Latest Odisha News

BREAKING NEWS

ସତ୍ୟବାଦୀରେ ଏଥର ଉମା ନା ସଞ୍ଜୟ ?

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ବିଧାନସଭା କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ଏଥର ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏହି ମାଟି ସବୁବେଳେ ଟ୍ରେଣ୍ଡରୁ ବାହାରକୁ ଯାଇ ନିଷ୍ପତ୍ତି ଶୁଣାଇଛି। ସତ୍ୟବାଦୀର ଭୋଟରଙ୍କୁ ଜ୍ଞାନୀ ଗୁଣି ଭୋଟର ବୋଲି କୁହାଯାଏ। ସାରା ରାଜ୍ୟରେ ଶାସନ କ୍ଷମତାରେ ଥିବା ଦଳ ଜିତୁଥିବାବେଳେ ସେଠି ସ୍ୱାଧୀନ ପ୍ରାର୍ଥୀମାନେ ବହୁବାର ଜିତିବାର ଉଦାହରଣ ରହିଛି।

ବର୍ତ୍ତମାନ ସତ୍ୟବାଦୀରେ ଉମାକାନ୍ତ ସାମନ୍ତରାୟ ବିଧାୟକ ଥିବାବେଳେ ଆଗାମୀ ନିର୍ବାଚନରେ ରୂପରେଖ କଣ ହେବ ତାକୁ ନେଇ ରାଜନୈତିକ ସ୍ତରରେ ଅଙ୍କକଷା ଆରମ୍ଭ ହୋଇଛି। ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ଠାରୁ ସତ୍ୟବାଦୀ ଟିକେ ଭିନ୍ନ ବୋଲି କୁହାଯାଏ। ରାଜ୍ୟର ସବୁଠୁ ପ୍ରଭାବୀ ଦଳ ବିଜେଡି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଖାତା ଖୋଲି ପାରି ନ ଥିବାବେଳେ ୨୦୧୯ ହିଁ ଖାତା ଖୋଲିବାକୁ ସକ୍ଷମ ହୋଇଥିଲା। ପୂର୍ବରୁ ସେଠାରେ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ଜିତିବା ଦେଖାଯାଏ।

୨୦୧୪ ରେ ସ୍ୱାଧୀନ ଭାବେ ଉମାକାନ୍ତ ସାମନ୍ତରାୟ ବିଧାୟକ ଭାବେ ଜିତିବା ପରେ ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିରେ ମିଶିଥିଲେ। ତା ପରେ ୨୦୧୯ ରେ ବିଜେଡି ପ୍ରାର୍ଥୀ ହେବା ସହ ପୁଣି ଜିତିଥିଲେ। ଏଥର ଉମା ପୁଣି ବିଜେଡି ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଛି। ସେପଟେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଏଥର ସତ୍ୟବାଦୀରୁ ପ୍ରାର୍ଥୀ ହେବା ନେଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

୨୦୦୯ ରେ ସୀମା ପୁନଃ ନିର୍ଦ୍ଧାରଣ ପରେ ବ୍ରହ୍ମଗିରି କଣାସ ଅଞ୍ଚଳର ୧୧ ପଂଚାୟତ ସତ୍ୟବାଦୀରେ ମିଶିଥିଲା। ସେ ସବୁ ଅଞ୍ଚଳରେ ବିଜେଡିର ଭଲ ଦବଦବା ରହିଛି। ପୂର୍ବରୁ ସଞ୍ଜୟଙ୍କର ଏ ସବୁ ଅଞ୍ଚଳରେ ପ୍ରଭାବ ଥିଲା। ଏବେ ବ୍ରହ୍ମଗିରିର ରାଜନୈତିକ ଚିତ୍ର ବଦଳୁଥିବାରୁ ସଞ୍ଜୟ ସତ୍ୟବାଦୀ ଉପରେ ନଜର ପକାଉଥିବା କୁହାଯାଉଛି। ଏପରିକି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସଞ୍ଜୟ ସମ୍ପୃକ୍ତ ୧୧ ପଂଚାୟତରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ ବିଜେପି ମଧ୍ୟ ଗତ ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିଲା। ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ସେଠାରୁ ପ୍ରାର୍ଥୀ ହୋଇ ଭଲ ଭୋଟ ପାଇଥିଲେ। ଏବେ କିନ୍ତୁ ବିଜେପିର ସତ୍ୟବାଦୀରୁ ତିନି ଜଣ ଦାବିଦାର ଥିବା କୁହାଯାଉଛି। ଓମ ପ୍ରକାଶ ମିଶ୍ରଙ୍କ ସହ ପୂର୍ବତନ ବିଧାୟକ ରମା ରଞ୍ଜନ ବଳିଆରସିଂ ଦଳୀୟ ଟିକେଟ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି। ରମାରଞ୍ଜନ ମଧ୍ୟ ଦଳର ପ୍ରମୁଖ ପଦରେ ରହିଛନ୍ତି। ତେଣୁ ଦଳ କାହାକୁ ଟିକେଟ ଦେବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ଏପରିକି ଓମଙ୍କୁ ପୁଣିଥରେ ଟିକେଟ ମିଳିଲେ ରମାଙ୍କ ଆଭିମୁଖ୍ୟ କଣ ରହିବ ତା ଉପରେ ନଜର ରହିଛି। ସେପଟେ କଂଗ୍ରେସର ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ସତ୍ୟବାଦୀରୁ ବହୁବାର ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି। କିନ୍ତୁ ଏଥର ସେ ବିଧାୟକ ଭାବେ ନ ଲଢ଼ିବା ନେଇ ପୂର୍ବରୁ ସୂଚନା ଦେଇଛନ୍ତି। ତେଣୁ ପ୍ରସାଦଙ୍କୁ ଛାଡିଲେ ସେଠାରେ କଂଗ୍ରେସର ସେମିତି କେହି ବଡ଼ ଚେହେରା ନାହାଁନ୍ତି।

