Latest Odisha News

ବିହାରରେ  ବିଜେପିର ମିଶନ 35 ସଫଳ ହେବ କି?

ବିହାରରେ ବିଜେପି ଏବେ ବିରୋଧୀ ଦଳର ଭୂମିକାରେ ରହିଛି । ତେବେ ଗୃହମନ୍ତ୍ରୀ ଅମିତ ଶାହ ବିହାରରେ 2024 ନିର୍ବାଚନ ପାଇଁ ମିଶନ 35 ଟାର୍ଗେଟ ଦେଇଛନ୍ତି । ଅମିତ ଶାହଙ୍କ ଟାର୍ଗେଟ ପୂରଣ କରିବା ପାଇଁ ବିଜେପି ନେତାମାନେ ଏବେ ବିହାରରେ କସରତ ଆରମ୍ଭ କରିଦେଇଛନ୍ତି ।

ବିଜେପିକୁ ବାଏ ବାଏ କହି ଜେଡିୟୁ ଏବେ  ଆରଜେଡି , କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ସହ  ମିଳିତ ମଞ୍ଚ ଗଠନ କରି ସରକାର ଗଠନ କରିଛି । ଜେଡିୟୁର ଅଚାନକ ହୃଦୟ ପରିବର୍ତ୍ତନକୁ ବିଜେପି ବିଶ୍ବାସ କରିପାରିନଥିବା ବେଳେ ଏବେ ଜେଡିୟୁ କୁ ପାନେ ଦେବାକୁ ରଣନୀତି ଆରମ୍ଭ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ଦଳୀୟ ନେତା ଓ କର୍ମୀଙ୍କୁ ରଣନୀତି କରି ଆଗାମୀ ନିର୍ବାଚନରେ ଜେଡିୟୁ ଠାରୁ ଆସନ ଛଡ଼ାଇବାକୁ ଅମିତ ଶାହ ବିହାର ଗସ୍ତ କରିବାକୁ ଯୋଜନା କରିଛନ୍ତି ।

 2019 ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ​​ବିହାରର 40 ଟି ଲୋକସଭା ଆସନରୁ 39 ଟି ଆସନରେ ଏନଡିଏ ଜିତିଥିଲା। ଜେଡିୟୁ ଏହି 39 ଟି ଲୋକସଭା ଆସନ ମଧ୍ୟରୁ 16 ଟି ଜିତିଥିଲା। ଯାହା ଉପରେ ଏବେ ଅମିତ ଶାହ ଫୋକସ କରୁଛନ୍ତି । ଜେଡିୟୁ ଜିତିଥିବା ଆସନରେ ବିଜେପିର ମଧ୍ୟ ପଲା ଭାରି ଅଛି ।

ବର୍ତ୍ତମାନ ଏନଡିଏ ପାଖରେ ପାଖରେ 23 ଟି ସିଟ୍ ଅଛି। 2024 ବର୍ଷ ପାଇଁ,  ବିଜେପି 35 ଟି ଆସନ ଧାର୍ଯ୍ୟ କରିଛି । ମିଶନ 35 ବିଜେପି ପାଇଁ ଏଥର କେତେ କଷ୍ଟକର ହେବ ତାହା କହିହେବ ନାହିଁ । ତେବେ ସେପ୍ଟେମ୍ବର ମାସରୁ ବିହାରରେ ନିଜର ମିଶନ 35 ଲକ୍ଷ୍ୟ ପୂରଣ କରିବା ପାଇଁ ଅମିତ ଶାହ ବିହାର ଗସ୍ତ କାର୍ଯ୍ୟସୂଚୀ  କରିଛନ୍ତି । ଲୋକ ଜନଶକ୍ତି ପାର୍ଟି ର 5 ସଦସ୍ୟ ଏନଡିଏରେ ରହିଛନ୍ତି । ଅବଶ୍ୟ ଚିରାଗ ପାଶଓ୍ବାନ ବିଜେପି ସହ ଯିବାର ସଂଭାବନା କମ ରହିଛି ।

ବିହାର ଲୋକସଭାରେ ପୂର୍ବସ୍ଥିତି ଆଣିବାକୁ ଏଥର ବିଜେପି ଆଗୁଆ ରାଲି, ସଭା କରିବା ସହ ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଛି । ସେପଟେ ଆରଜେଡି ଏବେ ନୀତିଶଙ୍କ ଜେଡିୟୁ ସହ ସରକାରରେ ଥିବାରୁ ଲୋକସଭା ନିର୍ବାଚନରେ ଏଥର ବିଜେପିକୁ ଟକ୍କର ଦେବାପାଇଁ ଅଧିକ ପରିଶ୍ରମ କରିବାକୁ ଏହାର ନେତାଙ୍କୁ ନିର୍ଦେଶ ଦେଇଛି । ଗତ ନିର୍ବାଚନରେ ଆରଜେଡି ଖାତା ଖୋଲିପାରିନଥିଲା । କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି ଆମେ ବିଜେପିର ରଣନୀତିକୁ ଭେଦିବାକୁ ଚେଷ୍ଟା କରୁଛୁ । ଅମିତ ଶାହଙ୍କ ମିଶନ 35କୁ ଆମେ ବାଧାଦେବୁ । ବିଜେପି କେବେହେଲେ ବିହାରରେ ତାର ଲକ୍ଷ୍ୟ ପୂରଣ କରିପାରିବ ନାହିଁ ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର 2024ରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଯଥେଷ୍ଟ ସଂଭାବନା ରହିଛି  । ଆରଜେଡି ସହ କଂଗ୍ରେସ ନେତାମାନେ ନୀତିଶଙ୍କୁ ଏହି ପ୍ରତିଶ୍ରୁତି ଦେଇଥିବା ଚର୍ଚା ହେଉଛି ।

ତେବେ ବିହାରରେ ବିଜେପିର ମିଶନ 35 ଲକ୍ଷ୍ୟ ପୂରଣ ହୋଇପାରୁଛି ନା ମିଳିତ ବିରୋଧୀ ମଂଚ ବିଜେପି ର ପକ୍ଷ ଛେଦନ କରିବ ତାକୁ ନେଇ ବିହାର ରାଜନୀତି ଏବେ ସରଗରମ ହେବାରେ ଲାଗିଛି ।

Leave A Reply

Your email address will not be published.