Latest Odisha News

BREAKING NEWS

କାହିଁକି ଆତ୍ମହତ୍ୟା କଲେ ରମାଦେବୀ କଲେଜର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ?

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ହଷ୍ଟେଲ ଭିତରେ ବୁଧବାର ଯୁକ୍ତ ୨ ଛାତ୍ରୀ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତ ଛାତ୍ରୀ ହେଉଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ପ୍ରଜ୍ଞା ମହାନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ପାଠପଢାରୁ ପ୍ରଜ୍ଞା ମାନସିକ ଚାପରେ ଥିଲେ ବୋଲି ଅନୁମାନ କରାଯାଉଛି।

ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି। ଯେଉଁଥିରେ ଛାତ୍ରୀ ଜଣଙ୍କ ମାନସିକ ଚାପରେ ଥିବା ଲେଖାଯାଇଛି ବୋଲି କୁହାଯାଉଛି। ଯେହେତୁ ଏବେ ପରୀକ୍ଷା ଚାଲିଛି ତେଣୁ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ନାନା ପ୍ରଶ୍ନ ଉଠିଛି। ମୁଖ୍ୟତଃ ପାଠପଢାରେ ଅବହେଳା ନା ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନାହାନ୍ତି ସେ ନେଇ ପ୍ରଶ୍ନ ଉଠିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଛାତ୍ରୀ ଜଣକ ପାଠପଢ଼ାରେ ଅତ୍ୟଧିକ ଚାପରେ ଥିଲେ ଏବଂ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ। ଏହା ତାଙ୍କୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥାଇପାରେ ବୋଲି ଜୋନ୍-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି। ସେପଟେ ପ୍ରିନ୍ସିପାଲ କହିଛନ୍ତି, କଲେଜ ହଷ୍ଟେଲରେ ରହୁଥିବା ପ୍ରଜ୍ଞା ଗତ ଦୁଇ ଦିନ ହେବ ଚାପରେ ଥିଲେ।

ପ୍ରଜ୍ଞା ଯୁକ୍ତ ୨ ପରୀକ୍ଷାରେ ସମସ୍ତ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଥିଲେ। ସେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ଗତ ଦୁଇ ଦିନ ହେବ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ୍ ଜବତ ହୋଇଛି ବୋଲି କହିଛନ୍ତି କଲେଜର ଅଧ୍ୟାପିକା ଉର୍ମିଳା ଦାସ। ସେ ସାଇନ୍ସ ପଢିବାକୁ ଇଚ୍ଛା ରଖିଥିଲେ ହେଲେ ଆର୍ଟସ ପଢିବାରୁ ଅସନ୍ତୋଷ ଥିଲେ ବୋଲି ସେ ଶୁଣିବାକୁ ପାଇଥିବା କହିଛନ୍ତି। କିନ୍ତୁ ଏହା ପାରିବାରିକ ନିଷ୍ପତ୍ତି ଏଥିରେ କିଛି କହିବାର ଆବଶ୍ୟକ ନାହିଁ ବୋଲି ଅଧ୍ୟାପିକା ଜଣଙ୍କ କହିଛନ୍ତି।

Leave A Reply

Your email address will not be published.