Latest Odisha News

BREAKING NEWS

ବାରମ୍ବାର ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୨୪ଦିନ ବିତି ଗଲାଣି । ଏହିଭଳି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । କ୍ରାଇମବ୍ରାଂଚର ତଦନ୍ତ ଆଜି ସମ୍ପୂର୍ଣ୍ଣ ଦିଗହରା ହୋଇଛି । ବୋଧହୁଏ ଓଡିଶା ସରକାରଙ୍କର ନିଜ ତଦନ୍ତ ବ୍ୟବସ୍ଥା ଉପରେ ବିଶ୍ୱାସ ନାହିଁ ସେଥିପାଇଁ ଗୁଜରାଟ, ଭାରତ ସରକାର ଓ ଏଫବିଆଇ ଉପରେ ଭରସା କରୁଛନ୍ତି ।

ଶାସକ ଦଳ ପୂର୍ବରୁ ଏହି ତଦନ୍ତକୁ କୋର୍ଟ ମନିଟର୍ଡ ତଦନ୍ତ ବୋଲି ପ୍ରଚାର କରୁଥିଲା । ମାନ୍ୟବର ହାଇକୋର୍ଟଙ୍କର ଏନେଇ କୌଣସି ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ପାଖରେ ଅଛି କି ବୋଲି ଭାରତୀୟ ଜନତା ପାର୍ଟି ସରକାରଙ୍କୁ ପ୍ରଶ୍ନ କରିଥିଲା, ଯାହାର ଉତର ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ କି ସେ ସମ୍ପର୍କରେ ଚିଠି ସରକାର ସର୍ବସମ୍ମୁଖରେ ପ୍ରକାଶ କଲେ ନାହିଁ । ମାନ୍ୟବର ହାଇକୋର୍ଟ ଏଭଳି କିଛି ଅର୍ଡର ପାସ୍ କରିନାହାନ୍ତି ବୋଲି ଆମେ ଆଜି ମଧ୍ୟ ଦୋହରାଉଛୁ । ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କ ଆଇନଗତ ପରାମର୍ଶଦାତା ନୁହନ୍ତି ।

ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ସର୍ଭିସ ରିଭଲବଲରୁ ଗୁଳି କରି ହତ୍ୟା କଲା । ଏହି ହତ୍ୟାରେ ଗୋପାଳ ଦାସଙ୍କୁ କିଏ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା ସେମାନଙ୍କୁ କ୍ରାଇମବ୍ରାଂଚ ତଦନ୍ତ ପରିସରଭୁକ୍ତ କରିନାହିଁ । ଓଡ଼ିଶା ସରକାରଙ୍କର ଏଭଳି ଦୁର୍ବଳ ମୁହୂର୍ତ ଏବଂ ନବ ଦାସଙ୍କ ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଘୃଣ୍ୟ ଷଡଯନ୍ତ୍ର ଓଡ଼ିଶା ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।

ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଆଗରେ ମିଥ୍ୟା ତଥ୍ୟ ରଖିବା ବନ୍ଦ କରନ୍ତୁ । ରାଜ୍ୟ ସରକାର ଏଫବିଆଇକୁ ବିଶ୍ୱାସ କରୁଛନ୍ତି । ରାଜ୍ୟ ସରକାର ନାର୍କୋ ଆନାଲିସସ୍ ପାଇଁ ବାହାର ରାଜ୍ୟ ଉପରେ ଭରସା କରୁଛନ୍ତି । ଯଦି ରାଜ୍ୟ ସରକାରଙ୍କ ନିଜ ଏଜେନ୍ସି ଉପରେ ଭରସା ନାହିଁ ତାହାଲେ ପୂରା ତଦନ୍ତ ସିବିଆଇକୁ କାହିଁକି ଦେଉନାହାନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ଦେଶରେ ବିଭିନ୍ନ ବଡ଼ ବଡ଼ ଅପରାଧ ମାମଲାରେ ବିଭିନ୍ନ ରାଜ୍ୟ ସରକାର ହୁଅନ୍ତୁ କି ବିଭିନ୍ନ ରାଜ୍ୟର ହାଇକୋର୍ଟ ହୁଅନ୍ତୁ ବା ସୁପ୍ରିମକୋର୍ଟ ହୁଅନ୍ତୁ ସେମାନେ ତଦନ୍ତ ପାଇଁ ସବୁବେଳେ ସିବିଆଇ ଉପରେ ଭରସା କରନ୍ତି । କାରଣ ସିବିଆଇ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଓ ଦକ୍ଷ ତଦନ୍ତକାରୀ ସଂସ୍ଥା । ଭାରତୀୟ ଜନତା ପାର୍ଟ ସ୍ୱର୍ଗତଃ ଦାସଙ୍କ ହତ୍ୟାର ଷଡଯନ୍ତ୍ରକାରୀକୁ ଚିହ୍ନଟ କରିବା ପାଇଁ ଦାବି କରୁଛି । ରାଜ୍ୟ ସରକାରଙ୍କ ପର୍ଯ୍ୟାପ୍ତ ଟେକନୋଲୋଜି ନାହିଁ ବୋଲି ଗୁଜରାଟ ରାଜ୍ୟ ଉପରେ ଭରସା କରୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ରାଜ୍ୟ ସରକାରଙ୍କ ମନମାନି, ଅନ୍ୟାୟ ଓ ଅନିତି ବିରୋଧରେ ସାଧାରଣ ନାଗରିକଙ୍କ ଆଶା ଭରସା ହାଇକୋର୍ଟ । ହାଇକୋର୍ଟ କେବେ ବି କୌଣସି ନୀତିଦିନିଆ ତଦନ୍ତକୁ ସୁପରଭାଇଜ୍ କିମ୍ବା ଚିଠା ମାଧ୍ୟମରେ ଉପଦେଶ ଦିଅନ୍ତି ନାହିଁ । ବିଜୁ ଜନତା ଦଳର ସସ୍ମିତ ପାତ୍ର ଆଜି ଦିଲ୍ଲୀରେ ପ୍ରେସ ମିଟ୍ କରି ଯେଉଁ ତଥ୍ୟ ରଖିଛନ୍ତି ତାହା ମିଥ୍ୟା । ଓଡ଼ିଶାବାସୀଙ୍କ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର । ଯେଉଁ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ସୁରକ୍ଷିତ ନୁହନ୍ତି ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ତାହା ଅନୁମେୟ । ଶାସକ ବିଜୁ ଜନତା ଦଳ ଯେଉଁ ଭଳିଭାବରେ ପ୍ରେସ ବାର୍ତା କରି ଭୁଲ ତଥ୍ୟ ଦେଉଛି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ନବ ଦାସଙ୍କ ହତ୍ୟାକାଣ୍ଡର ଅସଲ ଷଡଯନ୍ତ୍ରକାରୀ କିଏ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

କ୍ରାଇମବ୍ରାଂଚ ଏସ୍‌ପି ହ୍ୱାଟସପ୍ ଗ୍ରୁପରେ ଆଡମିଟ୍ କରିଛନ୍ତି ଯେ, ଗୋପାଳ ଜଣେ ମାନସିକ ରୋଗୀ । ଗୋପାଳକୁ ମାନସିକ ରୋଗୀ ପ୍ରମାଣିତ କରିବା ପାଇଁ ଜୋରସୋର ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର । ନାର୍କୋ ଆନାଲିସସ ଅଦାଲତ ବିଚାର ପକ୍ରିୟାରେ ପ୍ରମାଣ ଯୋଗ୍ୟ ନୁହେଁ । ଗୋପାଳ ଯଦି ପାଗଳ ତାହାଲେ କ୍ରାଇମବ୍ରାଂଚ କିଭଳି ତାହାର ନାର୍କୋ ଆନାଲିସିସ କରିବାକୁ ପଠାଇଲା ତାହା ବଡ ଆଶ୍ଚର୍ଯ୍ୟଜନକ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ଏହି ଷଡଯନ୍ତ୍ର କେଉଁମାନେ କରୁଛନ୍ତି ଓ କାହିଁକି କରୁଛନ୍ତି ତାହା ତଦନ୍ତ ସାପେକ୍ଷ୍ୟ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲୀକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.