ଜୀବନ ଓ ମୃତ୍ୟୁ ପ୍ରାକୃତିକ, ଯାହା ଉପରେ କାହାରି କୌଣସି ନିୟନ୍ତ୍ରଣ ନ ଥାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି, ଦୁନିଆରେ ଏପରି ଏକ ସହର ଅଛି ଯେଉଁଠାରେ ଲୋକଙ୍କ ମୃତ୍ୟୁ କିମ୍ବା ଶବ ପୋତିବା ସମ୍ପୂର୍ଣ୍ଣ ବାରଣ ? ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ଏହା ସତ । ନରୱେର ସ୍ପିଟ୍ସବର୍ଗେନ୍ ଦ୍ୱିପପୁଞ୍ଜରେ ଅବସ୍ଥିତ ଲଙ୍ଗ୍ଇୟରବ୍ୟେନ୍ ସହରରେ ଏପରି ଏକ ଅନନ୍ୟ ନିୟମ ଲାଗୁ କରାଯାଇଛି । ଏହି ନିୟମ ପଛରେ କୌଣସି ଅନ୍ଧବିଶ୍ୱାସ ନାହିଁ, ବରଂ ଏହାର ଏକ ବୈଜ୍ଞାନିକ ଏବଂ ପରିବେଶଗତ କାରଣ ରହିଛି । ପ୍ରାୟ ୭୦ ବର୍ଷ ଧରି ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଏହି ସହରରେ ଜନସଂଖ୍ୟା ମାତ୍ର ୨,୪୦୦ ହୋଇଥିବାବେଳେ ଏହା ଉତ୍ତର ମେରୁ ନିକଟରେ ଅବସ୍ଥିତ ଥିବାରୁ ସମଗ୍ର ବର୍ଷ ତମାମ ପ୍ରବଳ ଥଣ୍ଡା ରହିଥାଏ । ଏଠାରେ ତାପମାତ୍ରା ପ୍ରାୟତଃ -୨୦ ଡିଗ୍ରୀ ସେଲ୍ସିୟସ୍ରୁ ତଳକୁ ଚାଲିଯାଇଥାଏ ।
ଏହି ଅଞ୍ଚଳ ପର୍ମାଫ୍ରଷ୍ଟ ଅଞ୍ଚଳ ଅଟେ, ଯାହାର ଅର୍ଥ ଏଠାକାର ମାଟି ବର୍ଷସାରା ଜମି ରହିଥାଏ ଏବଂ କେବେ ବି ତରଳେ ନାହିଁ । ପ୍ରବଳ ଥଣ୍ଡା ଯୋଗୁଁ ମାଟିରେ ଦଫନ ହୋଇଥିବା ଶବଗୁଡ଼ିକ ସଢ଼େ ନାହିଁ । ତାପମାତ୍ରା ଅତି କମ୍ ଥିବାରୁ ବ୍ୟାକ୍ଟେରିଆ ଏବଂ ଅନ୍ୟାନ୍ୟ ଅଣୁଜୀବ ସକ୍ରିୟ ହୋଇପାରନ୍ତି ନାହିଁ । ବୈଜ୍ଞାନିକମାନଙ୍କ ମତରେ, ଯଦି ଶବ ନ ସଢ଼େ, ତେବେ ଶହ ଶହ ବର୍ଷ ପୁରଣା ଭୂତାଣୁ ଏବଂ ବ୍ୟାକ୍ଟେରିଆଗୁଡ଼ିକ ସେଥିରେ ସୁରକ୍ଷିତ ରହିଯାଆନ୍ତି । ଭବିଷ୍ୟତରେ ଯଦି ଏହି ଶବଗୁଡ଼ିକ ତରଳେ, ତେବେ ସଂକ୍ରମିତ କରିପାରେ, ଯାହା ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିବ । ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କ ପାଇଁ କଡ଼ା ନିୟମ; ଯଦି ଏହି ସହରର କୌଣସି ବ୍ୟକ୍ତି ଗମ୍ଭୀର ଭାବେ ଅସୁସ୍ଥ ହୁଅନ୍ତି, ତେବେ ତାଙ୍କୁ ତୁରନ୍ତ ଏୟାର ଆମ୍ବୁଲାନ୍ସ ଯୋଗେ ନରୱେର ମୁଖ୍ୟ ଭୂଭାଗକୁ ପଠାଇଦିଆଯାଏ, ଯାହାଫଳରେ ସେମାନଙ୍କର ମୃତ୍ୟୁ ସେହି ସ୍ଥାନରେ ହିଁ ହୁଏ । ଏହି କାରଣରୁ ଏହି ସହରରେ ଜନ୍ମ ଏବଂ ମୃତ୍ୟୁ ହାର ପ୍ରାୟ ଶୂନ । ଏପରିକି ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ପ୍ରସବ ପାଇଁ ମେନ୍ଲ୍ୟାଣ୍ଡକୁ ପଠାଇ ଦିଆଯାଏ । କେବଳ ମନୁଷ୍ୟ ନୁହେଁ, ବରଂ ପୋଷ ଜନ୍ତୁଙ୍କୁ ମଧ୍ୟ ଏଠାରେ ମରିବାକୁ ଦିଆଯାଏ ନାହିଁ ।
