Latest Odisha News

କଂଗ୍ରେସ ଖେଳିବ କି ଆଦିବାସୀ କାର୍ଡ ?

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଟପ୍ ପୋଷ୍ଟ ପାଇଁ ଆଦିବାସୀ କାର୍ଡ ଖେଳିବ କି ଦଳ? କୋରାପୁଟ ସାଂସଦ ସପ୍ତଗିରି ଉଲାକା ହେବେ କି ପରବର୍ତ୍ତୀ ପିସିସି ସଭାପତି? ଚର୍ଚ୍ଚା ହେଉଛି, ରାଜ୍ୟ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ପତିଆରା ବଢୁଛି। ବିଧାୟକ ଦଳ ନେତା ଚୟନ ବେଳେ ବି ଏକଥା ଦେଖିବାକୁ ମିଳିଛି। ଉଲାକାଙ୍କ ଗୋଷ୍ଠୀର ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ଦାୟିତ୍ବ ଦେଇଛି ଦଳ । ପିସିସି ସଭାପତି ରେସରେ ଉଲାକା ସବୁଠୁ ଆଗରେ ରହିଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବୟାନ ବଢାଇଛି ଚର୍ଚ୍ଚା ।

ଦିନରେ ବାଡାବାଡି ରାତିରେ କୋଳାକୋଳି

ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ହଟିବା ପରେ ପଦ ପାଇଁ ଚର୍ଚ୍ଚାରେ ଅନେକ ନାଁ ରହିଛି । ତେବେ ସବୁଠୁ ଆଗରେ ରହିଛନ୍ତି କୋରାପୁଟ ସାଂସଦ ତଥା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ କୁହାଯାଉଥିବା ସପ୍ତଗିରି ଉଲାକା। ଉଲାକାଙ୍କ ପତିଆରା ବୃଦ୍ଧି ସହ ଦଳର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ସାଇଡ୍ ହୋଇଥିବା କୁହାଯାଉଛି। ତେବେ ପିସିସି ସଭାପତି ନେଇ ତାରାଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସପ୍ତଗିରି ଉଲାକା ପିସିସି ସଭାପତି ହେଲେ ଭଲ ହେବ। ରାମଚନ୍ଦ୍ର କାଡାମଙ୍କ ଅଧୀନରେ ବିଧାନସଭାରେ ଦାୟିତ୍ୱ ତୁଲାଉଛନ୍ତି, ସପ୍ତଗିରିଙ୍କ ଅଧୀନରେ କାମ କରିବାରେ ଅସୁବିଧା କେଉଁଠି ବୋଲି ତାରା କହିଛନ୍ତି ।

ବିଜୟୀ ଚେହେରା ହେବେ କି ମଙ୍ଗୁଆଳ ?

୨୦୨୦ ମସିହାରେ ରାଜସ୍ଥାନ ଭଳି ୨୦୨୪ରେ ଓଡିଶାରେ ବି ନିର୍ବାଚନ ପରେ ରାଜ୍ୟ କଂଗ୍ରେସ ସଂଗଠନକୁ ଭାଙ୍ଗିଛି ଏଆଇସିସି। ନିର୍ବାଚନ ବେଳେ କଂଗ୍ରେସର ଟପ୍ ନେତା ବିଜେଡି ସହ ସଂପର୍କରେ ରହିଥିବା ନେଇ ବି ଚର୍ଚ୍ଚା ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ତ ଖୋଲାଖୋଲି ଅସନ୍ତୋଷ ଝାଡିଥିଲେ ଦଳର ନେତା । ତେଣୁ ପିସିସି ପୁନର୍ଗଠନ କରିବ ଏଆଇସିସି । ଏଭଳି ସ୍ଥିତିରେ ହାରିଥିବା ନେତାଙ୍କ ବଦଳରେ ଜଣେ ବିଜୟୀ ନେତାଙ୍କୁ ଦାୟିତ୍ବ ଦେଇପାରେ । ଏହାଦ୍ବାରା ଦଳୀୟ କର୍ମୀଙ୍କ ମନୋବଳ ବଢିବା ସହ ଲୋକଙ୍କ ବିଶ୍ବାସ ବି ଫେରିବ। ଗତ ଦୁଇଟି ନିର୍ବାଚନରେ ଓଡିଶାରୁ ଏକମାତ୍ର କଂଗ୍ରେସ ସାଂସଦ ଭାବେ ସପ୍ତଗିରି ବିଜୟୀ ହୋଇ ଲୋକସଭାକୁ ଯାଇଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଭଲ ସଂପର୍କ ଥିବା ବେଳେ ସେ ପିସିସି ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିଜେପିକୁ ଆଦିବାସୀ କାର୍ଡରେ ଜବାବ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସାଇ ହେଉ କି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ହେଉ, ରାଜ୍ୟରେ ବିଜେପି ଆଦିବାସୀ କାର୍ଡ ଖେଳିଛି । କଂଗ୍ରେସର ଆଦିବାସୀ ଭୋଟବ୍ୟାଙ୍କ ନିଜ ପାଖକୁ ନେବାକୁ ବଡ ରଣନୀତି କରିଛି ବିଜେପି । ତେଣୁ ବିଜେପିକୁ ଜବାବ ଦେବାକୁ ରାଜ୍ୟରେ ଜଣେ ଆଦିବାସୀ ଚେହେରାଙ୍କୁ ପିସିସି ସଭାପତି କରିପାରେ ଏଆଇସିସି। ଏଭଳି ସ୍ଥିତିରେ ସପ୍ତଗିରି ଉଲାକା କଂଗ୍ରେସର ବେଷ୍ଟ ବେଟ୍ ହୋଇପାରନ୍ତି । କାରଣ ଦୁଇ ଦୁଇ ଥର ସାଂସଦ ନିର୍ବାଚିତ ହେବା ସହ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀରେ ଏଥର ସବୁଠୁ ଭଲ ପ୍ରଦର୍ଶନ କରିଛି କଂଗ୍ରେସ ।

