Latest Odisha News

BREAKING NEWS

ରାହୁଲଙ୍କୁ ସହାୟକ ହେବ କି ଭାରତ ଯୋଡୋ ଯାତ୍ରା ?

କିଛି ଧନୀଙ୍କୁ ସାହାଯ୍ୟ କରୁଛନ୍ତି ମୋଦି: ରାହୁଲ

କନ୍ୟାକୁମାରୀ: ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା  । କନ୍ୟାକୁମାରୀଠାରୁ ଏହି ଯାତ୍ରା ଆରମ୍ଭ କରି ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି ବିଜେପି ବିରୋଧୀଙ୍କୁ ଡରାଉଛି ।  ଧର୍ମ ଏବଂ ଭାଷା ଆଧାରରେ ଦେଶକୁ ବାଣ୍ଟିବାକୁ ଚାହୁଁଛି । ଲୋକମାନଙ୍କ ମଧ୍ୟରେ ଘୃଣାଭାବନା ସୃଷ୍ଟି କରୁଛି  ।

ହଜାର ହଜାର କଂଗ୍ରେସ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇ ରାହୁଲ କହିଛନ୍ତି ବିଜେପି ସିବିଆଇ ଏବଂ ଇଡି, ଆଇଟି ସହାୟତାରେ ବିରୋଧୀ ଦଳମାନଙ୍କୁ ଡରାଇବାକୁ ଚାହୁଁଛି । ତେବେ ଦେଶର କୈାଣସି ଲୋକ କି ନେତା ସିବିଆଇ କି ଇଡିକୁ ଡରନ୍ତି ନାହିଁ  ।  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିନସାରା ନ୍ୟୁଜ ଚ୍ୟାନେଲମାନେ ଦେଖାଉଛନ୍ତି। ଆମକୁ କୈାଣସି ଚ୍ୟାନେଲ ଦେଖାଉନାହାଁନ୍ତି ତେଣୁ ଆମେ ଏହି ଯାତ୍ରା ଆରମ୍ଭ କରିବାକୁ ବାଧ୍ୟ ହେଲୁ ।

ରାହୁଲ ଆହୁରି କହିଛନ୍ତି ଯେ ଭାରତର କୋଟି କୋଟି ଲୋକଙ୍କ ଭବିଷ୍ୟତ ଏବେ ଜଣେ ଲୋକଙ୍କ ହାତରେ ରହିଛି । ଆମେ ପୁଣି ଦାସତ୍ୱ ଯୁଗକୁ ଯାଉଛୁ। ପୂର୍ବରୁ ଏକ ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶକୁ ଶାସନ କରୁଥିଲା, ବର୍ତ୍ତମାନ ତିନି ଚାରୋଟି  କମ୍ପାନୀ ଦେଶକୁ ଶାସନ କରୁଛନ୍ତି । ଦେଶର ଆର୍ଥିକ ଅବସ୍ଥା ତଳକୁ ତଳକୁ ଯାଉଥିବା କହିଛନ୍ତି ରାହୁଲ ।  ରାହୁଲ ଆହୁରି କହିଛନ୍ତି ଯେ ଜାତୀୟ ପତାକା ହେଉଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଭାରତୀୟଙ୍କର କିନ୍ତୁ ବିଜେପି ଚାହୁଁଛି ତ୍ରିରଙ୍ଗା କେବଳ ବିଜେପିର ।

ଏଠାରେ ସୂଚନାଯୋଗ୍ୟ ୨୦୨୪ ନିର୍ବାଚନ ପୂର୍ବରୁ ଲୋକଙ୍କ ସହ ସଂପର୍କ ଯୋଡିବାକୁ କଂଗ୍ରେସ ପକ୍ଷରୁ ଏଭଳି ଯାତ୍ରା ଆରମ୍ଭ କରିଛି । ଏଥିପାଇଁ ଭାରତ ଯୋଡୋ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ୟୁପି, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବ ଦେଇ ଯାତ୍ରା କରିବ। ରାହୁଲ ଗାନ୍ଧୀ ଙ୍କ ଏହି ଯାତ୍ରା ପ୍ରାୟ ୩୫୭୦ କିଲୋମିଟର ଯାତ୍ରା କରିବ ।  ଯାତ୍ରା ମାଧ୍ୟମରେ କଂଗ୍ରେସ  ୩୭୨ ଲୋକସଭା ଆସନ ଉପରେ ଧ୍ୟାନ ଦେଉଛି। ହିନ୍ଦି ଭାଷାଭାଷୀ ଅଂଚଳ ଉପରେ ଧ୍ୟାନ ଦେଇ ଭୋଟରଙ୍କୁ ଆକୃଷ୍ଣ କରିବା ପାଇଁ ଏହି ଯାତ୍ରା ସମୟରେ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।

ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶରେ ଲୋକସଭା ଆସନ ରହିଛି ୮୦ । ମହାରାଷ୍ଟ୍ରରେ ରହିଛି ୪୮ ଆସନ । ତାମିଲନାଡୁରେ ରହିଛି ୩୯ ଆସନ, ମଧ୍ୟପ୍ରଦେଶରେ ରହିଛି ୨୯ ଆସନ, କର୍ଣ୍ଣାଟକରେ ୨୮ ଗୁଜରାଟରେ ୨୬ ଆସନ ରହିଛି । ଆନ୍ଧ୍ରରେ ୨୫ କେରଳରେ ୨୦ ଆସନ ରହିଛି ।ତେଲେଙ୍ଗାନାରେ ୧୭ ଏବଂ ପଂଜାବରେ ୧୩ ଆସନ ରହିଛି । ଦିଲ୍ଲୀରେ ୭ଟି ଆସନ ଥିବାବେଳେ ଜମ୍ମୁକାଶ୍ମୀରରେ ୫ ଟି ଲୋକସଭା ଆସନ ରହିଛି । ଏହି ସବୁ ରାଜ୍ୟରେ କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ଚାହୁଁଛି ।

ପୂର୍ବରୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଯାତ୍ରା  କରି ସଫଳ ହୋଇଥିଲା କଂଗ୍ରେସ । ଏପରିକି ଦୁଇ ରାଜ୍ୟରେ କଂଗ୍ରେସ  ସରକାର ଗଠନ କରିଥିଲା । ସେହି ସଫଳତା ଆଧାରରେ ସଂଗଠନ ସୁଦୃଢ଼ ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଭାରତ ଯୋଡୋ ଯାତ୍ରା କରୁଥିବା ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି ।

ରାହୁଲ ଗାନ୍ଧୀଙ୍କ ସହ କନ୍ୟାକୁମାରୀରୁ କାଶ୍ମୀର ପର‌୍ୟ୍ୟନ୍ତ ୧୦୦ ବରିଷ୍ଠ ନେତା ମଧ୍ୟ ରହିବାର କାର‌୍ୟ୍ୟକ୍ରମ ରହିଛି ।   ଯାତ୍ରାରେ ବିଜେପିକୁ ବିରୋଧ କରୁଥିବା ଅନ୍ୟ ଦଳର ନେତାଙ୍କୁ ମଧ୍ୟ ସାମିଲ କରାଯିବ । ସେମାନଙ୍କୁ ଅତିଥି ଯାତ୍ରୀ କୁହାଯିବ  ।   ବିହାର, ବଙ୍ଗଳା ଏବଂ ଉତ୍ତର ପୂର୍ବ ଭାରତରୁ ଆସୁଥିବା ନେତାମାନଙ୍କୁ ଅଧିକ ସ୍ଥାନ ଦିଆଯିବ। ଯେଉଁ ରାଜ୍ୟରେ କଂଗ୍ରେସର ସ୍ଥିତି ଖରାପରୁ ଅତି ଖରାପ ହୋଇଛି  ତାହା ଉପରେ ଫୋକସ ଅଧିକ ରହିବ । ୧୫୦ ଦିନର ଯାତ୍ରା ସମୟରେ ୧୨ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଂଚଳ ଦେଇ ଯାତ୍ରା କରିବେ ରାହୁଲ ଗାନ୍ଧୀ । ଗତ କିଛି ବର୍ଷ ମଧ୍ୟରେ ଦେଶରେ ରାହୁଲଙ୍କ ଲୋକପ୍ରିୟତା କମିଥିବା ବେଳେ ଏହି ଯାତ୍ରା ରାହୁଲଙ୍କ ଲୋକପ୍ରିୟତା ଫେରାଇ ଆଣିବ କି? ଏହି ପ୍ରଶ୍ନର ଚର୍ଚା ଏବେ ଚାରିଆଡେ ।  ତେବେ ଏହି ଯାତ୍ରା ରାହୁଲ ଗାନ୍ଧୀଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ ବନିବାରେ କେତେ ସହାୟକ ହେବ ଏବଂ  କଂଗ୍ରେସକୁ କେତେ ସୁଫଳ ଦେବ ତାହା ସମୟ କହିବ ।

Comments are closed.