Latest Odisha News

BREAKING NEWS

ୟୁରୋପ ଉପରେ ଅସନ୍ତୁଷ୍ଟ ଟ୍ରମ୍ପ, ଚୀନ ନେବ ଫାଇଦା !

ନୂଆଦିଲ୍ଲୀ: ନିକଟରେ ଜର୍ମାନୀରେ ହୋଇଥିବା ମ୍ୟୁନିଖ ସୁରକ୍ଷା ସମ୍ମେଳନରେ ୟୁରୋପକୁ ନେଇ ତେଢା ଆଭିମୁଖ୍ୟ ଦେଖାଇଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ବେନ୍ସ । ନାଟୋ ରହିବାକୁ ହେଲେ ୟୁରୋପୀୟ ୟୁନିୟନ ଦେଶଗୁଡିକ ସେମାନଙ୍କ ପ୍ରତିରକ୍ଷା ବଜେଟ୍ ବଢାଇବା ଉଚିତ୍ ବୋଲି ସେ କହିଛନ୍ତି । ପୂର୍ବରୁ ଟ୍ରମ୍ପ ମଧ୍ୟ ସମାନ କଥା କହିଥିଲେ । ହ୍ବାଇଟ୍ ହାଉସରେ କ୍ଷମତା ପରିବର୍ତ୍ତନ ସହ ପ୍ରଥମ ଥର ପାଇଁ ଆମେରିକା ଓ ୟୁରୋପ ସଂପର୍କରେ ମତଭେଦ ଦେଖିବାକୁ ମିଳିଛି । କୁହାଯାଉଛି, ଏଥିରୁ ଚୀନ୍ ଫାଇଦା ଉଠାଇପାରେ ।

ଦୁଇ ବିଲେଇଙ୍କ କଳିରେ…

ଗତ ସପ୍ତାହରେ ମ୍ୟୁନିଖ ସୁରକ୍ଷା ସମ୍ମେଳନରେ ଆମେରିକାର ପ୍ରତିନିଧିତ୍ବ କରୁଥିବା ଜେଡି ବେନ୍ସ ୟୁରୋପୀୟ ସୁରକ୍ଷାକୁ ନେଇ ବଡ଼ ବୟାନ ଦେବେ ବୋଲି ଆଶା କରାଯାଉଥିଲା । ହେଲେ ଟ୍ରମ୍ପଙ୍କ ବୟାନ ଦୋହରାଇବା ସହ ୟୁରୋପକୁ ପ୍ରତିରକ୍ଷା ବଜେଟ୍ ବଢାଇବାକୁ ସେ କହିଥିଲେ । ଖାଲି ସେତିକି ନୁହେଁ ମହାଦେଶକୁ ବାହାରୁ ନୁହେଁ ବରଂ ଭିତରୁ ବେଶୀ ବିପଦ ରହିଛି । ଏପରିକି ୟୁରୋପୀୟ ସରକାର ହେଟ୍ ସ୍ପିଚକୁ ପ୍ରୋତ୍ସାହନ ଦେଉଥିବା ବି ଅଭିଯୋଗ କରିଥିଲେ ବେନ୍ସ । ସେପଟେ ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କ ସ୍ବର ସମବେଦନା ଭରା ରହିଥିଲା । ବେଜିଂ ୟୁରୋପକୁ ଶତ୍ରୁ ନୁହେଁ ବରଂ ସାଥିଙ୍କ ଭଳି ଦେଖେ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଶାନ୍ତି ଆଲୋଚନା କଥା ମଧ୍ୟ କହିଥିଲା ଚୀନ୍ ।

ଫାଇଦା ନେଇଯିବ ଚୀନ୍ !

ବେଜିଂ ଓ ୟୁରୋପ ମଧ୍ୟରେ ସଂପର୍କ ଅନେକ ସମୟ ଧରି ଖରାପ ରହିଛି । ଚୀନରେ ଉଇଗର ମୁସଲିମଙ୍କ ସହ ଅନ୍ୟାୟକୁ ନେଇ ଅନେକ ଥର ୟୁରୋପ ଅସନ୍ତୋଷ ଦେଖାଇଛି । କୋଭିଡ୍ ବେଳେ ଉଭୟ ପକ୍ଷ ମଧ୍ୟରେ ଅବିଶ୍ବାସ ବଢିଥିଲା । ଚୀନ୍ ଓ ୟୁରୋପ ପରସ୍ପର ଉପରେ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇଥିଲେ, ଯାହା ଏପର୍ଯ୍ୟନ୍ତ ଜାରି ରହିଛି । ତେବେ ୟୁରୋପକୁ ନେଇ ଆମେରିକା ଅସନ୍ତୋଷ ବ୍ୟକ୍ତ କରିବା ପରେ ବିଶ୍ବାସଭାଜନ ହେବାକୁ ଉଦ୍ୟମ କରୁଛି ଚୀନ୍ । ଋଷ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତିଦୂତ ହେବାକୁ ଚାହୁଁଛି । ଯୁଦ୍ଧ ରୋକିବାକୁ ଟ୍ରମ୍ପ ବି ଉଦ୍ୟମ କରୁଛନ୍ତି। ହେଲେ ୟୁକ୍ରେନ୍ ନୁହେଁ ଆମେରିକା ଋଷ ପାଇଁ ନରମ ଭାବ ଦେଖାଉଛି । ୟୁକ୍ରେନକୁ ନାଟୋରେ ସାମିଲ କରିବାକୁ ମନା କରିଛି । ଓ୍ବାଶିଂଟନ୍ ଓ ମସ୍କୋ ଯୁଦ୍ଧକୁ ନେଇ ଆଲୋଚନା ତ କରୁଛନ୍ତି ହେଲେ ସେଥିରେ କିଭ୍ ସାମିଲ ହୋଇନି ।