ନୂଆ ଚେହେରା ନୂଆ ଜୋଶ୍

କଂଗ୍ରେସ ମଙ୍ଗୁଆଳ ଭାବେ ଏଥର ସପ୍ତଗିରି ଉଲାକାଙ୍କ ପରି ଜଣେ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ ଏଆଇସିସି । କାରଣ ବର୍ଷ ବର୍ଷ ଧରି ବରିଷ୍ଠଙ୍କୁ ଦାୟିତ୍ବ ଦେଇ ସେମିତି ଖାସ୍ ପରିବର୍ତ୍ତନ ଦେଖିନି ଦଳ । ଗୋଷ୍ଠୀ କନ୍ଦଳ କେବେବି ଦଳର ପିଛା ଛାଡିନି । ସାରା ଦେଶରେ ନୂଆ ଜାଗରଣ ସୃଷ୍ଟି କରିଥିବା କଂଗ୍ରେସ, ଏଥର ଓଡିଶାକୁ ବି ଫୋକସ କରିପାରେ । ତେଣୁ ସଂଗଠନ ଦକ୍ଷତା ସାଙ୍ଗକୁ ନୂଆ ଚିନ୍ତାଧାରାକୁ ବି ଦଳ ପ୍ରୋତ୍ସାହନ ଦେଇପାରେ ।

କୋରାପୁଟକୁ ଓଜାଡିଲେ ବାକି ଓଡିଶା…

କଂଗ୍ରେସ ବିଧାୟକ ଦଳ ନେତା ହୋଇଛନ୍ତି ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ । ପଟାଙ୍ଗୀ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି । ତେଣୁ ପୁଣି ସପ୍ତଗିରି ଉଲାକାଙ୍କୁ ପିସିସି ସଭାପତି ପଦ ଦେଲେ ଦଳ ଭିତରେ ବିରୋଧ ହୋଇପାରେ। ଯଦିଓ କୋରାପୁଟରେ କଂଗ୍ରେସ ସବୁଠୁ ଭଲ ପ୍ରଦର୍ଶନ କରିଛି, ତେବେ ବାକି ଓଡିଶାକୁ ବି ଫୋକସ୍ ଜରୁରୀ । ରାମଚନ୍ଦ୍ର କାଡାମ ବିଧାୟକ ଦଳ ନେତା ହେବା ପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଭିମାନ କରିଥିବା ଚର୍ଚ୍ଚା ହୋଇଥିଲା । ସପ୍ତଗିରି ଉଲାକା ପିସିସି ସଭାପତି ହେଲେ ଅଭିମାନୀ ନେତାଙ୍କ ତାଲିକା ବି ବଢିପାରେ । ତେଣୁ ସବୁ ମାନଦଣ୍ଡକୁ ଆଖିରେ ରଖି ପିସିସି ସଭାପତି ବାଛିପାରେ ଏଆଇସିସି ।

Comments are closed.