Latest Odisha News

ସଂସଦୀୟ ବୋର୍ଡରୁ କାହିଁକି ଗଡ଼କରୀଙ୍କୁ ହଟାଗଲା ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବିଜେପି ସଂସଦୀୟ ବୋର୍ଡରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଛୁଟି ମିଳିଛି । ଏହାକୁ ନେଇ କେବଳ ମହାରାଷ୍ଟ୍ରରେ ନୁହେଁ ସାରା ଭାରତରେ ଚର୍ଚା ଜାରି ରହିଛି । ନୀତିନ ଗଡ଼କରୀଙ୍କୁ ବିଜେପି କଣ ପାଇଁ ହଟାଇଲା ତାହାକୁ ନେଇ ବୟାନବାଜି ଚାଲିଛି । ତେବେ ନିତିନ ଗଡକରୀଙ୍କୁ ବିଜେପି ଏହାର ସର୍ବୋଚ୍ଚ ସଂସ୍ଥା, ସଂସଦୀୟ ବୋର୍ଡରୁ ହଟାଇ କି ମେସେଜ ଦେବାକୁ ଚାହୁଁଛି ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି ।

ସେପଟେ  କେନ୍ଦ୍ର ନିର୍ବାଚନ କମିଟିରେ ଦେବେନ୍ଦ୍ର ଫଡନାଭିସଙ୍କୁ ପଦୋନ୍ନତି ମିଳିଛି । ଯାହାକୁ ନେଇ କୁହାଯାଉଛି ଫଡନାଭିସଙ୍କୁ ବିଜେପି ଆଗକୁ ନେଉଥିବା ବେଳେ ଗଡ଼କରୀଙ୍କୁ କେବଳ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛି ।  ବର୍ତ୍ତମାନ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ଉଭୟ ନେତାଙ୍କୁ ନେଇ  ଆଲୋଚନା ହେଉଛି। ଏହାକୁ ନେଇ ଗଡ଼କରୀ କି ବିଜେପି ପକ୍ଷରୁ ସ୍ପଷ୍ଟିକରଣ ଦେଇନାହାଁନ୍ତି । ତେବେ ଗତ କିଛିଦିନର ବକ୍ତବ୍ୟ ପାଇଁ ନିତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ବାହାର କରି ଦିଆଯାଇଛି ବୋଲି ଆଲୋଚନା ହେଉଛି। କାରଣ ନୀତିନ ଗଡ଼କରୀଙ୍କ ସବୁ ଦଳ ସହ ଭଲ ସଂପର୍କ ରହିଛି । ବିଜେପି ନିଜର ଚିନ୍ତାଧାରାକୁ ନେଇ ଆଗକୁ ବଢ଼ିବାକୁ ଚାହୁଁଥିବା ବେଳେ ନୀତିନ ଗଡ଼କରୀ କିନ୍ତୁ ଏହାକୁ ଖାପଖୁଆଇ ପାରୁନଥିବା ଜଣାପଡିଛି । ଗଡ଼କରୀଙ୍କର ଏନସିପି ଏବଂ ଉଦ୍ଧବ ଠାକରେଙ୍କ ସହ ଭଲ ସଂପର୍କ ରହିଛି । ଏପରିକି କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଭଲ ସଂପର୍କ ରହିଛି । ଗଡକରୀ ଉଦାରବାଦୀ ନେତା ହୋଇଥିବାରୁ ବିଜେପି ଚିନ୍ତାଧାରା ସହ ଚାଲିବା ବେଳେ ଅସୁବିଧା ହେଉଛି । ତେଣୁ କଟ୍ଟର ବିଜେପି ନେତାଙ୍କୁ ମୋଦି ଏବଂ ଶାହ ଚାହୁଁଥିବାରୁ ଦଳ ଯୁବ ନେତାଙ୍କୁ ଏଥିପାଇଁ ଚୟନ କରୁଛି ଏବଂ ସୁଯୋଗ ଦେଉଥିବା ଚର୍ଚା ହେଉଛି ।

