Latest Odisha News

BREAKING NEWS

ଏମାନଙ୍କର ଟିକେଟ୍ କାଟିଲା ବିଜେଡି ?

ଭୁବନେଶ୍ନର: ଲୋକସଭା ପାଇଁ ୧୫ ଯୋଦ୍ଧା ଘୋଷଣା କରିଛି ବିଜେଡି । ୨୩ ଜିଲ୍ଲାର ୭୨ ବିଧାୟକ ପ୍ରାର୍ଥୀ ତାଲିକା ଜାରି ହୋଇଛି । କଟିଲା ଆସିକା ଓ ଢେଙ୍କାନାଳ ସାଂସଦଙ୍କ ଟିକେଟ । ଢେଙ୍କାନାଳରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରିନି ଦଳ । ତାଙ୍କ ସ୍ଥାନରେ ନବାଗତ ଅବିନାଶ ସାମଲଙ୍କୁ ଲୋକସଭା ଟିକେଟ ମିଳିଛି । ସେ ବିଧାୟକ ସୁଧୀର ସାମଲଙ୍କ ପୁତୁରା । ପେଷାରେ ଡାକ୍ତର ଅବିନାଶ ନିକଟରେ ବିଜେଡିରେ ଯୋଗ ଦେଇଥିଲେ । ସାଂସଦ ପୂର୍ବରୁ ପାଲଲହଡ଼ାରୁ ବିଧାୟକ ଥିଲେ ମହେଶ ସାହୁ । ଏଥର ବି ପାଲଲହଡ଼ାରୁ ମୁକେଶ ପାଲଙ୍କୁ ଟିକେଟ ଦେଇଛି ବିଜେଡି । ତେଣୁ ମହେଶ ସାହୁଙ୍କୁ ଦଳ ଆଉ କେଉଁଠୁ ପ୍ରାର୍ଥୀ କରିବା ସମ୍ଭାବନା କ୍ଷୀଣ । ସେହିପରି ଆସିକା ସାଂସଦ ପ୍ରମିଳା ବିଶୋୟୀଙ୍କ ଟିକେଟ କାଟିଛି ବିଜେଡି । ତାଙ୍କ ସ୍ଥାନରେ ନବାଗତ ରଞ୍ଜିତା ସାହୁ ଲଢ଼ିବେ ଲୋକସଭା ନିର୍ବାଚନ । ଗତଥର ପ୍ରମିଳା ବିଶୋୟୀ ୨ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ । କେନ୍ଦ୍ରାପଡ଼ାରୁ ଅନୁଭବ ମହାନ୍ତିଙ୍କ ଟିକେଟ କଟିଛି । ତାଙ୍କୁ ଏଥର ଦଳ ପ୍ରାର୍ଥୀ କରିବ ନାହିଁ ବୋଲି ବହୁ ପୂର୍ବରୁ ସ୍ପଷ୍ଟ ହୋଇଥିଲା । ପୁରୀରୁ ପିନାକୀ ମିଶ୍ରଙ୍କ କଟିଛି ଟିକେଟ୍ । ତାଙ୍କ ଜାଗାରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ ।

ପ୍ରଥମ ପର୍ଯ୍ୟାୟ ତାଲିକାରେ କିଛି ସ୍ଥାନରେ ବିଧାୟକ ପ୍ରାର୍ଥୀ ବଦଳାଇଛି ବିଜେଡି । ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହେବା ପରେ ତାଙ୍କ ସ୍ଥାନରେ ମୈଦାନକୁ ଓହ୍ଲାଇବେ ନବାଗତ ସୁଜାତା ସାହୁ । ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ ଦଳ ଏଥର ରିପିଟ କରିନି । ତାଙ୍କ ସ୍ଥାନରେ ପ୍ରଦୀପ ମାଝୀ ଠିଆ ହେବେ । ରମେଶ ମାଝୀଙ୍କୁ ଦଳ ଝରିଗାଁରୁ ବିଧାୟକ ଟିକେଟ ଦେଇଛି । ବାଦ ପଡିଲେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ । ତାଙ୍କ ସ୍ଥାନରେ ନବାଗତ ସୁଭାସିନୀ ଜେନା ହାତେଇଛନ୍ତି ବିଜେଡି ଟିକେଟ୍ । ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ମିଳିଲାନି ଟିକେଟ୍ ।ତାଙ୍କ ସ୍ଥାନରେ ପତ୍ନୀ କୌଶଲ୍ୟା ପ୍ରଧାନୀ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବେ ।

ପାଟକୁରାରେ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଟିକେଟ କଟିଲା । ତାଙ୍କ ସ୍ଥାନରେ ଭେଟେରାନ୍ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଲଢ଼ିବେ ନିର୍ବାଚନ । ଏଠାରୁ ଟିକେଟ ଆଶାୟୀ ଥିଲେ ସାବିତ୍ରୀଙ୍କ ପୁଅ । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଟିକେଟ୍ କାଟିଛି ବିଜେଡି । ତାଙ୍କ ସ୍ଥାନରେ ପତ୍ନୀ ସଂଘମିତ୍ରା ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି । ଭଦ୍ରକ ଓ ଭଣ୍ଡାରିପୋଖରୀ ବିଧାୟକଙ୍କ ସିଟ୍ ବଦଳାଇଛି ଦଳ । ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କୁ ମିଳିଲାନି ଟିକେଟ । ତାଙ୍କ ସ୍ଥାନରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ପୁଷ୍ପେନ୍ଦ୍ର ସିଂହଦେଓ । ଏଥର ଭଣ୍ଡାରିପୋଖରୀରୁ ଲଢ଼ିବେ ବିଧାୟକ ସଞ୍ଜୀବ ମଲ୍ଲିକ । ଭଦ୍ରକରୁ ପ୍ରାର୍ଥୀ ହେବେ ଭେଟେରାନ୍ ପ୍ରଫୁଲ୍ଲ ସାମଲ ।

Leave A Reply

Your email address will not be published.