Latest Odisha News

କାଶୀପୁର ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପ କାହିଁକି ଅଧାରେ ପଡିଛି?

ରାୟଗଡ଼ା:  କାଶୀପୁର ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଉଛି ଦୁଷିତ ଜଳ । ଦଶନ୍ଧି ଦଶନ୍ଧି ଧରି  ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନଥିବା କାରଣରୁ ବାଧ୍ୟ ହୋଇ ନଦୀ, ନାଳ , ଝରଣା ଓ ଅନ୍ୟାନ୍ୟ ଜଳଉତ୍ସରୁ ପାଣିକୁ  ଲୋକେ ବ୍ୟବହାର କରୁଛନ୍ତି । କାଶୀପୁର ବକ୍ଲ ବାସୀ କଳାହାଣ୍ଡି ଜିଲ୍ଲା ଅଧିନରେ ଥିବା ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାଣିଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି ।

ଗତ ଏକ ବର୍ଷ ତଳେ କାଶୀପୁର ବ୍ଲକର ୨୪ ପଞ୍ଚାୟତ ଅନ୍ତର୍ଗତ ୪୨୫ ଗ୍ରାମକୁ ପାଇପ ଜଳ ଯୋଗାଣ ପାଇଁ ଏକ ବୃହତ ପ୍ରକଳ୍ପ ରାଜ୍ୟ ସରକାର ଠିକାଦାରଙ୍କ ସହିତ ଚୁକ୍ତି ନାମା ସ୍ଵାକ୍ଷର କରିଥିଲେ । ଏଥିସହ କାଶୀପୁର ବ୍ଲକକୁ ସଂଲଗ୍ନ ଥିବା ରାୟଗଡା ବ୍ଲକର ୪ ଟି ପଞ୍ଚାୟତ ଅନ୍ତର୍ଗତ ୪୯ ଟି ଗ୍ରାମକୁ ମଧ୍ୟ ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ ହେବ ବୋଲି ଘୋଷଣା ହୋଇଥିଲା । ଏପରିକି 2018-19 ମସିହାରେ ୨୯୮ କୋଟି ୬୯ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ଏହି ମେଗା ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ କେବିନେଟରେ ମଧ୍ୟ ମଞ୍ଜୁରି ମିଳିଥିଲା ।  ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଅଧିକ ୪୦ କୋଟି ଟଙ୍କା ଖର୍ଚ ଅଟକଳ ମଧ୍ୟ ମଞ୍ଜୁର ହୋଇଥିଲା । ମୋଟ ୩୩୮ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ଜଳ ଜୀବିକା ମିଶନ ଜରିଆରେ ଏହି ପ୍ରକଳ୍ପ 3 ନଭେମ୍ବର 2023 ରେ ସାରିବାର ଲକ୍ଷ ଧାର୍ଯ୍ୟ ହୋଇଥିଲା । ଇତିମଧ୍ୟରେ ବର୍ଷେ ବିତିବାକୁ ବସିଥିବା ବେଳେ ମାଟି ତଳେ ପାଇପ ଖଣ୍ଡିଏ ମଧ୍ୟ ପଡ଼ିନାହିଁ ।

ଏଭଳିକି ଏକ ବର୍ଷ ପରେ ଏହି ପ୍ରକଳ୍ପର ସ୍ଥିତି ଯଥା ପୂର୍ବମ ତଥା ପରମରେ ରହିଯାଇଛି । ଏହି ପ୍ରସ୍ତାବିତ ମେଗା ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀରୁ ଜଳ ଉଠାଯାଇ ପାଇପ ମାଧ୍ୟମରେ କାଶୀପୁର ବ୍ଲକର ୯୦ ପ୍ରତିଶତ ଗ୍ରାମକୁ ଜଳ ଯୋଗାଣ ଲକ୍ଷ ସରକାର ହାତକୁ ନେଇଛନ୍ତି । ଏହାଦ୍ଵାରା କାଶୀପୁର ବ୍ଲକ ଅଞ୍ଚଳରୁ ସବୁଦିନ ପାଇଁ ପାନୀୟ ଜଳ ସମସ୍ୟା ଦୁର ହେବା ସହ କଲେରା , ହଇଜା ଭଳି ମହାମାରୀରୁ କାଶୀପୁର ବାସୀଙ୍କୁ ନିସ୍ତାର ମିଳିବ । ହେଲେ ପ୍ରକଳ୍ପ କାର୍ଯ୍ୟର କଛପ ଗତ ଦେଖିଲେ ବିଶ୍ବାସ ହେଉନି ସମୟ ସୀମା ଭିତରେ ଲୋକଙ୍କୁ ବିଶୁଦ୍ଧ ପାଇପ ଜଳ ମିଳିପାରିବ ।