 ମହାରାଷ୍ଟ୍ରର ରାଜନୀତିକୁ ଦେଖିଲେ ସେଠାରେ କଂଗ୍ରେସ ଏବଂ ଏନସିପି , ଶିବସେନାଙ୍କୁ ଟକ୍କର ଦେବାପାଇଁ ଗଡକରୀ ଭଳି ନେତା ଫିଟ୍ ହେଉନାହାଁନ୍ତି । ସେଥିପାଇଁ ଫଡନାଭିସଙ୍କୁ ଆଗକୁ ନେଉଛି ବିଜେପି ।  ତେଣୁ କୁହାଯାଉଛି ଆରଏସଏସର ପ୍ରିୟ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ବିଜେପି ଏଭଳି ଏକ ସୁଯୋଗ ଦେଉଛି । ଏପରିକି ନୀତିନ ଗଡକରୀ ମଧ୍ୟ ଆରଏସଏସ ର  ପସନ୍ଦୀୟ ନେତା ରହିଛନ୍ତି । ତେବେ ଗଡକରୀଙ୍କ ଚିନ୍ତାଧାରା ସହ ବର୍ତ୍ତମାନର ବିଜେପିର ଚିନ୍ତାଧାରା ଭିତରେ ବହୁତ ଫରକୁ ରହୁଛି । ବର୍ତ୍ତମାନର ବିଜେପି ଚିନ୍ତାଧାରା ଯେସା କୁ ତେସା ନୀତିରେ ଚାଲୁଥିବା ବେଳେ ଦୁର୍ନୀତିରେ ଫସିଥିବା ନେତାଙ୍କୁ ଜେଲରେ ପୁରାଇବାକୁ ଚାହୁଁଛି । ଯାହା କି ମହାରାଷ୍ଟ୍ରରେ ଗତ କିଛି ଦିନ ହେଲା ଦେଖାଯାଇଛି । ତେବେ ଗଡକରୀ ଏସବୁରେ ବିଜେପିର ରଣନୀତିକୁ ପସନ୍ଦ କରୁନାହାଁନ୍ତି । ଯେଉଁଥିପାଇଁ ତାଙ୍କୁ ବିଜେପିର ରଣନୀତିକାର କମିଟିରୁ ବାହାର କରାଯାଇଛି ।

ସେପଟେ ନାଗପୁର ବାସିନ୍ଦା ଦେବେନ୍ଦ୍ର ଫଡନାଭିସ୍ ଏବଂ ନୀତିନ ଗଡକରୀ  ଉଭୟ ବ୍ରାହ୍ମଣ ନେତା। ଦୁଇଜଣଙ୍କୁ ନାଗପୁରରେ ଥିବା ଆରଏସଏସ ସଂଗଠନରେ ସମ୍ମାନ ଦିଆଯାଏ । ତେବେ ବର୍ତ୍ତମାନ ନାଗପୁରରେ ଗଡ଼କରୀଙ୍କ ଚିନ୍ତାଧାରା ଅପେକ୍ଷା ଫଡନାଭିସଙ୍କ ଚିନ୍ତାଧାରାକୁ କାର୍ଯ୍ୟକର୍ତ୍ତାମାନେ ଅଧିକ ପସନ୍ଦ କରୁଛନ୍ତି । ଏହା ହିଁ ଗଡକରୀ ହଟାଇବା ପଛରେ ବିଜେପିର ରଣନୀତି ବୋଲି କୁହାଯାଉଛି । ଯାହା ଦ୍ବାରା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ସହ  କେନ୍ଦ୍ରରେ ତାଙ୍କୁ  ପଦୋନ୍ନତି ଦିଆଯାଇଛି ।

