Latest Odisha News

BREAKING NEWS

ବ୍ରାଣ୍ଡ କିଏ ? ବିଜୁ ନା ନବୀନ ?

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କେବଳ ରାଜ୍ୟ ନୁହେଁ ବିଶ୍ୱ ସ୍ତରରେ ଭାରତର ନାଁ କୁ ଉଜ୍ବଳ କରିବା ତଥା ଦେଶ ପାଇଁ ମଧ୍ୟ ବିଭିନ୍ନ ସମୟରେ ବିଜୁ ବାବୁ ଗୋୖରବ ଆଣି ଦେଇଛନ୍ତି । ଏପରିକି ସେହି ଧାରାକୁ ତାଙ୍କ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ନେଉଥିବା କୁହାଯାଉଛି । ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ୨୪ ବର୍ଷରେ ପଦାର୍ପଣ କରିଛି। ଏପରିକି ଲୋକପ୍ରିୟତା, ଶାସନ କରିବାର ଅବଧି ସବୁ କ୍ଷେତ୍ରରେ ନବୀନ, ବିଜୁଙ୍କୁ ଟପିସାରିଲେଣି ବୋଲି ଚର୍ଚ୍ଚା ହେଉଛି ।

କିନ୍ତୁ ଆଜି ବି କାହିଁକି ସେହି ବିଜୁ ହିଁ ଲୋଡ଼ା ତାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଓଡ଼ିଶା ରାଜନୀତିରେ କଣ ବିଜୁ ବ୍ରାଣ୍ଡ ଏବେ ବି ଉପାଦେୟ ? ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀରେ କିଛି ଝଲକ ଦେଖିବା ପରେ ବିଜୁ ବ୍ରାଣ୍ଡ ପ୍ରସଙ୍ଗ ଉଠିବା ସ୍ୱାଭାବିକ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ଶାସନ ମଧ୍ୟରେ ବହୁ ଯୋଜନା ବିଜୁଙ୍କ ନାଁ ରେ ଚାଲିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ପକ୍କା ଘର, ବିଜୁ ଗ୍ରାମ ଜ୍ୟୋତି, ବିଜୁ କେବିକେ ଯୋଜନା, ବିଜୁ ସେତୁ ଯୋଜନା, ବିଜୁ ଗାଁ ଗାଡି, ବିଜୁ କନ୍ୟାରତ୍ନ ଏବଂ ବିଜୁ ଏକ୍ସପ୍ରେସୱ ଆଦି ଅନ୍ୟତମ। ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ ତିଆରି ହୋଇଥିବା ବେଳେ ବିଜେଡି ଶାସନରେ ଅର୍ଦ୍ଧାଧିକ ଯୋଜନା ବିଜୁ ବାବୁଙ୍କ ନାଁ ରେ ଚାଲିଛି ।

ଏପରିକି ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ବହୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିସହିତ ବିଜୁଙ୍କ ଡାକୋଟା ବିମାନ ଲୋକାର୍ପିତ କରିବା, ପଶ୍ଚିମ ଓଡ଼ିଶାରେ ବହୁ କାର୍ଯ୍ୟକ୍ରମର ଶିଳାନ୍ୟାସ, ଉଦଘାଟନ କରିବା ସହ ନୂଆପଡାରେ ବିଜୁ ଏକପ୍ରେସୱ ଲୋକାର୍ପଣ, ବିଜୁ ଇଣ୍ଡୋର ଷ୍ଟାଡିଅମ ଶିଳାନ୍ୟାସ ଆଦି ବିଜୁ ବ୍ରାଣ୍ଡର ପ୍ରଚାର ପ୍ରସାର ସମ୍ପର୍କିତ ଚର୍ଚ୍ଚାକୁ ବହୁଗୁଣିତ କରିଛି। ତେଣୁ ଆଜିର ରାଜ୍ୟ ରାଜନୀତିରେ ଆଜି ବି ବିଜୁଙ୍କ ଲୋକପ୍ରିୟତା ସବୁଠୁ ଉଚ୍ଚରେ ରହିଛି ବୋଲି ଚର୍ଚ୍ଚା ହେଉଛି ।

ସେଥିପାଇଁ ବିଜେଡିର ଭରସା ଆଜି ବି ବିଜୁବାବୁ ବୋଲି କୁହାଯାଉଛି। କିନ୍ତୁ ଅପରପକ୍ଷରେ ଦେଖିବାକୁ ଗଲେ ନବୀନଙ୍କ ପ୍ରସିଦ୍ଧି ମଧ୍ୟ ଦେଶ ଓ ବିଶ୍ୱ ସ୍ତରରେ ରହିଛି । ବିଜୁ ବାବୁ ନିର୍ବାଚନ ହାରିଥିବା ବେଳେ ନବୀନ କେବେ ନିର୍ବାଚନ ହାରି ନାହାଁନ୍ତି । ଏପରିକି ଓଡ଼ିଶାରେ ଲଗାତାର ନିରଙ୍କୁଶ ଭାବେ ଶାସନ କରି ଚାଲିଛନ୍ତି ନବୀନ । ନବୀନଙ୍କ ବିରୋଧୀ ତାଙ୍କ ବିପକ୍ଷରେ ସଫଳ ଭାବେ ଛିଡ଼ା ହେବାକୁ ସମର୍ଥ ବି ହୋଇପାରୁ ନ ଥିବା ଦେଖାଯାଉଛି ।

ଏଭଳି ସ୍ଥିତିରେ ନବୀନ ବ୍ରାଣ୍ଡର ଲୋକପ୍ରିୟତା ବହୁ ଉଚ୍ଚରେ ଥିବା ବେଳେ ବିଜୁ ବାବୁଙ୍କ ବ୍ରାଣ୍ଡକୁ କାହିଁକି ଆଜି ଯାଏ ଗୁରୁତ୍ୱ ଦିଆଯାଉଛି ତାକୁ ନେଇ ଚର୍ଚ୍ଚା ହେଉଛି । ଏପରିକି ବିଜୁ ବାବୁଙ୍କ ଅବର୍ତ୍ତମାନରେ ରାଜ୍ୟର ଯୁବପିଢି କଣ ବିଜୁଙ୍କ ଦ୍ୱାରା ପ୍ରଭାବିତ କି ବୋଲି ଚର୍ଚ୍ଚା ହେଉଛି । ଯୁବପିଢ଼ିଙ୍କ ସମେତ ପ୍ରାୟ ସମସ୍ତ ବର୍ଗ ମଧ୍ୟରେ ନବୀନ ଲୋକପ୍ରିୟ । ତା ସତ୍ତ୍ୱେ ମଧ୍ୟ ବିଜୁଙ୍କ ବ୍ରାଣ୍ଡର ବ୍ୟାପକ ବ୍ୟବହାରକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ।

Leave A Reply

Your email address will not be published.