Latest Odisha News

BREAKING NEWS

ରାଜ୍ୟସଭା ରେସରେ ‘ଜଗନ୍ନାଥ’ ଟୁଇଷ୍ଟ

ଭୁବନେଶ୍ବର: ବିଜେପିର ରାଜ୍ୟସଭା କନଫ୍ୟୁଜନ ! ରାଜ୍ୟସଭା ପାଇଁ କାହାକୁ ସମର୍ଥନ କରିବେ ବିଜେପି ବିଧାୟକ? ଦଳ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ନାମାଙ୍କନ ଭରିଛନ୍ତି ତ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମମତାଙ୍କ ନାଁ ମଙ୍ଗଳବାର ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରବାରୀ ଅରୁଣ ସିଂ । ଏହାପରେ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଥିଲେ ମମତା ମହନ୍ତ । ତେବେ ତାଙ୍କ ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ଭରିବା ରାଜ୍ୟସଭା ଲଢେଇକୁ ରୋଚକ କରିଛି ।

କାହା ସମର୍ଥନରେ ବିଜେପି ?

ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଥିଲେ କୁଡୁମୀ ନେତ୍ରୀ ମମତା ମହନ୍ତ । ତାଙ୍କୁ ପୁଣି ରାଜ୍ୟସଭା ପଠାଇବାକୁ ବିଜେପି ନିଷ୍ପତ୍ତି ନେବା ପରେ ମମତା ବୁଧବାର ବିଧାନସଭାରେ ପହଞ୍ଚି ନାମାଙ୍କନ ଭରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ବି ରହିଥିଲେ । ତେବେ ପରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ତାଙ୍କ ନାମାଙ୍କନରେ ବି ୧୦ଜଣ ବିଧାୟକ ପ୍ରସ୍ତାବକ ରହିଛନ୍ତି । ଅଗସ୍ତି ବେହେରା, ଦୁର୍ଗାପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ବାଇଁ, ଲକ୍ଷ୍ମଣ ବାଗଙ୍କ ପରି ବିଜେପି ବିଧାୟକ ଜଗନ୍ନାଥଙ୍କ ପାଇଁ ପ୍ରସ୍ତାବକ ପଡିଛନ୍ତି ।

ମମତା ପ୍ରାର୍ଥୀ…କାହିଁକି ଜଗା ଭରିଲେ ନାମାଙ୍କନ?

ମମତା ମହନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ କାହିଁକି ନାମାଙ୍କନ ପତ୍ର ଭରିଛନ୍ତି ଜଗନ୍ନାଥ ପ୍ରଧାନ? ଏନେଇ ସ୍ପଷ୍ଟ ଜଣାପଡିନଥିଲେ ବି ଜଗନ୍ନାଥଙ୍କୁ ବିଜେପି ଡମି ପ୍ରାର୍ଥୀ କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପି ରାଜ୍ୟରେ କ୍ଷମତାରେ ରହିଥିବା ବେଳେ ବିଜେପି ବିଧାୟକ ଏଭଳି ଖୋଲାଖୋଲି ଦଳର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ସମ୍ଭାବନା କମ୍ । ବିଜେପି ବିରୋଧରେ ଯାଇ ଯେ ଜଗନ୍ନାଥ ପ୍ରଧାନ ନାମାଙ୍କନ ଭରିଥିବେ, ସେକଥା ବି ବିଶ୍ବାସ କରିହେଉନି । ତାଙ୍କ ପ୍ରସ୍ତାବକ ହୋଇ ମଧ୍ୟ ବିଜେପି ନେତୃତ୍ବ ବିରୋଧରେ ଦଳୀୟ ବିଧାୟକ ଯିବା ଏକପ୍ରକାର ଅସମ୍ଭବ । ତେବେ ବିଜେପିର ଭିନ୍ନ ଗୋଷ୍ଠୀ ଜଗାଙ୍କ ନାମାଙ୍କନ ପଛରେ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କ’ଣ କହୁଛି ସଂଖ୍ୟା ଗଣିତ?

ରାଜ୍ୟ ବିଧାନସଭାରେ ୭୮ଟି ସିଟ୍ ସହ ବିଜେପିର ବହୁମତ ରହିଛି । ତେଣୁ ବିଜେପି ସମର୍ଥିତ ପ୍ରାର୍ଥୀ ଯେ ରାଜ୍ୟସଭାକୁ ଯିବେ ସେଥିରେ ଆଦୌ ସନ୍ଦେହ ନାହିଁ। ତେଣୁ ଜଗନ୍ନାଥ ପ୍ରଧାନ ବିଦ୍ରୋହ କରିବା ଥିଓରୀ ସତ ହେଲେ ବି ତାଙ୍କର ବିଜୟ ସମ୍ଭାବନା କମ୍। କାରଣ ପ୍ରସ୍ତାବକ ସାଜିଥିବା ୧୦ବିଜେପି ବିଧାୟକଙ୍କ ସହ ବିଜେଡି, କଂଗ୍ରେସ ଓ ସିପିଏମ୍ ଜଗନ୍ନାଥଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କଲେ ବି ସଂଖ୍ୟା ୭୬ରେ ପହଞ୍ଚିବ । ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ବିଜେପି ପ୍ରତି ହିଁ ରହିବ, କାରଣ ସେମାନେ ପୂର୍ବରୁ ବିଜେପି ସହ ଥିଲେ। ସଂଖ୍ୟା ସ୍ପଷ୍ଟ ରୂପେ ବିଜେପି ସପକ୍ଷରେ ରହିଥିବା ବେଳେ ଜଗନ୍ନାଥ ପ୍ରଧାନଙ୍କ ପରି ବରିଷ୍ଠ ନେତା ବିଦ୍ରୋହ କରି ରିସ୍କ ନେବେନି । ତେବେ ବିରୋଧୀ ଆସନରେ ଥିବା ବିଜେଡି ପାଖରେ ୫୧ ସିଟ୍ ଥିବାରୁ ରାଜ୍ୟସଭା ନିର୍ବାଚନରେ ଘୋଡ଼ାବେପାର ଆଶଙ୍କା କରୁଥାଇପାରେ ବିଜେପି। କାରଣ ରାଜ୍ୟସଭା ନିର୍ବାଚନରେ ପ୍ରଥମ ପସନ୍ଦ, ଦ୍ବିତୀୟ ପସନ୍ଦ ଶ୍ରେଣୀ ଥିବାରୁ ପୂର୍ବରୁ ବି ଅନେକ ଥର ଘୋଡା ବେପାର ହୋଇଛି । ବିଜେଡି କଂଗ୍ରେସ ସହ ମିଶି କିଛି ଗୋଟି ଚଳାଇଲେ ବି ତାର ଜବାବ ଦେବା ପାଇଁ ଜଗନ୍ନାଥ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଥାଇପାରେ ବୋଲି କୁହାଯାଉଛି ।

Comments are closed.