Latest Odisha News

BREAKING NEWS

ରାହୁଲଙ୍କ ସାଂସଦ ପଦ ରଦ୍ଦ,କଂଗ୍ରେସ ପାଇଁ ବରଦାନ ହେବନି ତ?

ଭୁବନେଶ୍ୱର: ଅପରାଧିକ ମାନହାନି ମାମଲାରେ ସୁରଟ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରବ୍ଦ ହୋଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦେଶ ତଥା ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ରାହୁଲଙ୍କୁ ଦଣ୍ଡାଦେଶର କେଇ ଘଣ୍ଟା ନ ପୁରୁଣୁ ତାଙ୍କ ସଭ୍ୟପଦ ରଦ୍ଦ ହେବା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି।

ଜନପ୍ରତିନିଧି ଆଇନ ୧୯୫୧ ଅନୁସାରେ ଯଦି କୌଣସି ସାଂସଦଙ୍କୁ ୨ ବର୍ଷ କିମ୍ବା ତାଠୁ ଅଧିକ ଜେଲଦଣ୍ଡ ମିଳେ, ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ। ତେଣୁ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଏ ସବୁରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି କୁହାଯାଉଛି। କିନ୍ତୁ ଏହି ଘଟଣାରୁ ରାଜନୈତିକ ଫାଇଦା କାହାକୁ ମିଳିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ରାଜନୈତିକ କ୍ଷେତ୍ରରେ ଶାସକ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ବିବାଦୀୟ ଟୀକା ଟିପ୍ପଣୀ କିଛି ନୂଆ କଥା ନୁହେଁ। ବିଭିନ୍ନ ସମୟରେ ଏଭଳି ଦେଖିବାକୁ ମିଳୁଥିବାବେଳେ ନିର୍ବାଚନ ପ୍ରଚାର ସମୟରେ ଏହା ବ୍ୟାପକ ଭାବେ ଦେଖାଯାଏ।ସେହିଭଳି ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନରେ କର୍ଣ୍ଣାଟକରେ ଏକ କାର୍ଯ୍ୟକ୍ରମରେ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାଫଳରେ ତାଙ୍କ ସଭ୍ୟପଦ ରଦ୍ଦ ହୋଇଛି।

କିନ୍ତୁ ଏମିତି ଅନେକ ନେତାଙ୍କ ନାଁ ରେ ଅନେକ ଅଭିଯୋଗ ରହିଛି। କିନ୍ତୁ ରାହୁଲଙ୍କ ବିରୋଧରେ ସୁରଟ କୋର୍ଟ ଦଣ୍ଡବିଧାନ କରିବା ପରେ ଲୋକସଭା ସଚିବାଳୟ ରାହୁଲଙ୍କ ସଭ୍ୟପଦ ରଦ୍ଦ କରିବା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି। ଏପରିକି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି।

ଏହା ଗଣତନ୍ତ୍ରର ହତ୍ୟା ବୋଲି ଅଭିଯୋଗ କରିବା ସହ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପ୍ରତିବାଦରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ରାହୁଲ ଲଗାତର ଭାବେ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରୁଛନ୍ତି। ଗତ କିଛି ଦିନ ତଳେ ବିଦେଶରେ ମଧ୍ୟ ବିଜେପିକୁ ଟାର୍ଗେଟ କରିଥିଲେ ରାହୁଲ।ବିରୋଧୀଙ୍କ ପ୍ରତି ବିଜେପିର ଆଭିମୁଖ୍ୟକୁ ନେଇ ରାହୁଲ ଜୋରଦାର ସମାଲୋଚନା କରୁଛନ୍ତି।

ବିରୋଧୀଙ୍କ ସ୍ୱରକୁ ଚାପିଦେବା ପାଇଁ ବିଜେପି ଆକ୍ରୋସମୂଳକ ଭାବେ କାର୍ଯ୍ୟ କରୁଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଏବେ ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଂଗ୍ରେସ ସମେତ ବିରୋଧୀଙ୍କ ଉପରେ କଣ ପ୍ରଭାବ ପକାଇବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ଖୁବ ଶୀଘ୍ର କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲୋକଙ୍କ ଉପରେ କିଭଳି ପ୍ରଭାବ ପକାଉଛି ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ଏହା ରାହୁଲ ଗାନ୍ଧୀ ଓ କଂଗ୍ରେସର କ୍ଷତି କରିବ ନା ରାହୁଲଙ୍କ ସପକ୍ଷରେ ସହାନୁଭୂତି ସୃଷ୍ଟି କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ନିର୍ବାଚନ ଗୁଡିକରେ ଏହା ବିରୋଧୀଙ୍କୁ ଫାଇଦା ଦେବନି ତ ବୋଲି ଚର୍ଚ୍ଚା ହେଉଛି। କର୍ଣ୍ଣାଟକ ସମେତ ଆଗକୁ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ନିର୍ବାଚନ ଅଛି। ଏଥିସହିତ ଆଗକୁ ଦେଶରେ ସାଧାରଣ ନିର୍ବାଚନ ବି ଅଛି। ତେଣୁ ରାହୁଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ବିରୋଧୀ ଓ କଂଗ୍ରେସକୁ କ୍ଷତି ପହଂଚାଉଛି ନା ଆକ୍ରୋସମୂଳକ ବ୍ୟବହାର ପ୍ରସଙ୍ଗକୁ ଅସ୍ତ୍ର କରି ଦଳ ଲାଭ ନେଉଛି ତାକୁ ନେଇ ଏବେ ଜୋରଦାର ଆଲୋଚନା ହେଉଛି।

Leave A Reply

Your email address will not be published.