Latest Odisha News

ଦଳ ପରିବର୍ତ୍ତନ ଟ୍ରେଣ୍ଡରେ ସପାକୁ ଝଟ୍‌କା ଦେବ କି ଆର୍‌ଏଲ୍‌ଡି?

ଲକ୍ଷ୍ନୌ: ଗୋଟେ ପରେ ଗୋଟେ ଟାଣୁଆ ନେତା ଏବେ ଦଳ ପରିବର୍ତ୍ତନରେ ମାତିଛନ୍ତି। ସବୁଠି ଦେଖିବାକୁ ମିଳୁଛି ଦଳବଦଳ ରାଜନୀତି। ଏହାରି ଭିତରେ ପୁଣି ଥରେ ଇଣ୍ଡିଆ ମେଣ୍ଟକୁ ଲାଗିପାରେ ଝଟ୍‌କା। ଏଥିସହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଧ୍ୟ ଜୋରଦାର ଝଟ୍‌କା ଲାଗିପାରେ। କାରଣ ବିଜେପିରେ ମିଶିପାରେ ଆର୍‌ଏଲ୍‌ଡି। ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ ଆସନ୍ତା ଲୋକସଭା ନିର୍ବାଚନରେ ଏନ୍‌ଡିଏ ସହ ମିଶି ମେଣ୍ଟ କରିପାରନ୍ତି ବୋଲି ଯୋରସୋର ଚର୍ଚ୍ଚା ରାଜନୈତିକ ମହଲକୁ ସରଗରମ କରିଦେଇଛି।

ଇଣ୍ଡିଆ ମିଳିତ ମଞ୍ଚରେ ରହିଥିବା ଆଉ ଏକ ସଦସ୍ୟ ହେଇଛି ଆର୍‌ଏଲ୍‌ଡି। କିଛି ଦିନ ପୂର୍ବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଜୟନ୍ତଙ୍କ ସହ ମିଶି ସିଟ୍‌ ଶେୟାରିଂକୁ ନେଇ ଘୋଷଣା କରିଥିଲେ। ଉତ୍ତରପ୍ରଦେଶରେ ୭ଟି ଲୋକସଭା ଆସନ ତାଙ୍କୁ ଅଫର୍‌ କରିଥିଲେ। ଏବେ କିନ୍ତୁ ବିଜେପି ଆର୍‌ଏଲ୍‌ଡିକୁ ଉତ୍ତରପ୍ରଦେଶରେ ୫ଟି ଆସନ ଅଫର୍‌ କରିଥିବା ଚର୍ଚ୍ଚା ହେଉଛି।ବିଜେପି ଜୟନ୍ତ ଚୌଧୁରୀଙ୍କୁ ୨ ଲୋକସଭା ଆସନ, ଗୋଟିଏ ରାଜ୍ୟସଭା ଆସନ ଏବଂ ୟୁପିରେ ୨ଟି ମନ୍ତ୍ରୀ ପଦବୀ ପାଇଁ ଅଫର୍‌ ଦେଇଛି।

ସେପଟେ ଆରଏଲଡି ପକ୍ଷରୁ ଦାବିର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଅତି କମରେ ଲୋକସଭା ଆସନ, ଗୋଟିଏ ରାଜ୍ୟସଭା, କେନ୍ଦ୍ରରେ ଗୋଟିଏ ମନ୍ତ୍ରୀ ପଦ, ରାଜ୍ୟରେ ୨ ଟି ମନ୍ତ୍ରୀ ପଦବୀ ଏବଂ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଆରଏଲଡି ଦାବି କରୁଛି। ସମ୍ପ୍ରତି ସମାଜବାଦୀ ପାର୍ଟି ସହ ଆର୍‌ଏଲ୍‌ଡିର ମେଣ୍ଟ ରହିଛି। ଏବଂ ଉଭୟ ଇଣ୍ଡିଆ ମେଣ୍ଟ ସହ ଜଡ଼ିତ।

ଅନେକ ନେତା ୟା ଭିତରେ ଇଣ୍ଡିଆ ମେଣ୍ଟରୁ ବାହାରି ଏନଡିଏରେ ମିଶିବା ପାଇଁ ମନ ବଦଳାଉଛନ୍ତି। ତେବେ ଏହାରି ଭିତରେ କୁହାଯାଉଛି ଯେ, ଜୟନ୍ତ ଚୌଧୁରୀ ମଙ୍ଗଳବାର ଦିନ ଦିଲ୍ଲୀରେ ଜଣେ ବରିଷ୍ଠ ବିଜେପି ନେତାଙ୍କ ସହ ସାକ୍ଷାତ କରି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହୋଇଛନ୍ତି। ଏହି କ୍ରମରେ ଜୟନ୍ତ ଚୌଧୁରୀ ସାମିଲ ହେବେ କି? ତାହା ଏବେ ବଡ଼ ପ୍ରଶ୍ନ।

Leave A Reply

Your email address will not be published.