ଟ୍ରମ୍ପ ଶାସନରେ ଚୀନ୍ ସହ କେମିତି ସଂପର୍କ?

ଦ୍ବିତୀୟ କାର୍ଯ୍ୟକାଳରେ ଟ୍ରମ୍ପ ଚୀନକୁ ନେଇ ଆହୁରି ଶକ୍ତ ହୋଇପାରନ୍ତି । କୋଭିଡ୍ ସମୟରେ ଟ୍ରମ୍ପ ବାରମ୍ବାର କରୋନା ଭୂତାଣୁକୁ ଚାଇନିଜ୍ ଭୂତାଣୁ କହିଥିଲେ । ଏହାସହ ଜିନପିଙ୍ଗଙ୍କ ଭୁଲକୁ ଲୁଚାଇବା ନେଇ ଡବ୍ଲୁଏଚଓକୁ ବି ଘେରିଥିଲେ । ବାଇଡେନ୍ ପ୍ରଶାସନ ଚୀନକୁ ନେଇ ଉଦାର ରହିଥିଲା । ତେବେ୨୦୨୩ରେ ସ୍ପାଏ ବେଲୁନ୍ ଘଟଣା ପରେ ଆମେରିକା କଡା ଆଭିମୁଖ୍ୟ ଦେଖାଇଥିଲା। ତେବେ ଟ୍ରମ୍ପ ପୁଣି କ୍ଷମତାକୁ ଆସିବା ପରେ ଚୀନ ଉପରେ ବ୍ୟବସାୟକୁ ନେଇ ଟାରିଫ ଲଗାଇଥିଲେ । ଜବାବରେ ପାଲଟା ଟାରିଫ ଲଗାଇଥିଲା ଚୀନ୍ । ତେଣୁ ଆଗକୁ ଉଭୟ ଦେଶର ସଂପର୍କ କେବେ ନରମ ତ କେବେ ଗରମ ରହିପାରେ ।

୨୦୧୯ରେ ଚୀନକୁ ରଣନୈତିକ ପ୍ରତିଦ୍ବନ୍ଦ୍ବୀ କହିଥିଲା ୟୁରୋପୀୟ ୟୁନିୟନ । ଚୀନର ବିସ୍ତାରବାଦୀ ନୀତିକୁ ନେଇ ପ୍ରଶ୍ନ ଉଠାଇବା ସହ ଏହାକୁ ଗଣତନ୍ତ୍ର ଓ ଶାନ୍ତି ପାଇଁ ବିପଦ ବୋଲି ବି କହିଥିଲା । ତେବେ ଏହା ମଧ୍ୟରେ ହଙ୍ଗେରୀରେ ବଡ ନିବେଶ କରିଥିଲା ଚୀନ୍ । ଚୀନ୍ ଓ ହଙ୍ଗେରୀ ସଂପର୍କକୁ ନେଇ ବି ପ୍ରଶ୍ନ ଉଠାଇଥିଲା ୟୁରୋପୀୟ ୟୁନିୟନ । ତେବେ ୟୁରୋପୀୟ ୟୁନିୟନର ସୁରକ୍ଷାଦାତା ରହିଥିବା ଆମେରିକା ଏବେ ଧିରେ ଧିରେ ନିଜ ହାତ ଫେରାଇ ନେଉଛି । ଏମିତି ହେଲେ ୟୁରୋପୀୟ ଦେଶଙ୍କୁ ନିଜ ପ୍ରତିରକ୍ଷା ନେଇ ଚିନ୍ତା କରିବାକୁ ଚାପ ପଡିବ । ଏହି ସମୟରେ ଚୀନ୍ ସହଯୋଗର ହାତ ବଢାଇଲେ, କିଛି ସମୟ ପାଇଁ ଆମେରିକାର ଜାଗା ନେଇପାରେ ବୋଲି ବୈଦେଶିକ ବ୍ୟାପର ବିଶେଷଜ୍ଞ କହିଛନ୍ତି ।

Comments are closed.