ପ୍ରୟାଗରାଜ: ମହାକୁମ୍ଭମେଳାରେ ଦଳାଚକଟା ଘଟଣା ପ୍ରଥମ କିମ୍ବା ନୂଆ ନୁହେଁ। କୁମ୍ଭମେଳାରେ ଭୟଙ୍କର ଭିଡ଼ର ତାଣ୍ଡବ ଇତିହାସ ଖାତାରେ ଲେଖା ଅଛି। ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସ୍ଥଳ ମଧ୍ୟରୁ ଗୋଟିଏ ହେଉଛି ପ୍ରୟାଗରାଜ। ଆଉ ଏଠାରେ ଆଜି ମୌନୀ ଅମାବାସ୍ୟା ଦିନ ଦ୍ୱିତୀୟ ଅମୃତ ସ୍ନାନ ଚାଲିଛି। ଏହି ଅମୃତ ସ୍ନାନର ଠିକ୍ ପୂର୍ବରୁ, ରାତି ପ୍ରାୟ ୧ ଟା ସମୟରେ ସଙ୍ଗମରେ ଦଳାଚକଟା ହୋଇଥିଲା। ବୁଧବାର ଦିନ ଘଟିଥିବା ଏହି ବିଶୃଙ୍ଖଳା ପରିସ୍ଥିତିରେ ୧୨ରୁ ଊର୍ଦ୍ଧ୍ଵ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। କୁମ୍ଭମେଳା ଟ୍ରାଜେଡ଼ି ଭୟଙ୍କର ଏବଂ ବିଚଳିତ ଥିଲା। ତେବେ ଏହି ଦୁର୍ଘଟଣା ପୁଣି ସେହି ପୁରୁଣା ଦିନକୁ ମନେ ପକେଇଦେଇଛି।
ଏହି ଦୁର୍ଘଟଣା ଆମକୁ ୭୧ ବର୍ଷ ପୂର୍ବେ ଘଟିଥିବା ମହାକୁମ୍ଭ ଘଟଣାକୁ ମନେ ପକାଇ ଦେଇଛି। ୭୧ ବର୍ଷ ପୂର୍ବେ ଘଟିଥିଲା ସମାନ ଏପରି ଏକ ଘଟଣା। ଯେଉଁଥିରେ ୮୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ୧୯୫୪ ରୁ ୨୦୨୫ ପର୍ଯ୍ୟନ୍ତ ପ୍ରାଣଘାତକ ଦଳାଚକଟାର ଇତିହାସ ଉପରେ ନଜର ପକାଇବା।
୧୯୫୪: ଭାରତର ସ୍ୱାଧୀନତା ପରେ ଆହ୍ଲାବାଦରେ ପ୍ରଥମଥର ପାଇଁ ମହାକୁମ୍ଭମେଳା ଅନୁଷ୍ଠିତ ହୋଇଥିଲା। ଏହା ଭାରତ ପାଇଁ ଏକ ଐତିହାସିକ ଘଟଣା ଥିଲା, ଯାହା ଏକ ଦୁଃଖଦ ଘଟଣା ପାଲଟିଥିଲା। ୧୯୫୪ ମସିହାରେ ଆୟୋଜିତ ଏହି ମହାକୁମ୍ଭରେ ଫେବୃଆରୀ ୩ ତାରିଖରେ ମୌନୀ ଅମାବାସ୍ୟା ଥିଲା। ସେହି ସମୟରେ ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ) ରେ କୁମ୍ଭମେଳାରେ ବହୁ ସଂଖ୍ୟକ ଭକ୍ତଙ୍କ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା। ଅମୃତ ସ୍ନାନ ପାଇଁ ଲକ୍ଷ ଲକ୍ଷ ଲୋକ ସଙ୍ଗମ କୁଳରେ ଥିଲେ। ବହୁ ସଂଖ୍ୟାରେ ଲୋକ ଗଙ୍ଗା କୂଳରେ ଠିଆ ହୋଇ ଅଖାଡାର ଶୋଭାଯାତ୍ରା ଦେଖିଥିଲେ। ଧୀରେ ଧୀରେ ଭିଡ଼ ବବଢିବାକୁ ଲାଗିଲା। କିନ୍ତୁ ଶୋଭାଯାତ୍ରା ହେତୁ ବାହାରିବା ପାଇଁ ସ୍ଥାନ ନଥିଲା। ଯେତେବେଳେ ଠେଲା ପେଲା ଆରମ୍ଭ ହେଲା, ଲୋକମାନେ ନାଗା ସାଧୁଙ୍କ ଶୋଭାଯାତ୍ରା ଦେଇ ଯିବାକୁ ଚେଷ୍ଟା କଲେ। କୁହାଯାଏ ଯେ, ସେତେବେଳେ ସାଧୁମାନେ ସେମାନଙ୍କ ତ୍ରିଶୂଳ ଶ୍ରଦ୍ଧାଳୁମାନଙ୍କ ଆଡକୁ ମୁହାଁଇଦେଇଥିଲେ। ଏଭଳି ପରିସ୍ଥିତିରେ ଲୋକମାନେ ବାହାରକୁ ଆସିପାରିନଥିଲେ ଏବଂ ଦଳାଚକଟା ହେତୁ କେହି କେହି ପୋତି ହୋଇ ମୃତ୍ୟୁ ବରଣ କରିଥିଲେ ଏବଂ କେହି କେହି ଗଙ୍ଗାରେ ବୁଡ଼ି ଯାଇଥିଲେ। ଏହି ଦୁର୍ଘଟଣାରେ ୮୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ୨୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।
୧୯୮୬: ହରିଦ୍ୱାରର କୁମ୍ଭମେଳାରେ ଏକ ଦୁଃଖଦ ଘଟଣା ଘଟିଥିଲା। ଆୟୋଜିତ କୁମ୍ଭମେଳାରେ ଦଳାଚକଟାରେ ଅତି କମରେ ୨୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀର ବାହାଦୁର ସିଂହ ଦଳାଚକଟା ଦିନ ବିଭିନ୍ନ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଏବଂ ସଂସଦ ସଦସ୍ୟଙ୍କ ସହିତ ହରିଦ୍ୱାରରେ ପହଞ୍ଚିଥିଲେ। ସୁରକ୍ଷା କର୍ମୀମାନେ ସାଧାରଣ ଲୋକଙ୍କୁ ନଦୀକୂଳକୁ ଯିବାରୁ ବାରଣ କରିଥିଲେ। ଏହା ଭିଡ଼କୁ ଅସ୍ଥିର ଏବଂ ଅନିୟନ୍ତ୍ରିତ କରିଦେଇଥିଲା, ଯାହା ଫଳରେ ଏକ ସାଂଘାତିକ ଦଳାଚକଟା ହୋଇଥିଲା।
୨୦୦୩: ୨୦୦୩ ମସିହାରେ, ମହାରାଷ୍ଟ୍ରର ନାସିକରେ ଦଳାଚକଟା ଘଟି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଠାରେ ଆୟୋଜିତ କୁମ୍ଭମେଳା ସମୟରେ ଗୋଦାବରୀ ନଦୀରେ ହଜାର ହଜାର ତୀର୍ଥଯାତ୍ରୀ ଏକାଠି ହେବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ମହିଳାମାନଙ୍କ ସମେତ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁସାରେ, ୧୦୦ ରୁ ଅଧିକ ଆହତ ହୋଇଥିଲେ।
୨୦୨୫: ମୌନୀ ଅମାବାସ୍ୟା ଅମୃତ ସ୍ନାନ ପୂର୍ବରୁ ଦଳାଚକଟା ହୋଇଥିଲା। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହେବା ଖବର ଆସିଛି। ୩୦ ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ଯଦିଓ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ପରିସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି।
Comments are closed.