ଇନ୍ଦ୍ରାବତିରୁ ଜଳଉଠାଣ କରାଯାଇ ଲଦିଗୁଡା, କେ.ପଞ୍ଜରା ଗ୍ରାମର ବାଟେଦେଇ ଆସିବ ଡଙ୍ଗାସିଲକୁ । ଡଙ୍ଗାସିଲ ଠାରେ ପ୍ରାୟ ୫ ଟି ବୃହତ ଟାଙ୍କିରେ ଜଳ ସଂରକ୍ଷଣ ହେବ । ସଂରକ୍ଷଣ ପରେ ତାହା ବିଶୋଧନ କରାଯାଇ ସେଠାରୁ ପାଇପ ମାଧ୍ୟମରେ ସମସ୍ତ ଗାଁ ମାନଙ୍କୁ ଶୁଦ୍ଧ ପାନୀୟ ଜଳ ପଠାଯିବ । ଏଠି ପାଇଁ 1000 କିଲୋମିଟର ବାଟ ପାଇପ ବିଛାଯାଇ ଜଳ ଯୋଗାଣ କରିବାର ଯୋଜନା ରହିଛି । ତେବେ ଠିକାଦାର ପାଇପ ନ ପକାଇ କେବଳ ରାସ୍ତାକଡରେ ପାଇପ ଗୁଡିକ ଗଛିତ ଥିବା ପ୍ରଦର୍ଶନୀ କରୁଥିବା ଅଭିଯୋଗ ହୋଇଛି । ଏଭଳିକି ଡଙ୍ଗାସିଲ ଠାରେ ଟ୍ୟାଙ୍କ ନିର୍ମାଣକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ । ଏହିଭଳି ସ୍ଥିତି ଯଦି ଲାଗିରହେ ତେବେ ଆଉ କେତେ ବର୍ବଷ  ପ୍ରକଳ୍ପ ନିର୍ମାଣ ଶେଷ ହେବାକୁ ଲାଗିବ ତାହା କୁହାଯାଇପାରିବ ନାହିଁ  ।

ବର୍ତ୍ତମାନ ପରିସ୍ଥିତିରେ କଲେରା ମୃତ୍ୟୁର ତାଣ୍ଡବ ଲୀଳାକୁ ଦେଖି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବା ନ୍ୟାୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କେବଳ ମିଥ୍ୟା ତଥ୍ୟ ପ୍ରଦାନ କରିବାରେ ଲାଗିଛି । ଗୋଟିଏ ପଟେ ସ୍ୱଛ ପାନୀୟ ଜଳ ପାଇନପାରି ଲୋକେ ରୋଗାକ୍ରାନ୍ତ ହେଉଛନ୍ତି । ଅନ୍ୟପଟେ ସ୍ୱଛ ଜଳପ୍ରଦାନ ପାଇଁ ସରକାର ଅନୁଦାନ ପ୍ରଦାନ କରିବାପରେ ମଧ୍ୟ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଉଦାସୀନତା କାରଣରୁ ନିର୍ମାଣ ବିଳମ୍ବ ହେଉଛି । ତେବେ କିଛି ସ୍ଥାନରେ ଫରେଷ୍ଟ କ୍ଲିୟରାନ୍ସ ମିଳିନଥିବା କାରଣରୁ ନିର୍ମାଣ ଆଗେଇପାରୁ ନଥିବା ସୂଚନା ମଧ୍ୟ ହସ୍ତଗତ ହୋଇଛି । ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଚିତରଞ୍ଜନ ଜେନା କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ଜାରି ରହିଛି । ବହୁତ ଦୁରରୁ ଜଳ ଅଣାଯିବ, ତେଣୁ ଅଧିକ ଜ୍ଞାନକୌଶଳ ଅବଲମ୍ବନ କରାଯାଉଛି । ତେବେ କାହିଁକି ଆଜିପର୍ଯ୍ୟନ୍ତି ଏହି କାମ ହେଉନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି? ଦେଖାଯାଉ ଆଉ କେତେ ଦିନ ଲାଗୁଛି ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପାଇଁ  ।

Leave A Reply

Your email address will not be published.