କିନ୍ତୁ କଂଗ୍ରେସର ଗୋଟିଏ ବଡ଼ ଭୋଟ ବ୍ୟାଙ୍କ ସେଠି ରହିଛି। ତେଣୁ ଦଳ ସେଠାରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। 2019 ରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଉମାକାନ୍ତ ସାମନ୍ତରାୟ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ୧୭ ହଜାର ୮୧୨ ଖଣ୍ଡ ଭୋଟ ରେ ହରାଇଥିଲେ। ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ମାତ୍ର ୧୧ ହଜାର ୨୭୩ ଖଣ୍ଡ ଭୋଟ ପାଇଥିଲେ।

ସେହିପରି ୨୦୧୪ ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ଉମାକାନ୍ତ ସାମନ୍ତରାୟ ବିଜେଡି ପ୍ରାର୍ଥୀ ରମା ରଞ୍ଜନ ବଳିଆରସିଂଙ୍କୁ ୧୫୬୯ ଖଣ୍ଡ ଭୋଟରେ ହରାଇଥିଲେ। କଂଗ୍ରେସର ପ୍ରସାଦ ହରିଚନ୍ଦନ ୨୫ ହଜାର ୯୦୫ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରସାଦ ହରିଚନ୍ଦନ ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କୁ ୮ ହଜାର ୨୮୦ ଖଣ୍ଡ ଭୋଟରେ ହରାଇଥିଲେ। ରମାରଞ୍ଜନ ବଳିଆରସିଂ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିବା ସହ ୩୧ ହଜାର ୯୮୭ ଖଣ୍ଡ ଭୋଟ ପାଇଥିଲେ।

ସତ୍ୟବାଦୀ ନିର୍ବାଚନରେ ବିଶେଷ କରି ଉମା ରମା ଓ ପ୍ରସାଦଙ୍କ ମଧ୍ୟରେ ଲଢେ଼ଇ ହେଉଥିବା ଦେଖାଯାଏ। କେତେବେଳେ ସ୍ୱାଧୀନ ତ କେତେବେଳେ କଂଗ୍ରେସ ପ୍ରାର୍ଥୀ ଜିତିଥାନ୍ତି। ଏପରିକି ସତ୍ୟବାଦୀରୁ ନୀଳକଣ୍ଠ ଦାସ, ଚନ୍ଦ୍ରମାଧବ ମିଶ୍ର ପ୍ରମୁଖ ଜିତି ବିଧାୟକ ହୋଇଛନ୍ତି। କିନ୍ତୁ ୨୦୧୯ ରେ ଚିତ୍ର ବଦଳିବା ସହ ବିଜେଡି ପ୍ରଥମଥର ପାଇଁ ଜିତିବାକୁ ସକ୍ଷମ ହୋଇଥିଲା। ଉମାଙ୍କର ଏବେ ସତ୍ୟବାଦୀ ସଂଗଠନ ବହୁ ଦୃଢ଼ ରହିଥିବା କୁହାଯାଉଛି। ତା ସହିତ ରମା ମଧ୍ୟ ଏବେ ବିଜେପିରେ। ପ୍ରସାଦ ନ ଲଢ଼ିବା ନେଇ ସଂକେତ ଦେଇଛନ୍ତି। ତେଣୁ ମୋଷ୍ଟ ଅନଏକ୍ସପେକଟେଡ଼ ବୋଲି କୁହାଯାଉଥିବା ସତ୍ୟବାଦୀବାସୀଙ୍କ ଆଗାମୀ ନିର୍ବାଚନରେ ନିଷ୍ପତ୍ତି କଣ ହେବ ତା ଉପରେ ନଜର ରହିଛି।

Leave A Reply

Your email address will not be published.