ନୂଆଦିଲ୍ଲୀ: ଆଜିକାଲି ପ୍ରତିଘରେ ଡାଇବେଟିସ୍ ବା ମଧୁମେୟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ଲୋକ ସଫେଦ ଚିନି ବା ମିଠା ଜିନିଷ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥାନ୍ତି। ସେମାନଙ୍କର ଧାରଣା ଥାଏ ଯେ କେବଳ ଚିନି ଖାଇବା ଦ୍ୱାରା ହିଁ ବ୍ୟକ୍ତିଙ୍କୁ ଡାଇବେଟିସ୍ ହୋଇଥାଏ। କିନ୍ତୁ ଚିକିତ୍ସା ବିଜ୍ଞାନ ଏବଂ ବିଭିନ୍ନ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଏହି ପ୍ରଶ୍ନର ଉତ୍ତର ଏତେ ସରଳ ନୁହେଁ। କେବଳ ସଫେଦ ଚିନି ଖାଇବା ଦ୍ୱାରା ସିଧାସଳଖ ଡାଇବେଟିସ୍ ହୁଏ ନାହିଁ, ବରଂ ଏହା ପଛରେ ଅନେକ ଅନ୍ୟାନ୍ୟ କାରଣ ମଧ୍ୟ ଜଡ଼ିତ ରହିଥାଏ ।
ଡାଇବେଟିସ୍ ସେତେବେଳେ ହୋଇଥାଏ ଯେତେବେଳେ ଶରୀରରେ ରକ୍ତ ଶର୍କରା ବା ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାର କ୍ଷମତା କମିଯାଏ। କେବଳ ଚିନି ଖାଇବା ଏହାର ଏକମାତ୍ର କାରଣ ନୁହେଁ। ଅତ୍ୟଧିକ ଓଜନ ବା ମେଦବହୁଳତା, ଶାରୀରିକ ପରିଶ୍ରମ ବା ବ୍ୟାୟାମର ଅଭାବ, ଭୁଲ୍ ଖାଦ୍ୟପେୟ ଏବଂ ପରିବାରରେ କାହାର ଡାଇବେଟିସ୍ ଇତିହାସ ରହିଥିଲେ ଏହି ରୋଗର ଆଶଙ୍କା ବହୁଗୁଣା ବଢ଼ିଯାଇଥାଏ। ତେଣୁ କେବଳ ଚିନିକୁ ଦୋଷୀ ସାବ୍ୟସ୍ତ କରିବା ସମ୍ପୂର୍ଣ୍ଣ ଠିକ୍ ନୁହେଁ ।
ତେବେ ଅଧିକ ମିଠା ଖାଇବା ଦ୍ୱାରା କାହିଁକି ବିପଦ ବଢ଼େ? ଯଦି କେହି ବ୍ୟକ୍ତି ପ୍ରତିଦିନ ଅତ୍ୟଧିକ ମିଠା କିମ୍ବା ଚିନିଯୁକ୍ତ ଖାଦ୍ୟ ଖାଆନ୍ତି, ତେବେ ଶରୀରକୁ ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ମିଳିଥାଏ। ଦୀର୍ଘ ଦିନ ଧରି ଏପରି ହେବା ଦ୍ୱାରା ଶରୀରର ଓଜନ ବୃଦ୍ଧି ପାଇଥାଏ ଏବଂ ମେଦବହୁଳତା ସୃଷ୍ଟି ହୁଏ। ଅଧିକ ଓଜନ ଟାଇପ୍-୨ ଡାଇବେଟିସ୍ ସଙ୍କଟକୁ ସିଧାସଳଖ ବଢ଼ାଇଥାଏ। ଏଥିସହ କୋଲ୍ଡ ଡ୍ରିଙ୍କ୍ସ, ପ୍ୟାକେଜ୍ଡ ଜୁସ୍ ଏବଂ ଏନର୍ଜି ଡ୍ରିଙ୍କ୍ସ ଭଳି ମିଠା ପାନୀୟ ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ। ଏଗୁଡ଼ିକୁ ପିଇବା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ଶରୀରରେ ବହୁ ପରିମାଣରେ ଶର୍କରା ପ୍ରବେଶ କରିଥାଏ, ଯାହା ଓଜନ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ।
ଡାଇବେଟିସ୍ରୁ ଦୂରେଇ ରହିବା ପାଇଁ ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କରିବା ନହାତି ଜରୁରୀ। ସମସ୍ତଙ୍କ ପାଇଁ ଚିନିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଜରୁରୀ ନୁହେଁ, ବରଂ ଏହାର ପରିମାଣକୁ ସୀମିତ ରଖିବା ଉଚିତ୍। ଦୈନନ୍ଦିନ ଜୀବନରେ ଘରର ସନ୍ତୁଳନ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା ଏବଂ ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ଏହି ମାରାତ୍ମକ ରୋଗରୁ ସୁରକ୍ଷିତ ରହିହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

