ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଅମରେନ୍ଦ୍ର ମହାପାତ୍ର ଯେଉଁଦିନ ଗୋବିନ୍ଦପୁର ଗାଁରୁ ବାହାରିଲେ ଟ୍ରେନ୍ ଧରି ଦିଲ୍ଲୀ ଯିବା ପାଇଁ, ସେଦିନ ଗାଁର ଅଧିକାଂଶ ଲୋକ କହିଲେ, ଦିଲ୍ଲୀ ଯିବା ପାଇଁ ଟ୍ରେନ୍ କଣ ଦରକାର, ତମେ ଯେତେବେଳେ ଦିଲ୍ଲୀରୁ ବିମାନ ଧରି ଅଷ୍ଟ୍ରେଲିଆ ଯିବ, ସେତେବେଳେ ଭୁବନେଶ୍ୱରରୁ ଦିଲ୍ଲୀ ବିମାନରେ ଗଲେ ଅସୁବିଧା କେଉଁଠି ଅଛି? ଅମରେନ୍ଦ୍ର ହସିଦେଲେ। କହିଲେ, ବାବୁମାନେ, ମୋ ପିଲାମାନେ ସିନା ଅଷ୍ଟ୍ରେଲିଆରେ ଅଛନ୍ତି, ହେଲେ ମୁଁ ତ ଗାଁରେ ରହୁଛି ନା। ମୋତେ ଦିଲ୍ଲୀରୁ ବିମାନ ଧରି ପୁଅମାନଙ୍କ ପାଖକୁ ଯିବାକୁ ପଡ଼ିବ। ତେଣୁ ଘରୁ ଦୁଇ ଦିନ ଆଗରୁ ବାହାରି ପଡ଼ିଲେ, ଭୁବନେଶ୍ୱରରୁ ଦିଲ୍ଲୀ ବିମାନ ଖର୍ଚ୍ଚଟା ବଞ୍ଚି ଯିବନି? ତା ଛଡ଼ା ମୁଁ ଆଉ କୋଉ ଚାକିରି କରୁଛି ନା ଅଫିସରୁ ଛୁଟି ନେବାର ଦରକାର ପଡୁଛି ଯେ, ମୁଁ ଏତେ କଥା ଚିନ୍ତା କରିବି। ସେ ଯାହା ହେଉ, ନିଜକୁ ନିଜେ ସାନ୍ତ୍ୱନା ଦେଇ ଦିଲ୍ଲୀରେ ପହଞ୍ଚିଗଲେ ଅମରେନ୍ଦ୍ର ମହାପାତ୍ର। ରାତିରେ ଅଛି ବିମାନ। ତେଣୁ ଏବେ ହାତରେ ଅନେକ ସମୟ। ପାଖାପାଖି ଆଠ ଘଣ୍ଟା। ଦିଲ୍ଲୀ ବିମାନ ବନ୍ଦରରେ ବସି ସେ ଭାବୁଥାନ୍ତି ନିଜ ପିଲାମାନଙ୍କ କଥା।
ଜଳସମ୍ପଦ ବିଭାଗରେ କିରାଣି ଚାକିରି କରୁଥିଲେ ଅମରେନ୍ଦ୍ର। ଦରମା ଏତେ ବେଶି ନଥିଲା। କିନ୍ତୁ ଜୀବନରେ କେବେ ହେଲେ କାହାଠୁ ଟଙ୍କାଟିଏ ବି ନେଇନାହାନ୍ତି ସେ। ମାସିକ ଦରମା ବାହାରେ, ଆଉ କିଛି ଅଧିକ ରୋଜଗାର କହିଲେ, ନିଜ ଜମିରୁ ଯାହା କିଛି ମିଳେ, ସେତିକିରେ ମାନ ମହତ ଇତ୍ୟାଦି କାମ ଚଳିଯାଏ। ବାକି ଘରର ସମସ୍ତଙ୍କ ସବୁ ଖର୍ଚ୍ଚ ଦରମାରୁ ଚଳେ। ଏଭଳି ସ୍ଥଳେ ଗାଁ ସ୍କୁଲରେ ପାଠ ପଢ଼ାଇବା ପରେ ପିଲମାନଙ୍କୁ ସହରରେ ବି ପଢ଼ାଇଲେ ଅମରେନ୍ଦ୍ର ମହାପାତ୍ର। ଝିଅ ତ ନାହିଁ। ମାତ୍ର ଦୁଇଟି ପୁଅ। ଉଭୟଙ୍କ ଭିତରେ ବୟସ ତାରତମ୍ୟ ଏଇ ସାଢ଼େ ତିନି ବର୍ଷର। ପିଲାମାନେ ପାଠ ଶାଠ ପଢ଼ିଲେ ସିନା, ହେଲେ ଭାଇ ଭାଇ ଭିତରେ ଭଲ ସମ୍ପର୍କ ରହିଲା ନାହିଁ। ପରସ୍ପର ନିଜକୁ ଅନ୍ୟ ଜଣକ ଅପେକ୍ଷା ଅଧିକ ଦକ୍ଷ ଏବଂ ମାର୍ଜିତ ବୋଲି ଭାବନ୍ତି। କିନ୍ତୁ ସେମିତି କିଛି ନୁହେଁ। ଏଣେ ଜୀବନ ତମାମର ଜମାପୁଞ୍ଜି ସାଙ୍ଗକୁ କିଛି ପୈତୃକ ସମ୍ପତ୍ତି ବିକି ଗୋଟିଏ ପୁଅକୁ ଅଷ୍ଟ୍ରେଲିଆ ପଠାଇଲେ ଅମରେନ୍ଦ୍ର। ଏଇ ଆଶାରେ, ବଡ଼ ପୁଅଟା କିଛି ରୋଜଗାର କଲେ, ଘର ଅନ୍ତତଃ ସୁରୁଖୁରୁରେ ଚଳିବ। ଅମରେନ୍ଦ୍ରଙ୍କ ବଡ଼ ପୁଅ ଅଷ୍ଟ୍ରେଲିଆରେ ଟାକ୍ସି ଡ୍ରାଇଭର। ମଝିରେ ମାସେ ଛୁଟି ନେଇ ଆସିଥିଲା ଯେ, ସେହି ସମୟରେ ତାକୁ ବାହା କରାଇଦେଇଥିଲେ ଅମରେନ୍ଦ୍ର। ଏଣେ ସାନପୁଅ ବି ଜିଦ୍ କଲା, ଭାଇ ଯଦି ଅଷ୍ଟ୍ରଲିଆରେ କାମ କରିବ, ତାହେଲେ ତାକୁ ବି ସେଠାକୁ ଯିବାକୁ ଦିଆଯାଉ। ତେଣୁ ବାଧ୍ୟହୋଇ ଅମରେନ୍ଦ୍ର ବାବୁ ଆଉ କିଛି ଜମି ବିକି ସାନ ପୁଅକୁ ବି ଅଷ୍ଟ୍ରେଲିଆ ପଠାଇଦେଲେ। ଦୁଇ ଭାଇ ସ୍ଥାୟୀ ନାଗରିକତ୍ୱ ପଟ୍ଟା ନେଇ ଏବେ ଅଷ୍ଟ୍ରେଲିଆରେ।
ସାନପୁଅ ପହଞ୍ଚିବା ପରେ, ତାକୁ କିଛି ଅସୁବିଧା ହେଲାନି। କାରଣ ପୂର୍ବରୁ ବଡ଼ପୁଅ ଥିଲା। ଏବେ ତା ସାଙ୍ଗରେ ତା ସ୍ତ୍ରୀ ଓ ଦୁଇଟି ଝିଅ। ଏଣେ ସାନପୁଅ ପହଞ୍ଚିବା ପରେ ଅଷ୍ଟ୍ରେଲିଆରେ ଯାଇ ଭାଇ ଘରେ ରହିଲା ସେ।
ମାସେ ଭାଇ ଘରେ ରହିବା ପରେ ସେଠାକାର ହାବଭାବ, ଚାଲିଚଳଣି ସବୁ କିଛି ଅନୁଧ୍ୟାନ କରିବା ସହିତ, ସେଠାରେ କିଛି କାମ କରିବାକୁ ଚେଷ୍ଟାକଲା ସେ। ଏଥିପାଇଁ ଭାଇ ବି ତାକୁ ସାହାଯ୍ୟ କଲା। ଶେଷରେ ସିଏ ବି ପାଲଟିଗଲା ଜଣେ ଡ୍ରାଇଭର। ବଡ଼ ବିଚିତ୍ର କଥା ହେଉଛି, ଅମରେନ୍ଦ୍ରଙ୍କ ସାନ ପୁଅ ଉପରେ ବଡ଼ଭାଇ ଓ ଭାଉଜଙ୍କ କି ମନ୍ତ୍ର କାମ କଲା କେଜାଣି, ଘରକୁ ଆସିଲା ପରେ ନିଜ ଭାଉଜଙ୍କ ସାନ ଭଉଣୀକୁ ବିବାହ ପାଇଁ ଜିଦ୍ କଲା ଅମରେନ୍ଦ୍ରଙ୍କ ସାନପୁଅ। ବାହାଘର ଶେଷ ହେଲା। ପନ୍ଦର ଦିନ ଯାଇଛି କି ନାହିଁ, ଅମରେନ୍ଦ୍ରଙ୍କ ସାନପୁଅ ଓ ବୋହୂ ବି ଘର ଛାଡ଼ିଲେ।
ଦୁଇ ପୁଅ, ବୋହୂ, ନାତି ନାତୁଣୀ ସମସ୍ତେ ଚାହିଁ ଥିଲେ ଗୋଟିଏ ଘର ନେଇ ଏକାଠି ରହିପାରିଥାନ୍ତେ। ହେଲେ ରହୁଛନ୍ତି ଜଣ ଜଣ କରି। ଏଭଳି ସ୍ଥଳେ ସେମାନଙ୍କଠୁ ବା ଅଧିକ କଣ ଆଶାକରିପାରିବେ ଅମରେନ୍ଦ୍ର। ତଥାପି ମନରେ ଅନେକ ଆଶା ନେଇ ଅଷ୍ଟ୍ରେଲିଆ ଯିବାକୁ ବାହାରିଛନ୍ତି ଅମରେନ୍ଦ୍ର । ପୂର୍ବରୁ ଦୁଇ ଥର ଯାଇଛନ୍ତି ସେ। ନିଜ ଇଚ୍ଛାରେ। ଦୁଇ ମାସ ଲେଖାଏଁ ପିଲାମାନଙ୍କ ପାଖରେ ରହି ଆସିଛନ୍ତି। ହେଲେ ଏଥର ଯାଉଛନ୍ତି, ସେମାନଙ୍କ ଡାକରାରେ। ପିଲାମାନେ କିଛି କାରଣ କହିନାହାନ୍ତି। କେବଳ ଗୋଟିଏ କଥା କହିଛନ୍ତି, ଯେମିତି ହେଲେ ଆସିବାକୁ ହେବ। ନଚେତ୍ ବହୁତ କିଛି ବିଳମ୍ବ ହୋଇଯାଇପାରେ। ଅନେକ ଆଶା ଆଶଙ୍କା ନେଇ ବାହାରୁଛନ୍ତି ଅମରେନ୍ଦ୍ର।
ପିଲାମାନଙ୍କ କଥା ଭାବୁ ଭାବୁ ସେ ଏକଥା ବି ଭାବୁଛନ୍ତି, ଯଦି ପୁଅମାନଙ୍କୁ ଜମି ବିକି ଅଷ୍ଟ୍ରେଲିଆ ଯିବାକୁ ଦେଇନଥାନ୍ତେ, ହୁଏତ ଏଇଠି ଗାଁରେ ସେମାନଙ୍କ ପାଖରେ ଥାଆନ୍ତେ ଦୁଇ ପୁଅ। ପତ୍ନୀ ରୋଗୀ। ସେ ନିଜେ ବି ଅନେକ ସମୟରେ ଅସୁସ୍ଥ। ଏଭଳି ସ୍ଥଳେ ପିଲାମାନେ ପାଖରେ ନଥିବା କେତେ ଯନ୍ତ୍ରଣାଦାୟକ, ତାଙ୍କଠାରୁ ବା ଅଧିକ କିଏ ଜାଣିପାରେ? ହେଲେ ତୂଣୀରରୁ ଥରେ ଶର ବାହାରି ଯାଇଛି ଯେତେବେଳେ, ତା ବାବଦରେ ଅଧିକ ଚିନ୍ତା କରିବାର କଣ ମାନେ ଅଛି।
ଗାଁରେ ଅମରେନ୍ଦ୍ରଙ୍କ ଶୁଦ୍ଧସୁବର୍ଣ୍ଣ ଭୂଇଁ। ଦୋ ଫସଲୀ ନୁହେଁ, ବରଂ ତିନି-ଫସଲୀ ସମ୍ପତ୍ତି। ତାକୁ ଯେତେବେଳେ ଯାଚିଲା ଭଳି ବିକିବ, ତାହେଲେ ତାକୁ ତ ଲୋକେ ଶାଗମାଛ ଦରରେ କିଣିବାକୁ ପ୍ରସ୍ତୁତ ହୋଇଯିବେ। ମନରେ ଏମିତି ଚାଲିଥିବା ଅନେକ କଥା ବେଳେ ବେଳେ ବାହାରେ କାହା ଆଗରେ କହିବାକୁ ମନ ବଳେନି। ସେଥିପାଇଁ ମନେ ମନେ ଗୋଳେଇଘାଣ୍ଟି ହେଉଥାନ୍ତି ସେ। କେତେବେଳେ ଦିଲ୍ଲୀ ବିମାନବନ୍ଦରରେ ସମୟ ପଳେଇଗଲା କିଛି ଜାଣି ହେଲାନି। ସିଙ୍ଗାପୁର ଏୟାରଲାଇନ୍ସର ବିମାନରେ ବସି ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କଲେ ସେ। ପ୍ରାୟ ବାର ତେର ଘଣ୍ଟାର ଯାତ୍ରା ପରେ ଶେଷରେ ପହଞ୍ଚିଲେ ଅଷ୍ଟ୍ରେଲିଆରେ ସେ। ବିମାନବନ୍ଦରରୁ ବାହାରକୁ ଆସି ଅପେକ୍ଷା କରିଥାନ୍ତି ଅମରେନ୍ଦ୍ର, ଦୁଇ ପୁଅଙ୍କ ଭିତରୁ କେହି ଜଣେ ତ ଆସିବ ତାଙ୍କୁ ନେବା ପାଇଁ। କିନ୍ତୁ ସେମିତି କିଛି ହେଲାନି। ବୟସ୍କ ଅମରେନ୍ଦ୍ର ନିଜ ପାଇଁ ଟାକ୍ସି ଯୋଗାଡ଼ କରି ପହଞ୍ଚିଲେ ବଡ଼ପୁଅ ଘରେ।
ବଡ଼ପୁଅର ଦୁଇ ଝିଅ। ଜଣେ ଦଶବର୍ଷର, ଆଉ ଜଣେ ମାତ୍ର ତିନି ବର୍ଷର। ଏବେ ପ୍ଲେ ସ୍କୁଲକୁ ଯାଉଛି। ପୁଅ ଓ ବୋହୂ ଉଭୟେ କାମ କରୁଛନ୍ତି। ତେଣୁ ଏଇ ଦଶବର୍ଷର ଝିଅ ଏବେ ସାନ ଝିଅର ଯତ୍ନ ନେଉଛି। ଅମରେନ୍ଦ୍ର ଯେତେବେଳେ ସେଇଠି ପହଞ୍ଚିଲେ, ଦୁଇ ଛୁଆଙ୍କ ଆନନ୍ଦ କହିଲେ ନ ସରେ। ଦୌଡ଼ି ଆସି କୁଣ୍ଢାଇ ଧରି ପକାଇଲେ ଜେଜେଙ୍କୁ। ତା ପରେ ଆରମ୍ଭ ହେଲା ଯାବତୀୟ ପ୍ରଶ୍ନ। ଜେଜେମା କେମିତି ଅଛନ୍ତି। ତାଙ୍କୁ କାହିଁକି ଆଣିଲ ନାହିଁ? ଅମରେନ୍ଦ୍ର ନିଜ ବ୍ୟାଗ୍ ଖୋଲି, ପିଲାମାନଙ୍କୁ ସେମାନଙ୍କ ପାଇଁ ନେଇଥିବା ନୂଆ ପୋଷାକ ଦେଲେ। ଆଉ ଅପେକ୍ଷା କରି ରହିଲେ ପୁଅ ବୋହୂଙ୍କୁ। ସନ୍ଧ୍ୟାରେ ଘରକୁ ଫେରିଲେ ପୁଅ ବୋହୂ। ବିମାନବନ୍ଦରକୁ ଯାଇ ତାଙ୍କୁ ଘରକୁ ଆଣିବା କଥା କହିବା ଉଦ୍ଦେଶ୍ୟରେ ପୁଅ କହିଲା, ବାପା, ମୋର ବହୁତ କାମ ଥିଲା, ତା ଛଡ଼ା ତୁମ ବୋହୂ ବି ତ ଏବେ କାମ କରୁଛି। ଏଣୁ ଏଇଠି କୌଣସି ଏମିତି ଗୁରୁତ୍ୱ ନଥିବା କାମ ପାଇଁ ଛୁଟି ମିଳିବା କଷ୍ଟକର କଥା। ଅମରେନ୍ଦ୍ର ଭାବୁଥାନ୍ତି, ବୟସ୍କ ବାପାକୁ ବିମାନବନ୍ଦରରୁ ଘରକୁ ଆଣିବା ଗୋଟିଏ ଗୁରୁତ୍ୱହୀନ କାମ? ତଥାପି କିଛି କହିଲେ ନାହିଁ ସେ। ବଡ଼ପୁଅ, ବୋହୂ ଓ ନାତୁଣୀମାନଙ୍କ ପାଖରେ ପ୍ରାୟ ଗୋଟିଏ ସପ୍ତାହ ରହିବା ପରେ, ସେ ସାନ ପୁଅ ବୋହୂ ପାଖକୁ ଯିବାକୁ ବାହାରିଲେ। ବଡ଼ପୁଅ ନିଜ ଟାକ୍ସିରେ ବାପାଙ୍କୁ ନେଇ ପହଞ୍ଚିଲା ସାନ ଘରେ। ସେଠାରେ ସାନର ପୁଅ ଝିଅ କେହି ନାହିଁ। ପୁଅ ବୋହୂ ସହିତ ଦେଖା ହେବା ପରେ, ସେ ପଚାରିଲେ, ଦୁଇ ଭାଇ ଏକାଠି ବସି ମୋତେ କହ, କଣ ପାଇଁ ଡକାଇଥିଲ ମୋତେ ତୁମେମାନେ?
ଅମରେନ୍ଦ୍ରଙ୍କ ଏହି ପ୍ରଶ୍ନରେ ପରିସ୍ଥିତି ଅତି ଗମ୍ଭୀର ହୋଇଉଠିଲା। କେହି କିଛି କହିଲେ ନାହିଁ। ପରସ୍ପରର ମୁହଁକୁ ଦେଖୁଥାନ୍ତି ସେମାନେ। ଏତିକି ବେଳେ ସାନବୋହୂ କହିଲା, ବାପା .. ଏବେ ତେ ଆଉ ଆପଣ ଜମିରେ କାମ କରିପାରୁନାହାନ୍ତି। ଜମିବାଡ଼ି ଯେତେ ଅଛି, ତାକୁ ଆଉ କଣ ପାଇଁ ରଖିଛନ୍ତି? ତା ଛଡ଼ା ସେ ଜମି ଯଦି ବିକି ଦିଆଯାଏ, ତାହେଲେ ଆମେ ଏଇଠି ସେଇ ପଇସାରେ ଆଉ ଟିକିଏ ଭଲ ଘର କିଣି ପାରିବୁ। ବାପା, ଆପଣ ଗୋଟିଏ କାମ କରନ୍ତୁ, ଜମି ସବୁ ବିକି ଆମକୁ ଦେଇ ଦିଅନ୍ତୁ। ଏତିକି ବେଳେ ବଡ଼ ପୁଅ କହିଲା, ଗାଁର ସେ ଯେଉଁ ବଡ଼ ଘରଟା ଅଛି, ତାକୁ ବି ବିକି ଦିଅନ୍ତୁ। ସେ ପଇସାଟା ମୋତେ ଦେଇ ଦିଅନ୍ତୁ। ଏଇ କଥା ଶୁଣିଲା ପରେ ଅମରେନ୍ଦ୍ର ବାବୁ କେମିତି ବିବ୍ରତ ହୋଇଯାଉଥାନ୍ତି। କେବଳ ସାନ ବୋହୂ ଏବଂ ବଡ଼ ପୁଅର ମୁହଁକୁ ଜଳକାଙ୍କ ଭଳି ଅନାଇ ରହିଥାନ୍ତି ସେ। ତା ପରେ ପଚାରିଲେ, ଆଛା ଜମିବାଡ଼ି ଘରଦ୍ୱାର ସବୁ ବିକିଦେଲା ପରେ ଆମେ ବୁଢ଼ାବୁଢ଼ୀ କୁଆଡ଼େ ଯିବୁ? ସାନବୋହୂ ସାଙ୍ଗେ ସାଙ୍ଗେ ଗାୟକକୁ ପାଳିଆ ପାଳି ଧରିଲା ଭଳି କହିଦେଲେ, ସେ ଗାଁରେ ଯେଉଁ ସାବତ ଘର ଦୁଇ ବଖରା ଅଧିକ ଘର ଅଛି, ତାକୁ ଆମେ ଭଡ଼ାରେ ନେଇଯିବା। ସେଥିପାଇଁ ପ୍ରତିମାସରେ ଆମେ ଆପଣଙ୍କ ପାଖକୁ ପଇସା ପଠାଇବୁ। ଆଉ ଅସୁବିଧା କଣ? ଏତକ ଶୁଣିଲା ପରେ ଅମରେନ୍ଦ୍ର ଗୋଟିଏ ଖୋଲା ହସ ହସିଲେ। ଏମିତି ହସିଲେ ଯେ, ଲାଗିଲା ସତେଯେମିତି ସେ ଏଇ ମୁହୂର୍ତ୍ତରେ ପାଗଳ ହୋଇଯିବେ। ସାଧାରଣତଃ ଗମ୍ଭୀର ରହୁଥିବା ଅମରେନ୍ଦ୍ରଙ୍କ ଏଭଳି ରୂପ ତାଙ୍କ ପିଲାମାନେ କେବେ ଦେଖି ନଥିଲେ। ତା ପରେ ସଙ୍ଗେ ସଙ୍ଗେ ଅମରେନ୍ଦ୍ର କହିଲେ, ଠିକ୍ ଅଛି। ତୁମମାନେ ଏଇ କଥା ଯଦି କହିବାର ଥିଲା, ତାହେଲେ ମୋତେ ଗାଁକୁ ଆସି କହିଲ ନାହିଁ କାହିଁକି? ଯଦି ଗାଁକୁ ଆସିବା ପାଇଁ ତମକୁ ଏତେ କଷ୍ଟ, ତାହେଲେ ଫୋନରେ କଥା ହେଲା ବେଳେ କହିଲ ନାହିଁ କାହିଁକି? ଏଇତକ କଥା କହିବା ପାଇଁ ତମେମାନେ ମୋତେ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଡାକିବା କଣ ପ୍ରକୃତରେ ଜରୁରୀ ଥିଲା? ଏମିତି ସ୍ଥଳେ ସାନପୁଅ କହିଲା, ବାପା, ପ୍ରକୃତ କଥା ହେଲା, ଆମେ ଯଦି ଏଇ କଥାଟା ଫୋନରେ କହିଥାନ୍ତୁ, ତାହେଲେ ହୁଏତ ମାଆ ଏହାକୁ ବିରୋଧ କରିଥାନ୍ତା। ଅମରେନ୍ଦ୍ର ଆଉ କିଛି କହିଲେ ନାହିଁ। ସେଦିନ ରାତିରେ ସାନପୁଅର ଘରେ ସେ କଣ ଖାଇଛନ୍ତି ତାଙ୍କର ମନେ ନାହିଁ। ପରଦିନ ସକାଳୁ ପିଲାମାନେ ଉଠିବା ପୂର୍ବରୁ ସେ ବିମାନବନ୍ଦରରେ ହାଜର। ଘରକୁ ଫେରିଛନ୍ତି ଗୁମ୍ ଶୁମ୍ ହୋଇି। ଏତେ ଶୀଘ୍ର ଅଷ୍ଟ୍ରେଲିଆରୁ ଅମରେନ୍ଦ୍ର ଫେରିଯିବେ ବୋଲି କେବେ ବି ଭାବି ନଥିଲେ ତାଙ୍କ ପତ୍ନୀ। ସଙ୍ଗେ ସଙ୍ଗେ ସେ ଭିଡିଓ କଲ୍ କରି ପିଲାମାନଙ୍କୁ ସିଧାସଳଖ ଜଣାଇ ଦେଲେ, ଜମି କିମ୍ବା ଘରଦ୍ୱାର କିଛି ବିକିବାର ନାହିଁ। ହଁ ତୁମକୁ ଯଦି ଦରକାର ଅଛି, ଆମେ ଅନ୍ତେ ତମେ ଏ ଜମି ଓ ଘର ଯାହା କରିବା ଅଛି କରିବ। ଆଜିଠାରୁ ଏ ବାବଦରେ ତୁମମାନଙ୍କ ସାଙ୍ଗରେ କୌଣସି କଥାବାର୍ତ୍ତା ନାହିଁ।
ମିଡିଆ ଷ୍ଟଡିଜ
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.