Prambanan Temple: ହଜାର ବର୍ଷର ଐତିହ୍ୟକୁ ସଜାଇବ ଭାରତ, ଇଣ୍ଡୋନେସିଆର ପ୍ରମ୍ବାନନ ମନ୍ଦିରରେ ସଂରକ୍ଷଣ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କ ସହ ଯୋଗ୍ୟାକର୍ତ୍ତା ନିକଟସ୍ଥ ପ୍ରାୟ ୧୦୦୦ ବର୍ଷ ପୁରୁଣା ପ୍ରମ୍ବାନନ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀର ସଂରକ୍ଷଣ ଓ ପୁନରୁଦ୍ଧାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହି ପ୍ରକଳ୍ପ ଭାରତର ‘ଆକ୍ଟ ଇଷ୍ଟ ପଲିସି’ ଏବଂ ସାଂସ୍କୃତିକ କୂଟନୀତିର ଏକ ପ୍ରମୁଖ ଉଦାହରଣ ହୋଇଥିବାବେଳେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ପୁରୁଣା ସଭ୍ୟତାଗତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଉଛି। ମନ୍ଦିର ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ “ଓଁ ନମଃ ଶିବାୟ” ଲେଖି ନିଜ ଅନୁଭୂତି ସେୟାର କରିଥିଲେ।
ଜାଭା ଦ୍ୱୀପରେ ଅବସ୍ଥିତ ପ୍ରମ୍ବାନନ ହେଉଛି ଇଣ୍ଡୋନେସିଆର ସବୁଠୁ ବଡ଼ ହିନ୍ଦୁ ମନ୍ଦିର ପରିସର ଏବଂ କାମ୍ବୋଡିଆର ଅଙ୍ଗକୋର ୱାଟ୍ ପରେ ଦକ୍ଷିଣ-ପୂର୍ବ ଏସିଆର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର। ପ୍ରାୟ ୪୦ ହେକ୍ଟର ଅଞ୍ଚଳରେ ବ୍ୟାପିଥିବା ଏହି ପରିସରରେ ମୂଳତଃ ୨୪୦ଟି ମନ୍ଦିର ଥିଲା। ଆଜି ମଧ୍ୟ ଏହା ଇଣ୍ଡୋନେସିଆର ସବୁଠୁ ଆକର୍ଷଣୀୟ ସାଂସ୍କୃତିକ ଐତିହ୍ୟସ୍ଥଳୀ ଭାବେ ପରିଚିତ।
୯ମ ଶତାବ୍ଦୀରେ ହିନ୍ଦୁ ମାତାରାମ ରାଜବଂଶ ସମୟରେ ରାଜା ରାକାଇ ପିକାତାନ ଏହି ମନ୍ଦିର ନିର୍ମାଣ ଆରମ୍ଭ କରିଥିବାବେଳେ ପରେ ତାଙ୍କ ଉତ୍ତରାଧିକାରୀ ଲୋକପାଳ ଏହାକୁ ସମ୍ପୂର୍ଣ୍ଣ କରିଥିଲେ। ବୋରୋବୁଦୁର ବୌଦ୍ଧ ମନ୍ଦିରର ପ୍ରଭାବକୁ ପ୍ରତିଉତ୍ତର ଦେବା ଏବଂ ଶୈବ ପରମ୍ପରାକୁ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ମନ୍ଦିର ନିର୍ମାଣ ହୋଇଥିବା ଇତିହାସବିଦ୍ମାନେ କହିଛନ୍ତି।
ପ୍ରମ୍ବାନନର ମୁଖ୍ୟ ଆକର୍ଷଣ ହେଉଛି ହିନ୍ଦୁ ତ୍ରିମୂର୍ତ୍ତି, ଭଗବାନ ଶିବ, ବିଷ୍ଣୁ ଓ ବ୍ରହ୍ମାଙ୍କୁ ସମର୍ପିତ ତିନୋଟି ବିଶାଳ ମନ୍ଦିର। ସେଥିମଧ୍ୟରୁ ୪୭ ମିଟର ଉଚ୍ଚ ଶିବ ମନ୍ଦିର ସବୁଠୁ ବଡ଼। ଅଗ୍ନେୟ ପଥରରେ ନିର୍ମିତ ଏହି ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ, ସୁଉଚ୍ଚ ଶିଖର ଓ ଶିଳ୍ପକଳା ଭାରତୀୟ ହିନ୍ଦୁ ସ୍ଥାପତ୍ୟର ଶ୍ରେଷ୍ଠ ନିଦର୍ଶନ। ମନ୍ଦିରର କାନ୍ଥରେ ରାମାୟଣ ଓ ଅନ୍ୟାନ୍ୟ ହିନ୍ଦୁ ମହାକାବ୍ୟର କାହାଣୀ ସୁନ୍ଦର ଭାବେ ଖୋଦିତ ହୋଇଛି, ଯାହା ଦକ୍ଷିଣ-ପୂର୍ବ ଏସିଆରେ ଭାରତୀୟ ସଂସ୍କୃତିର ଗଭୀର ପ୍ରଭାବକୁ ଦର୍ଶାଏ।
