Latest Odisha News

ରାହୁଲ ଓ ଖଡ଼ଗେ କାହିଁକି ଆସିଲେନି ଲାଲକିଲ୍ଲା? ବିଜେପିର ଅଭିଯୋଗରେ କଂଗ୍ରେସର ଜବାବ

ନୂଆଦିଲ୍ଲୀ: ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଏହାକୁ ନେଇ ବିଜେପି କଂଗ୍ରେସକୁ କଟାକ୍ଷ କରିଛି। ବିଜେପି କହିଛି, ଏହା ଦେଶର ଅପମାନ। କଂଗ୍ରେସ କହିଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧୀ ଦଳ ପ୍ରତି ମନୋଭାବ ଏହାର କାରଣ। କଂଗ୍ରେସ ନେତା ଗୁରଦୀପ ସିଂହ ସପ୍ପଲ କହିଛନ୍ତି, ମୋଦୀ ଲଗାତାର ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି ଓ ଦେଶର ଏକତାକୁ କ୍ଷତି ପହଞ୍ଚାଉଛନ୍ତି।

ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, ରାହୁଲ ଓ ଖଡ଼ଗେଙ୍କ ଅନୁପସ୍ଥିତି ଦେଶର ଅପମାନ। ସେ କହିଛନ୍ତି, ଲାଲ କିଲ୍ଲାରେ ହୋଇଥିବା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଏକ ଜାତୀୟ ପର୍ବ। ଏହା କୌଣସି ଜନ୍ମଦିନ କିମ୍ବା ଦଳୀୟ କାର୍ଯ୍ୟକ୍ରମ ନୁହେଁ। କଂଗ୍ରେସ ଏହାର ବର୍ଜନ କରି ତଳସ୍ତରକୁ ଯାଇଛି।

ଗୁରଦୀପ ସିଂହ ସପ୍ପଲ ବିଜେପିର ଅଭିଯୋଗର ଜବାବ ଦେଇଛନ୍ତି। ସେ କହିଛନ୍ତି, ଗତ ୧୧ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ଏକତା ବଦଳରେ ବିରୋଧୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ମୋଦୀଙ୍କ ଭାଷଣରେ ଲାଗୁଛି ଯେମିତି ଦେଶ ୨୦୧୪ରେ ଜାଗ୍ରତ ହୋଇଛି। ସେ କହୁଛନ୍ତି ଭାରତ ଖାଦ୍ୟା ଉତ୍ପାଦନ, ଚାଉଳ, ମସଲା, ଫଳରେ ନମ୍ବର ଓ୍ୱାନ। କିନ୍ତୁ ସେ କହିବାକୁ ଭୁଲିଯାଉଛନ୍ତି ଯେ ଏହା ଇନ୍ଦିରା ଗାନ୍ଧୀଙ୍କ ସବୁଜ ବିପ୍ଲବ, ରାଜୀବ ଗାନ୍ଧୀଙ୍କ ଅୟଲ ସିଡ ମିଶନ ଓ ନରସିଂହ ରାଓଙ୍କ ଶ୍ୱେତ କ୍ରାନ୍ତି ଯୋଗୁଁ ସମ୍ଭବ ହୋଇପାରିଛି।

ସପ୍ପଲ ଆହୁରି କହିଛନ୍ତି, ମୋଦୀ ସଂସଦ ହେଉ କି ଲାଲ କିଲ୍ଲା, ସବୁଠି ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି। ସମ୍ବିଧାନ ମୋଦୀଙ୍କୁ ଦେଶର ଏକତା ରକ୍ଷା କରିବାର ଦାୟିତ୍ୱ ଦେଇଛି। ସ୍ୱାଧୀନତା ଦିବସରେ ସେ ବିଭାଜନକାରୀ କଥା ନ କହି ଏକତାର ବାର୍ତ୍ତା ଦେବା ଉଚିତ। କିନ୍ତୁ ଗତ ୧୧ ବର୍ଷର ଅନୁଭବ ଏହା କହୁଛି ଯେ ମୋଦୀ ଏପରି କରୁନାହାନ୍ତି।

ଉଲ୍ଲେଖଯୋଗ୍ୟ, ସ୍ୱାଧୀନତା ଦିବସ ପାଳନ ବେଳେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ଓ ଖଡଗେଙ୍କୁ ଲାଲକିଲ୍ଲାରେ ଦେଖିବାକୁ ମିଳିନଥିଲା। ଏହି ସମୟରେ ଦଳୀୟ ନେତାଙ୍କ ସହ ଉଭୟ ଦିଲ୍ଲୀ ସ୍ଥିତି ନୂଆ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରୁଥିଲେ। ଏହାପରେ ବିଜେପି କଂଗ୍ରେସକୁ ଟାର୍ଗେଟ କରି କହିଥିଲା, ଦେଶ ଅପେକ୍ଷା ପାର୍ଟିକୁ ଅଧିକ ଗୁରୁତ୍ୱ ଦେଉଛି କଂଗ୍ରେସ।

Comments are closed.