Latest Odisha News

କାହିଁକି ପହଲଗାମକୁ ବାଛିଲେ ଆତଙ୍କୀ?

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ହମଲାରେ ୨୮ଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାରର ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହି ଆତଙ୍କୀ ହମଲା ପାଇଁ ବହୁ ପୂର୍ବରୁ ଯୋଜନା କରାଯାଇଥିବା ଜଣାପଡ଼ିଛି । ମୃତାହତ ସଂଖ୍ୟା ବଢାଇବା ସହ ଜାମ୍ମୁ କାଶ୍ମୀରରେ ଭୟର ବାତାବରଣ ସୃଷ୍ଟି କରିବାକୁ ହୋଇଥିଲା ପ୍ଲାନ୍ । ଆଉ ଯୋଜନାବଦ୍ଧ ଭାବେ ପହଲଗାମକୁ ହିଁ ବାଛିଥିଲେ ଆତଙ୍କବାଦୀ । ପର୍ଯ୍ୟଟକ ବହୁଳ ଅଞ୍ଚଳକୁ ଟାର୍ଗେଟ୍ କରିବା ସହ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଭାରତ ଗସ୍ତ ସମୟରେ ହମଲା ପ୍ଲାନ୍ କରିଥିଲେ ଆତଙ୍କୀ ।

କାହିଁକି ପହଲଗାମ?

ପହଲଗାମର ବୈସରନ ଘାଟିରେ ହିଁ ନରସଂହାର କରି ସୁରକ୍ଷା ବ୍ୟବସ୍ଥାକୁ ନାଲିଆଖି ଦେଖାଇଛନ୍ତି ଆତଙ୍କବାଦୀ । ପହଲଗାମ୍ ହେଉଛି ଜାମ୍ମୁ କାଶ୍ମୀରର ଅନ୍ୟତମ ପର୍ଯ୍ୟଟନସ୍ଥଳୀ । ଅମରନାଥ ଯାତ୍ରା ବେଳେ ବି ଏଠାରେ ବେସକ୍ୟାମ୍ପ କରାଯାଏ । ୨୦୧୮ରୁ କାଶ୍ମୀର ଉପତ୍ୟକାର ପହଲଗାମରେ ପର୍ଯ୍ୟଟକ ସଂଖ୍ୟା ବଢିଆସିଛି । ଯାହା ଜାମ୍ମୁ କାଶ୍ମୀରରେ ଜନଜୀବନ ପୁଣି ସ୍ବାଭାବିକ ଧାରାରେ ଆଗେଇ ଚାଲିବା ନେଇ ଦର୍ଶାଉଥିଲା । ତେଣୁ ଭୟ ଖେଳାଇବାକୁ ପହଲଗାମରେ ହିଁ ଆକ୍ରମଣ କରିବାକୁ ପ୍ଲାନ୍ କରିଥିଲେ ଆତଙ୍କୀ । ଆଉ ଅପେକ୍ଷା କରିଥିଲେ ଏଠାକାର ପର୍ଯ୍ୟଟନ ଋତୁକୁ । ପିକ୍ ସିଜିନରେ ହିଁ ପହଲଗାମରେ ଭିଆଇଥିଲେ ନରସଂହାର । ଆଉ ଆତଙ୍କୀଙ୍କୁ ଖସି ପଳାଇଯିବା ପାଇଁ ସହଯୋଗ କରିଥିଲା ପହଲଗାମର ଘଞ୍ଚ ପାଇନ୍ ଜଙ୍ଗଲ ।

