହୋଟେଲରେ ୨୪ଜଣ ବିଜେଡି କର୍ପୋରେଟର ଏକାଠି ହୋଇଛନ୍ତି । ସେମାନଙ୍କ ମଧ୍ୟରେ କୌଣସି ଫାଟ ନାହିଁ । ବିଜେଡି କର୍ପୋରେଟରଙ୍କ ମଧ୍ୟରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ। ସେମାନଙ୍କ ନେତା ନବୀନ ପଟ୍ଟନାୟକ ଓ ସେମାନେ ସମସ୍ତେ ଏକଜୁଟ୍ ହୋଇ ରହିଥିବା କହିଛନ୍ତି ।

ଭୁବନେଶ୍ବର ବିଜେଡିରେ ବିଦ୍ରୋହ ପୁରୁଣା

ନିର୍ବାଚନ ବେଳେ ବି ଭୁବନେଶ୍ବର ଟିକେଟ୍ ପାଇଁ ବିଜେଡିରେ ଜୋରଦାର ଅନ୍ତକନ୍ଦଳ ସାମନାକୁ ଆସିଥିଲା । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଅନନ୍ତ ଜେନା ଓ ଅମରେଶ ଜେନାଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା ତ ଏକାମ୍ରରେ ଅଶୋକ ପଣ୍ଡା ଓ ବିରଞ୍ଚି ନାରାୟଣ ମହାସୁପକାର ଲବି ଚଳାଇଥିଲେ । ଶେଷରେ ଅନନ୍ତ ଜେନା ଓ ଅଶୋକ ପଣ୍ଡା ବିଜେଡି ଟିକେଟରେ ନିର୍ବାଚନ ଲଢିଲେ । ହେଲେ ବିଦ୍ରୋହର ଫଳ ବି ଭୋଗିଲା ବିଜେଡି । ଏକାମ୍ର ବିଜେଡି ହାତରୁ ଗଲା ତ ଅଳ୍ପକେ ଜିତିଲେ ଅନନ୍ତ ଜେନା । ଲୋକସଭା ସିଟ ବି ନେଇଗଲା ବିଜେପି । ଏବେ ପୁଣି ଅନନ୍ତ ଜେନା ଓ ଅଶୋକ ପଣ୍ଡାଙ୍କୁ ନେଇ ବଢିଲାଣି ବିଏମସି କଳି ।

ନବୀନ ନିବାସ ବା ଶଙ୍ଖ ଭବନ ବାହାରେ ବିଜେଡିର ବୈଠକକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ସମୀକ୍ଷକ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଯାଏଁ ଭିକେ ପାଣ୍ଡିଆନ ବଡ ଫ୍ୟାକ୍ଟର ଥିଲେ । ସୁପ୍ରିମୋ ନବୀନ ପଟ୍ଟନାୟକ ହୋଇଥିଲେ ବି ସଂଗଠନ ତଥା ଦଳୀୟ ନିଷ୍ପତ୍ତି ନେଉଥିଲେ ପାଣ୍ଡିଆନ । ତେବେ ସେ ସକ୍ରିୟ ରାଜନୀତିରୁ ନିଜକୁ ପ୍ରତ୍ୟାହାର କରିବା ପରେ ପ୍ରଶ୍ନ ଉଠୁଛି, ପରାଜୟ ପରେ ମୁରବୀଶୂନ୍ୟ ହୋଇଛି କି ବିଜେଡି? ବିଜେଡିରେ ଜୋରଦାର ହେଉଛି କି ଗୋଷ୍ଠୀ କନ୍ଦଳ ? କାହାକୁ ବିଭୀଷଣ କହୁଛନ୍ତି ଅମରେଶ ଜେନା ? କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହୁଛନ୍ତି ?

Leave A Reply

Your email address will not be published.