Latest Odisha News

BREAKING NEWS

ଉପନିର୍ବାଚନ ସଙ୍କେତ, ଫମ୍ପା ହେବ କି ଶରତଙ୍କ ୯ରୁ ୯୦ ବାଣ ?

ଭୁବନେଶ୍ୱର:  ୨୦୨୪ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଅଛି । ତା’ପୂର୍ବରୁ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ରାଜନୈତିକ ଗତିବିଧି ଜୋର୍ ଧରିଛି । ବିଜେପି, ବିଜେଡି ଓ କଂଗ୍ରେସ ତିନିଦଳର ନେତା କହୁଛନ୍ତି ୨୦୨୪ରେ ସେମାନେ ସରକାର ଗଢ଼ିବେ ? ତେବେ ୨୦୨୪ରେ ଓଡ଼ିଶାରେ କିଏ ଦଖଲ କରିବ କ୍ଷମତା ?

ନବୀନଙ୍କ ନେତୃତ୍ୱାଧୀନ ୨୩ ବର୍ଷର ସରକାରର ପତନ ହେବ ୨୦୨୪ରେ କଂଗ୍ରେସ ରାଜ୍ୟରେ ଶାସନକୁ ଫେରିବ । ୨୦୨୨ ମେ ମାସରେ ରାଜ୍ୟ କଂଗ୍ରେସ ସଭାପତି ହେବା ପରେ ଏ କଥା କହିଥିଲେ ଶରତ ପଟ୍ଟନାୟକ । ଶରତ ପିସିସି ସଭାପତି ହେବା ପରେ ତିନି ତିନୋଟି ଉପନିର୍ବାଚନ ହୋଇଥିବା ବେଳେ ଦଳର ପ୍ରଦର୍ଶନ ବ୍ରଜରାଜନଗରକୁ ଛାଡ଼ି ଦେଲେ ଆଉ କେଉଁଠି ଭଲ ନାହିଁ ।

ଯାହାକୁ ନେଇ ଖୋଦ୍ କଂଗ୍ରେସ ଭିତରୁ ବିରୋଧର ସ୍ୱର ଉଠିଲାଣି । ଏବେ ଏବେ ସରିଥିବା ପଦ୍ମପୁର ଉପନିର୍ବାଚନରେ ଦଳର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩ ହଜାର ୫୮୧ ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିବାବେଳେ ନୋଟାରେ ପଡ଼ିଥିଲା ୨୦୮୭ ଖଣ୍ଡ ଭୋଟ୍ । ଯାହାକୁ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କହିଥିଲେ ଆଗକୁ କଂଗ୍ରେସ ନୋଟା ସହ ଲଢ଼ିବ ।

ଖାଲି ପଦ୍ମପୁର ନୁହେଁ ନଭେମ୍ବରରେ ହୋଇଥିବା ଧାମନଗର ଉପନିର୍ବାଚନରେ ବି କଂଗ୍ରେସ ଦଳର ପ୍ରଦର୍ଶନ ସେତେଟା ଭଲ ନଥିଲା । ବିଜେଡି-ବିଜେପି ଲଢ଼େଇ ଭିତରେ କଂଗ୍ରେସ ପ୍ରାର୍ଥୀ ପାଇଥିଲେ ମାତ୍ର ୩ ହଜାର ୫୩୩ ଖଣ୍ଡ ଭୋଟ୍ ।

ଓଡ଼ିଶା ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ମେ ମାସରେ ଦାୟିତ୍ୱ ନେବା ପରେ ଜୁନରେ ହୋଇଥିବା ବ୍ରଜରାଜନଗର ଉପନିର୍ବାଚନରେ ଦଳ ଦ୍ୱିତୀୟ ସ୍ଥାନରେ ଥିଲା । ବ୍ରଜରାଜନଗରରେ ଦଳର ପ୍ରାର୍ଥୀ କିଶୋର ପଟେଲ୍ ୧୮ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଧାମନଗର ଓ ପଦ୍ମପୁରରେ ତାହା ୨ ପ୍ରତିଶତକୁ ଖସି ଆସିଛି ।

ଯାହାକି କେବଳ କଂଗ୍ରସ ଦଳ କିମ୍ବା ପ୍ରାର୍ଥୀ ନୁହେଁ ବରଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଛିଡ଼ା କରିଛି । ଉପନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ ଖସୁଥିବା ବେଳେ ୨୦୨୪ରେ ଦଳ କିଭଳି ୯ରୁ ୯୦ ଆସନ ହାତେଇବ ?  ନା ଫମ୍ପା ହୋଇଯିବ ଶରତଙ୍କ ୯ରୁ ୯୦ ଆସନ ବାଣ । ତାକୁ ନେଇ ଏବେ ଖାଲି କଂଗ୍ରେସ ଦଳ କାହିଁକି ବାହାରେ ବି ଚର୍ଚ୍ଚା ଜୋର୍ ଧରିଛି ।

Leave A Reply

Your email address will not be published.