Latest Odisha News

ନିର୍ବାଚନ ଗଣିତ ବିଗାଡିବ କି ନବଙ୍କ ହତ୍ୟା ?

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଶାସକ ଦଳ ମଧ୍ୟରେ ଲଢେ଼ଇ ତୀବ୍ରତର ହେଉଛି। ବିରୋଧୀ ଦଳର ପ୍ରମୁଖ ନେତାମାନେ ଏହି ହତ୍ୟାକାଣ୍ଡ ପାଇଁ ସିଧାସଳଖ ଶାସକ ଦଳର ମୁଖିଆ ମାନଙ୍କୁ ଦାୟୀ କରିବା ସହ କାଠଗଡାକୁ ଟାଣିଛନ୍ତି। ଏପରିକି ଲଗାତର ଏହି ପ୍ରକ୍ରିୟା ଜାରି ରହିଛି। ବିରୋଧୀ ଦଳ ନେତାମାନେ ହତ୍ୟାକାଣ୍ଡକୁ ନେଇ ଯେଉଁ ସବୁ ପ୍ରସଙ୍ଗ ଉଠାଉଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ବି ହେଉଛି। ଏହା ଏକ ବଡ଼ ରାଜନୈତିକ ରୂପ ନେବା ସହ ବିରୋଧୀଙ୍କ ପାଇଁ ଏକ ବଡ଼ ପ୍ରସଙ୍ଗ ହୋଇଛି।

ଶାସକ ଦଳ ମଧ୍ୟ ଏହାର ମୁକାବିଲା କରୁଛି। ଆଗକୁ ନିର୍ବାଚନ ଥିବାରୁ ଏହାର ପ୍ରଭାବକୁ ନେଇ ରାଜନୈତିକ ମହଲରେ ଚର୍ଚା ଜୋର। ଏହି ଘଟଣାର କିଛି ବଡ଼ ପ୍ରଭାବ ଆସନ୍ତା ନିର୍ବାଚନରେ ପଡିବ କି ବୋଲି ପ୍ରଶ୍ନ ଉଠିଛି। ପୂର୍ବରୁ ମାହାଙ୍ଗା ଡବଲ ମର୍ଡରଠୁ ଆରମ୍ଭ କରି ମମିତା ମେହେର, ପରୀ ଆଦି ହତ୍ୟାକାଣ୍ଡରେ ସରକାରଙ୍କୁ ବିରୋଧୀ ହରଡ଼ଘଣାରେ ପକାଇଛନ୍ତି। ବହୁ ଦିନ ଧରି ଏ ସବୁ ପ୍ରସଙ୍ଗରେ ବିରୋଧୀ ଆନ୍ଦୋଳନ କରିଛନ୍ତି। କିନ୍ତୁ ଏହାର କିଛି ପ୍ରଭାବ ନିର୍ବାଚନରେ ଦେଖିବାକୁ ମିଳିନାହିଁ।

ଏପରିକି ଏ ସବୁ ଘଟଣାରେ ଅଭିଯୋଗ ଆସିଥିବା ନେତାଙ୍କୁ ମନ୍ତ୍ରୀ ପଦରୁ ବାହାର କରି ଦଳ କ୍ଲିନ ଇମେଜକୁ ବଜାୟ ରଖିବାରେ ସମର୍ଥ ହୋଇଥିବା କୁହାଯାଏ। ଏବେ କିନ୍ତୁ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଭିନ୍ନ ବୋଲି କୁହାଯାଉଛି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ତାହା ପୁଣି ପୋଲିସ ଅଧିକାରୀଙ୍କ ଦ୍ୱାରା ପୁଣି ଏ ପର୍ଯ୍ୟନ୍ତ ହତ୍ୟାକୁ ନେଇ କୌଣସି ସ୍ପଷ୍ଟତା ନ ଆସିବା ସ୍ଥିତିକୁ ଜଟିଳ କରିଛି। ଏପରିକି ରାଜ୍ୟର ପ୍ରମୁଖ ବରିଷ୍ଠ ନେତାମାନେ ଲଗାତାର ହତ୍ୟାକାଣ୍ଡର ଅତି ବଡ଼ ପଏଣ୍ଟକୁ ନେଇ ସରକାରୀ ଦଳକୁ ଘେରି ଚାଲିଛନ୍ତି।

ଯାହାକି ଲୋକଙ୍କ ହୃଦୟକୁ ଛୁଉଁଥିବା କୁହାଯାଉଛି। ଲୋକେ ବିରୋଧୀଙ୍କ କଥାକୁ ଗୁରୁତ୍ୱର ସହ ନେଉଥିବା ଚର୍ଚ୍ଚା ହେଉଛି। ଆଗକୁ ନିର୍ବାଚନ ଥିବାରୁ ଏ ଘଟଣାର ପ୍ରଭାବ ଭୋଟ ଉପରେ ପଡିବ ବୋଲି ଆଲୋଚନା ହେଉଛି। ଏପରିକି ରାଜ୍ୟର ରାଜନୈତିକ ଚିତ୍ର ମଧ୍ୟ ବଦଳୁଛି।

ଶାସକ ଦଳ ପାଇଁ ନିଜ ଦଳରେ ବହୁ ଟିକେଟ ଦାବିଦାର ସହ ଦୀର୍ଘ ଦିନର ଶାସନ ବ୍ୟବସ୍ଥା ଭିତରେ ଅନ୍ୟ ବହୁ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ସରକାରଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି। କିନ୍ତୁ ବହୁ ବଡ଼ ବଡ଼ ସମସ୍ୟାକୁ ଖୁବ ସାବଧାନତାର ସହ ସମାଧାନ କରୁଥିବା ବିଜେଡି ଏହି ସମସ୍ୟାକୁ ଠିକ ଭାବେ ସମାଧାନ କରି ବିରୋଧୀଙ୍କୁ କଡା ଜବାବ ଦେଇପାରିବ ନା ଚକ୍ରବ୍ୟୁହରେ ଫସିବ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

Leave A Reply

Your email address will not be published.