୧୦ମ ଶତାବ୍ଦୀରେ ମାଉଣ୍ଟ ମେରାପିର ଅଗ୍ନେୟଗିରି ବିସ୍ଫୋରଣ, ଭୂକମ୍ପ ଓ ରାଜନୈତିକ ପରିବର୍ତ୍ତନ ପରେ ଏହି ମନ୍ଦିର ପରିତ୍ୟକ୍ତ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଭୟଙ୍କର ଭୂକମ୍ପରେ ଏହାର ଅନେକ ଅଂଶ ଧ୍ୱଂସ ହୋଇଥିଲା। ଡଚ୍ ଶାସନ ସମୟରେ ୧୯ଶ ଶତାବ୍ଦୀରେ ଏହା ପୁନଃ ଆବିଷ୍କୃତ ହୋଇଥିଲା ଏବଂ ୧୯୧୩ରୁ ୧୯୫୩ ମଧ୍ୟରେ ବ୍ୟାପକ ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା। ୧୯୯୧ରେ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ସ୍ୱୀକୃତି ଦେଇଥିଲା।
ଭାରତ ସମର୍ଥିତ ଏହି ନୂଆ ସଂରକ୍ଷଣ ପ୍ରକଳ୍ପରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ASI) ଇଣ୍ଡୋନେସିଆର ସମ୍ପୃକ୍ତ ସଂସ୍ଥା ସହ ମିଶି ପ୍ରମ୍ବାନନ ପରିସରର ଛୋଟ ଛୋଟ ମନ୍ଦିରର ସଂରକ୍ଷଣ ଓ ପୁନଃସ୍ଥାପନ କାର୍ଯ୍ୟ କରିବ। ଏହାପୂର୍ବରୁ ଭାରତ ଭିଏତନାମ, ଶ୍ରୀଲଙ୍କା, ନେପାଳ, ମ୍ୟାନମାର, ବାଂଲାଦେଶ, କାମ୍ବୋଡିଆ, ଲାଓସ ଓ ବାହାରିନ ଭଳି ଦେଶର ପ୍ରାଚୀନ ହିନ୍ଦୁ ଓ ବୌଦ୍ଧ ଐତିହ୍ୟ ସଂରକ୍ଷଣରେ ମଧ୍ୟ ସହଯୋଗ କରିଛି। ୨୦୧୪ରେ ଭିଏତନାମର ମାଇ ସନ୍ ସାଙ୍କ୍ଚୁଆରୀ, ୨୦୧୫ରେ ଶ୍ରୀଲଙ୍କାର ଥିରୁକେଥୀଶ୍ୱରମ ମନ୍ଦିର, ୨୦୧୭ରେ ମ୍ୟାନମାରର ବାଗାନ ସ୍ମାରକ ଏବଂ ନେପାଳର ଭୂକମ୍ପ କ୍ଷତିଗ୍ରସ୍ତ ୨୮ଟି ସାଂସ୍କୃତିକ ସ୍ଥଳର ପୁନର୍ନିର୍ମାଣରେ ସହଯୋଗ କରିଛି। ସେହିପରି ବାହାରିନର ୨୦୦ ବର୍ଷ ପୁରୁଣା ଶ୍ରୀନାଥଜୀ ମନ୍ଦିର, ବାଂଲାଦେଶର ଜୟ କାଳୀ ମାତା ଓ ରମଣା କାଳୀ ମନ୍ଦିର, କାମ୍ବୋଡିଆର ଅଙ୍ଗକୋର ହେରିଟେଜ୍ କମ୍ପ୍ଲେକ୍ସ ଏବଂ ଲାଓସର ୱାଟ୍ ଫୁ ମନ୍ଦିର ସଂରକ୍ଷଣରେ ମଧ୍ୟ ଭାରତ ଉଲ୍ଲେଖନୀୟ ସହଯୋଗ କରିଛି।
ଭୂକମ୍ପ, ଜ୍ୱାଳାମୁଖୀ ବିସ୍ଫୋରଣ ଓ ରାଜନୈତିକ ପରିବର୍ତ୍ତନ ଯୋଗୁଁ ଏହି ମନ୍ଦିର ବାରମ୍ବାର କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ୧୯୧୮ ମସିହାରୁ ପର୍ଯ୍ୟାୟକ୍ରମେ ଏହାର ସଂରକ୍ଷଣ କାର୍ଯ୍ୟ ଚାଲିଆସୁଛି। ପ୍ରତିବର୍ଷ ମେ’ରୁ ଅକ୍ଟୋବର ମଧ୍ୟରେ ପୂର୍ଣ୍ଣିମା ରାତିରେ ମନ୍ଦିର ପରିସରରେ ଭବ୍ୟ ରାମାୟଣ ବାଲେ ପରିବେଷଣ କରାଯାଏ, ଯାହା ବିଶ୍ୱର ବିଭିନ୍ନ ଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ କେବଳ ଏକ ମନ୍ଦିର ପରିଦର୍ଶନରେ ସୀମିତ ନୁହେଁ। ବରଂ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ କୌଶଳଗତ, ଆର୍ଥିକ ଓ ସାଂସ୍କୃତିକ ସହଯୋଗକୁ ଆହୁରି ମଜବୁତ କରିବା ସହ ଆଗାମୀ ପିଢ଼ି ପାଇଁ ଏସିଆର ଏହି ଅମୂଲ୍ୟ ହିନ୍ଦୁ ଐତିହ୍ୟକୁ ସୁରକ୍ଷିତ ରଖିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି।