ବ୍ୟୁରୋ: ଜଣେ ଖେଳାଳି ଫିଟ୍ ରହିବା ନିହାତି ଆବଶ୍ୟକ । କିନ୍ତୁ ବିରାଟ କୋହଲୀଙ୍କ ଫିଟନେସ୍ ପଛରେ କଣ ରହିଛି ସିକ୍ରେଟ୍ । ଏକ୍ସରସାଇଜ୍ ନା ଖାଦ୍ୟପେୟ । ବିରାଟଙ୍କ ୩୮ତମ ଜନ୍ମଦିନରେ ଜାଣିବା ତାଙ୍କ ଜୀବନଶୈଳୀ । କୋହଲୀଙ୍କ ନାଁ ମନକୁ ଆସିଲେ ଆଖି ଆଗରେ ଆସିଯାଏ ତାଙ୍କ ଫିଟନେସ୍ ଓ ଫିଲ୍ଡରେ ତାଙ୍କ ପରଫରମାନ୍ସ । କେବଳ ତାଙ୍କ ଖେଳଶୈଳୀ ପାଇଁ ନୁହେଁ ତାଙ୍କ ଜୀବନଶୈଳୀ ଅନେକ ଯୁବପିଢୀଙ୍କୁ ବେଶ ପ୍ରଭାବିତ କରେ । ହେଲେ ତାଙ୍କ ଫିଟନେସ୍ ପଛରେ କୌଣସି ଚମତ୍କାର ନୁହେଁ, ବରଂ ବର୍ଷ ବର୍ଷର ପରିଶ୍ରମ, ନିୟମରେ ଖାଦ୍ୟପାନୀୟ । ଆପଣ ଶୁଣିଥିବେ ବିରାଟ ଖାଦ୍ୟ ଖାଇବାର ସୌଖୀନ ଥିଲେ । ହେଲେ ଏବେ ସେ ସମୟ ଅନୁସାରେ ଖାଦ୍ୟ ଖାଉଛନ୍ତି । ସମୟ ଅନୁସାରେ ସେ ନିଜ ଅଭ୍ୟାସରେ ପରିବର୍ତ୍ତନ କରିଛନ୍ତି । ଏବେ ସନ୍ତୁଳିତ ଖାଦ୍ୟ ଖାଇବା ସହ ଖାଦ୍ୟର ମାତ୍ରା, ପୋଷଣ ଓ ଶରୀରର ଆବଶ୍ୟକତା ଉପରେ ଫୋକସ୍ କରୁଛନ୍ତି । କୋହଲିଙ୍କ ଫିଟନେସ୍ ଯାତ୍ରା ଜିମ୍ରେ ଝାଳ ବୁହାଇବାରୁ ଆରମ୍ଭ ହୋଇନି ବରଂ ନିଜ ଖାଦ୍ୟପେୟର ଅଭ୍ୟାସରୁ ଫିଟନେସ୍ ଯାତ୍ରା ଆରମ୍ଭ କରିଛନ୍ତି କୋହଲି । ତେଲ ଯୁକ୍ତ, ମସଲାଯୁକ୍ତ, ଆମିଷ ଖାଦ୍ୟ ପସନ୍ଦ କରୁଥିବା କୋହଲି ଏବେ ଶୁଦ୍ଧ ନିରାମିଷ ଖାଦ୍ୟ ଖାଇବା ସହ ସିଝା ଖାଦ୍ୟକୁ ପ୍ରାଥମିକତା ଦେଉଛନ୍ତି । ଟୋଫୁ, ସାଲାଡ, ଗଜାମୁଗ ଓ ଡାଲି ଭଳି ଖାଦ୍ୟ ତାଙ୍କ ଖାଦ୍ୟ ଟେବୁଲରେ ଦେଖିବାକୁ ମିଳୁଛି । ବିରାଟଙ୍କ ଖାଦ୍ୟରେ ୯୦ ପ୍ରତିଶତ ଖାଦ୍ୟ ବାମ୍ଫ ଦିଆ (ଷ୍ଟିମ୍ଡ) ଓ ସିଝା (ବଏଲ୍ଡ) । ବେଳେବେଳେ ପ୍ୟାନରେ ବିନା ତେଲରେ ସେକା ଖାଦ୍ୟକୁ ବି ନିଜ ଡାଏଟରେ ସାମିଲ କରିଛନ୍ତି କୋହଲି । ଶରୀରକୁ ଜରୁରୀ ପୋଷକ ତତ୍ତ୍ୱ ଦେବା ସହ ଅନାବଶ୍ୟକ କ୍ୟାଲୋରୀରୁ ଦୂରେଇ ରହିବା ତାଙ୍କ ଡାଏଟର ମୁଖ୍ୟ ଉଦ୍ଦେଶ୍ୟ ।
୨୦୧୮ରୁ ସେ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛନ୍ତି । ୨୦୨୧ରେ ଫ୍ୟାନ ଜାଣିଲେ କୋହଲି ହେଉଛନ୍ତି ଭେଜିଟେରିଆନ । ଶାକାହୀର ଭୋଜନରେ ମଧ୍ୟ ଶରୀରକୁ ପ୍ରୋଟିନ୍ ଇନଟେକ୍ ଦେବା ଜରୁରୀ । ଏମିତିକି ୬ମାସ ଯାଏ ପ୍ରତିଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇପାରିବେ ବିରାଟ । ତାଙ୍କ ପାଇଁ ଖାଦ୍ୟର ପ୍ରୋଟିନ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ପ୍ରକାର ସ୍ୱାଦ ପାଇଁ ସେ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତିନି । କେବଳ ଖାଦ୍ୟ ନୁହେଁ ଏକ୍ସରସାଇଜ ଓ ଟ୍ରେନିଂ ତାଙ୍କ ଫିଟନେସର ଅନ୍ୟ ଏକ ଟିପ୍ସ । ଏକ୍ସରସାଇଜ୍ ସହ ସମୟରେ ଶୋଇବା ଓ ଉଠିବା ଉପରେ ସେ ବିଶେଷ ଦିଅନ୍ତି ପ୍ରାଧାନ୍ୟ । କଠିନ ବ୍ୟାୟାମ ପରେ ଶରୀରକୁ ଆରାମ ଦରକାର । ତାପରେ ହିଁ ଉର୍ଜ୍ଜା ମିଳେ । ଦୈନନ୍ଦିର ଜୀବନ ଶୈଳୀରେ ମେଡିଟେସନ କରିବାକୁ ଭୁଲନ୍ତିନି ବିରାଟ ।
