Latest Odisha News

BREAKING NEWS

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି।

୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪ ହଜାର ୭୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ରାକେଶ ମଲ୍ଲିକ ୪୯ ହଜାର ୮୩୯ ଭୋଟ ପାଇଥିବାବେଳେ କଂଗ୍ରେସର ସୁରେନ୍ଦ୍ର ପ୍ରାମାଣିକଙ୍କୁ ୪୭ ହଜାର ୩୬ ଖଣ୍ଡ ଭୋଟ ମିଳିଥିଲା।

ବିଜେଡି ପ୍ରାର୍ଥୀ ପର୍ଶୁରାମ ଧଡା ଲଗାତର ଦ୍ୱିତୀୟ ଥର ପାଇଁ ଜିତିଥିଲେ। କିନ୍ତୁ ଏଥର ସ୍ଥିତି ବଦଳିଛି। ସୋରରେ ବିଜେଡିର ଅନ୍ତଃକନ୍ଦଳ ବ୍ୟାପକ ହୋଇଥିବା ଚର୍ଚ୍ଚା ହେଉଛି। ବିଧାୟକ ଧଡ଼ାଙ୍କୁ ବହୁ ଦଳୀୟ ନେତା ଓ କର୍ମୀ ବିରୋଧ କରୁଥିବା ଜଣାପଡିଛି।

ତେଣୁ ବିଧାୟକଙ୍କୁ ଏଭଳି ବିରୋଧ ପରେ ତାଙ୍କ ଉପରେ ଦଳ ଆଉଥରେ ଭରସା କରିବ କିମ୍ବା ଆଉ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡି ଟିକେଟ ପାଇଁ ବହୁ ଆଶାୟୀଙ୍କୁ ଦେଖିବାକୁ ମିଳୁଛି।

ଦଳୀୟ ଟିକେଟ ଲବିରେ ପ୍ରଫୁଲ୍ଲ ସେଠୀଙ୍କ ସମେତ ସୋର ବ୍ଲକ ଅଧ୍ୟକ୍ଷା ଅନୁସୂୟା ମଲ୍ଲିକ ପ୍ରମୁଖ ରହିଛନ୍ତି। ଅଧିକ ସଂଖ୍ୟକ ମହିଳାଙ୍କୁ ବିଜେଡି ଆଗାମୀ ନିର୍ବାଚନରେ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଥିବାରୁ ଅନୁସୂୟାଙ୍କୁ ଦଳୀୟ ଟିକେଟ ମିଳିପାରେ ବୋଲି ଆଲୋଚନା ହେଉଛି।

ବିଜେପିରୁ ମଧ୍ୟ ଏକାଧିକ ପ୍ରାର୍ଥୀ ଲବିରେ ଥିବା କୁହାଯାଉଛି। ଦଳର ସଙ୍ଗଠନକୁ ଶକ୍ତ କରିବା ପାଇଁ ଲାଗି ପଡିଥିବା ରାକେଶ ମଲ୍ଲିକ ଏଥର ଟିକେଟ ଲବିରେ ସର୍ବାଗ୍ରେ ଥିବା ସୂଚନା ମିଳିଛି।

ଲଗାତର ଦୁଇଥର ହାରିଥିଲେ ମଧ୍ୟ ପୂର୍ବ ନିର୍ବାଚନରେ ବିଜେଡି ସହ କଡା ଟକ୍କର ଦେଇଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ। ସେପଟେ ବିଜେପି ନେତା ମୃତ୍ୟୁଞ୍ଜୟ ଜେନା ଓ ମାଧବ ଧଡ଼ା ପ୍ରମୁଖଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି।

କଂଗ୍ରେସ ସୋରରେ ପୂର୍ବରୁ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲା। କିନ୍ତୁ ଆଗାମୀ ନିର୍ବାଚନ ପାଇଁ ଦଳୀୟ ଟିକେଟ ଲବିରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରାମାଣିକ, ପୂର୍ବତନ ସାଂସଦ ଅନନ୍ତ ସେଠୀ ପ୍ରମୁଖଙ୍କ ନାଁ ଶୁଣିବାକୁ ମିଳୁଛି।

୨୦୦୯ ରେ ସୁରେନ୍ଦ୍ର କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟଲାଭ କରିଥିଲେ। ତେଣୁ ତିନି ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିବେ ଓ କିଏ ବିଜୟ ବାନା ଉଡାଇବ ତା ଉପରେ ନଜର।

Leave A Reply

Your email address will not be published.