ବିଜେପିର  ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ ଫଡନାଭିସ ମୋଦି ଏବଂ ଶାହଙ୍କ ଚିନ୍ତାଧାରା ସହ ଖାପ ଖୁଆଇ ଚାଲୁଛନ୍ତି । ଏପରିକି ତାଙ୍କର ବକ୍ତବ୍ୟ ଦଳ ପାଇଁ କ୍ଷତି ଆଣୁନାହିଁ , ବରଂ କାର୍ଯ୍ୟକର୍ତ୍ତାଙ୍କ ମନରେ କାମ କରିବା ପାଇଁ ଉତ୍ସାହ ଆଣୁଛି । ସେପଟେ ଗଡ଼କରୀଙ୍କ ବକ୍ତବ୍ୟ କାର୍ଯ୍ୟକର୍ତ୍ତାଙ୍କୁ ପସନ୍ଦ ଆସୁନାହିଁ । ଶିବସେନା ଏବଂ ଏନସିପି ପ୍ରତି ତାଙ୍କର ନରମ ମନୋଭାବକୁ ମହାରାଷ୍ଟ୍ରର ବର୍ତ୍ତମାନ ନେତା ଗ୍ରହଣ କରିପାରୁନାହାଁନ୍ତି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନର ବିଜେପିର ବରିଷ୍ଠ ନେତାମାନେ ମୋଦିଙ୍କ ଚିନ୍ତାଧାରାରେ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ମାନେ ହେଉଛି କେନ୍ଦ୍ର ଏବଂ ରାଜ୍ୟରେ ବିଜେପିର ସରକାର ଗଠନ ସହ ବିଜେପିର ଚିନ୍ତାଧାରାକୁ ନେଇ କାର୍ଯ୍ୟ କରିବା । ଏଥିରେ ଯେଉଁ ନେତାମାନେ ଫିଟ ହେଉନାହାଁନ୍ତି ତାଙ୍କୁ ଦଳ କୈାଣସି ଦାୟିତ୍ବ ଦେବାକୁ ଚାହୁଁନାହିଁ । ଯେଉଁନେତାମାନେ ମୋଦି ଏବଂ ଆରଏସଏସର ଚିନ୍ତାଧାରାରେ ଫିଟ ହୋଇ କାମ କରୁଛନ୍ତି । ଦଳକୁ ବିଜୟୀ ହେବା ପାଇଁ ରଣନୀତି ପ୍ରସ୍ତୁତ କରି କାମ କରୁଛନ୍ତି , ସେମାନଙ୍କୁ ଦଳ ପଦୋନ୍ନତି ଦେବା ସହ ତାଙ୍କୁ ସମସ୍ତ ସହଯୋଗ କରୁଛି ।

ବିଜେପିର ଏହି ନିଷ୍ପତ୍ତିରୁ ଗୋଟିଏ ମେସେଜ ଯାଉଛି ଯେ କେନ୍ଦ୍ର ରାଜନୀତିରେ ଦେବେନ୍ଦ୍ର ଫଡନାଭିସଙ୍କୁ ଦଳ ପଦୋନ୍ନତି ଦେଇ ମହାରାଷ୍ଟ୍ରରେ ତାଙ୍କର ଚେହେରାକୁ ଆହୁରି ଦଳ ବଡ଼ କରିଦେଇଛି । କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ଥିଲା ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ତାହା ବି ଶାନ୍ତ ହୋଇଛି ।  ଏହାର ଅର୍ଥ ହେଉଛି ଦେବେନ୍ଦ୍ର ଫଡନାଭିସ୍ ଭବିଷ୍ୟତର ନିତିନ ଗଡକରୀ ମଧ୍ୟ ହୋଇପାରନ୍ତି। ଏବଂ ତାଙ୍କର ସମର୍ଥକମାନେ କେନ୍ଦ୍ର ରେ ପଦପଦବୀରେ ସ୍ଥାନ ପାଇପାରନ୍ତି । ଏହି ସମସ୍ତ ଆକଳନ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚା ହେଉଛି । ତେବେ ସମୟ କହିବ ଫଡନାଭିସ ବିଜେପିର ପୂର୍ବତନ ଜାତୀୟ ସଭାପତି ଗଡକରୀଙ୍କ ଭଳି ସ୍ଥାନ ନେଇପାରୁଛନ୍ତି ନା କେବଳ ମହାରାଷ୍ଟ୍ର ଭିତରେ ସୀମିତ ହୋଇ ରହୁଛନ୍ତି ।

Comments are closed.