ସୁରକ୍ଷାକୁ ନାଲିଆଖି ପର୍ଯ୍ୟଟନକୁ ପ୍ରହାର

ଜାମ୍ମୁ କାଶ୍ମୀରରେ ଏବେବି ସକ୍ରିୟ ରହିଛନ୍ତି ଆତଙ୍କବାଦୀ। ଏକଥା ଦେଖାଇବା ସହ ସୁରକ୍ଷା ବ୍ୟବସ୍ଥାକୁ ନାଲିଆଖି ଦେଖାଇ ହମଲା କରିଥିଲେ । ତେବେ ଆତଙ୍କୀ ଟାର୍ଗେଟ୍ ପଛରେ ରହିଥିଲା ପର୍ଯ୍ୟଟନ ଶିଳ୍ପ ଉଜାଡିବାର ବଡ଼ ପ୍ଲାନ୍ । କାଶ୍ମୀର ଉପତ୍ୟକା ଗତ କିଛି ବର୍ଷ ହେଲା ଶାନ୍ତ ରହିଥିବା ବେଳେ ସେଠାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଯାଉଥିଲେ । ହେଲେ ପହଲଗାମ ଆକ୍ରମଣ ସେଠାକାର ଲୋକଙ୍କ ରୋଜଗାର ଉପରେ ବଡ଼ ପ୍ରହାର ହୋଇଛି । ଘଟଣା ପରେ ପର୍ଯ୍ୟଟନଙ୍କ ସଂଖ୍ୟା କମିବ । ଯାହାର ସିଧା ପ୍ରଭାବ ଏଠାକାର ଅର୍ଥନୀତି ଉପରେ ପଡିବ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସାଙ୍ଗକୁ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ପ୍ରତି ସମର୍ଥନ ବଢିପାରେ । ତେଣୁ ପହଲଗାମ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରକୁ ଅଶାନ୍ତ କରିବାକୁ ଯୋଜନା କରିଛନ୍ତି ଆତଙ୍କବାଦୀ ।

ହମଲାର ସମୟକୁ ନେଇ ପ୍ଲାନ୍

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଭାରତ ଗସ୍ତ ସମୟରେ ହିଁ ପହଲଗାମରେ ଯୋଜନାବଦ୍ଧ ଆକ୍ରମଣ କରିଛନ୍ତି ଆତଙ୍କୀ । ଏହାପଛରେ କାରଣ ହେଉଛି, ଘଟଣାକୁ ଅନ୍ତର୍ଜାତୀୟ କରିବା । ଜାଣିଶୁଣି ହମଲାର ଟାଇମିଂକୁ ଭାନ୍ସଙ୍କ ଭାରତ ଗସ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଆରବ ଗସ୍ତ ସମୟରେ କରାଯାଇଥିବା କୁହାଯାଉଛି । ପୂର୍ବରୁ ମଧ୍ୟ ବିଦେଶୀ ଅତିଥୀ ଦେଶରେ ଥିବା ବେଳେ  ବଡ଼ ଆଟାକ୍ କରିଛନ୍ତି ଆତଙ୍କୀ । ଇଂଲଣ୍ଡ କ୍ରିକେଟ୍ ଟିମ ଭାରତରେ ଥିବା ବେଳେ ୨୬/୧୧ ଆକ୍ରମଣ ହୋଇଥିଲା । ସେହିପରି ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଭାରତ ଗସ୍ତର ଦିନକ ପୂର୍ବରୁ ଜାମ୍ମୁ କାଶ୍ମୀରର ଅନନ୍ତନାଗର ଚିଟ୍ଟିସିଂହପୋରା ଗାଁରେ ନରସଂହାର କରିଥିଲେ ଆତଙ୍କୀ ।

ପହଲଗାମକୁ ପର୍ଯ୍ୟଟକ-ଅନୁକୁଳ ସ୍ଥାନ ଭାବେ ପ୍ରମୋଟ କରିଆସୁଛନ୍ତି କେନ୍ଦ୍ର ସରକାର । ଗତ କିଛି ବର୍ଷ ଧରି କାଶ୍ମୀରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଫିଲ୍ମ ସୁଟିଂ ପାଇଁ ସ୍ବତନ୍ତ୍ର ନୀତି କରାଯାଇଛି । ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିକୁ କାଶ୍ମୀର ଉପତ୍ୟକାରେ ଶାନ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଇଥିଲା । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇଥିଲା । ହେଲେ ପହଲଗାମ ଆକ୍ରମଣ ଦ୍ବାରା ଭୟ ଖେଳାଇବାକୁ ଉଦ୍ୟମ କରିଛନ୍ତି ଆତଙ୍କୀ ।

Comments are closed.