Latest Odisha News

ଏନଡିଏ ଛତ୍ରଛାୟା ତଳେ ରହିବେ କି ଚନ୍ଦ୍ରବାବୁ ନାଇଡ଼ୁ?

ନୂଆଦିଲ୍ଲୀ:ପାଖେଇ ଆସୁଛି ନିର୍ବାଚନ ତାରିଖ। ଏହାରି ମଧ୍ୟରେ ଶାସକ ଶିବିରରେ ବିରୋଧି ନେତାଙ୍କ ହାଜିରା ହେବା କଥା ଏବେ ନଜରକୁ ଆସୁଛି। ବର୍ତ୍ତମାନ ଚର୍ଚ୍ଚା ହେଇଛି ଏନଡିଏରେ ସାମିଲ ହୋଇପାରନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି)ନେତା ଚନ୍ଦ୍ରବାବୁ ନାଇଡୁ। ବୁଧବାର ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀ ଗସ୍ତରେ ଅଛନ୍ତି।

ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏନଡିଏ ସହ ମେଣ୍ଟ ନେଇ କରିପାରନ୍ତି ଆଲୋଚନା। ଦିଲ୍ଲୀରେ ନା କେବଳ ଅମିତ୍ ଶାହଙ୍କ ସହ ସେ ଭେଟିବେ ତାହା ନୁହେଁ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ମଧ୍ଯ ଆଲୋଚନା କରିବେ ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ। ଏନଡିଏର ପୁରୁଣା ସହଯୋଗୀ ଥିଲେ ଚନ୍ଦ୍ରବାବୁ ନାଇଡୁ। ଦୁଇ ଦଳ ସାଥିରେ ଯିବାକୁ ସହମତି ପ୍ରକାଶ କରିଥିବା ଶୁଣିବାକୁ ମିଳୁଛି।

ତେବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା ଦୁଇ ପକ୍ଷରୁ କରାଯାଇନାହିଁ। ତେବେ ଆନ୍ଧ୍ରରେ ଥିବା ମୋଟ ୨୫ ଲୋକସଭା ଆସନରୁ ୧୦ ଆସନରେ ବିଜେପି ଲଢିବାକୁ ଦାବି କରୁଥିବା ସୂଚନା ମିଳିଛି। ତେବେ ଏନେଇ ଆଲୋଚନା ଜାରି ରହିଛି। ଏହି ବୈଠକ ପରେ ବିଜେପି-ଟିଡିପି ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେବ। ପୂର୍ବରୁ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଜନସେନା ପାର୍ଟି ପବନ କଲ୍ଯାଣଙ୍କ ସହ ସାକ୍ଷାତ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ସିଟ ଭାଗବଣ୍ଟା ନେଇ କଥାବାର୍ତ୍ତା ହୋଇଥିଲେ। ଉଭୟଙ୍କ ମଧ୍ଯରେ ସିଟ ଭାଗବଣ୍ଟା ନେଇ ନିଷ୍ପତ୍ତି ସ୍ଥିର ହୋଇଥିବା ଜଣାପଡିଛି।

କିଛି ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ଓଲଟାଗଣତି ଆରମ୍ଭ ହୋଇଯାଇଛି ବୋଲି କହିଥିଲେ ଚନ୍ଦ୍ରବାବୁ ନାଇଡୁ। ଅନ୍ୟପଟେ ୨୦୨୪ ସାଧାରଣ ନିର୍ବାଚନ ସହ ହେବ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ। ୱାଇଏସଆର କଂଗ୍ରେସ ଗତ ନିର୍ବାଚନରେ ମୋଟ ୧୭୫ ଆସନ ମଧ୍ଯରୁ ୧୫୧ ଆସନ ହାସଲ କରିଥିଲା। ୨୫ ଲୋକସଭା ଆସନ ମଧ୍ଯରୁ ୨୨ ଆସନ ହାସଲ କରିଥିଲା । ଆଗରୁ ମଧ୍ୟ ବିଜେପି-ଟିଡିପି ସମ୍ପର୍କ ଯାହା ରହିଆସିଛି ତାହା ଆଗକୁ କିପରି ରୂପ ନେବ ତାହା ଦେଖିବା ଅପେକ୍ଷା।

Leave A Reply

Your email address will not be published.